କବିତା - ତୁମ ମଧୁଲଗ୍ନରେ - ସିଦ୍ଧେଶ୍ଵର ତ୍ରିପାଠୀ

0
ତୁମେ ଦେହ ଧୋଇଥିଲ
ବାଡୁଅ ପାଣିରେ
ପାଦରେ ନାଇଥିଲ ଅଳତା
ହାତରେ ଶଙ୍ଖା ସିଂଥିରେ ସିନ୍ଦୂର
ଦେହ ଢାଙ୍କିଥିଲ ବଉଳ ପାଟରେ
ପାଦର ପାଉଁଜି ଝୁଣ୍ଟିଆ ଠୁ ନାକଗୁଣା
ସବୁ କିଛି ଦିଶୁଥିଲା ଦାଉ ଦାଉ ।

ବାହା ବେଦୀରେ ପଡିଥିଲା
ସୋଧୁଆ ଚିତା
ସାଇତା ହୋଇ ରହିଥିଲା
ଦୋଳ ମୁକୁଟ କଉଡ଼ି ଏମିତି
କେତେ କଣ

ତୁମେ ହସୁଥିଲ ମହମହ ବାସୁଥିଲ
ଗଭାରେ ଗୁନ୍ଥିଥିଲ ଗଜରା ମାଳ
ମଥାରେ ବି ଟାଣିଥିଲ ସରୁ ଓଢଣୀ ।

ବାଜୁଥିଲା ବାଜା ଫୁଟୁଥିଲା ବାଣ
ରାଜକୁମାର ବେଶରେ
ଆସୁଥିଲେ ତୁମ ବର
ଆତସ ବାଜିରେ ଫାଟି ପଡୁଥିଲା
ତୁମ ଗାଁ ର ଏମୁଣ୍ଡୁ ସେମୁଣ୍ଡ ।

ଘର ସାରା କୁଣିଆରେ ଭର୍ତ୍ତି
କେତେ ସାଙ୍ଗ ସାଥି ଙ୍କୁ ଦେଖି
ତୁମେ ହସୁଥିଲ ମୁରୁକି ମୁରୁକି
ଗ୍ରହଣ କରୁଥିଲ ଉପହାର
ଧିରେ ଧିରେ ଗଡୁଥିଲା ରାତି ।

ମୋ ଆଖି ଆଗରେ ଆଉକାହା
ହାତ ଉପରେ ଛନ୍ଦାହେଲା ତୁମ ହାତ
ତୁମ ସିଂଥିରେ ସେ ମାଖିଲା ସିନ୍ଦୁର
ହାତ ଧରି ପିନ୍ଧାଇଲା ଶଙ୍ଖା
ବେଦୀ ଉପରେ ସରିଗଲା
କଉଡ଼ି ଖେଳ
ତୁମେ ହୋଇଗଲ ପରଗୋତ୍ରୀ
ଆଉ କାହାର ଜୀବନ ସାଥି
ଆଉ କାହାର ଶଯ୍ୟା ସଂଗୀନି
ତା ସାଥିରେ ବାଣ୍ଟିବାକୁ
ଦେହ ମନ ସେନେହ ପୀରତି ।

ତୁମେ ଚାଲିଗଲ ବହୁତ ଦୁରକୁ
ତୁମେ ସବୁ ବୁଝିଗଲ ସମୟର ଭାଷା
ବାପାମାଆଙ୍କ ସନମାନ
ସମାଜର ଷ୍ଟାଟସ ଆଉ
ପ୍ରଥା ପରମ୍ପରା
ସହଜରେ ଭୁଲିଗଲ ମୋ ପ୍ରେମ
ମୋ ଭଲପାଇବା କୁ ।

ଦିନେ ଆଖିରୁ ଲୁହ ଝରାଉ ଥିଲ
ମୋ ପାଇଁ ଦୁନିଆକୁ ଛାଡ଼ିଦେଵ ବୋଲି କହୁଥିଲ
କଥା ଦେଇଥିଲ ହେବ ମୋର
ସାତଜନ୍ମର ସାଥି ।

ଆଉ ଏବେ ମୁଁ ଅସମାପ୍ତ କାହାଣୀ
ତୁମକୁ ଝୁରୁଛି ଲୁହରେ ଭିଜୁଛି
ବିରହର ଦହନେ ସିଝୁଛି
ବାକି ଅଛି କେତେ ରାସ୍ତା
ଖାଲି ଏକା ଏକା
ତୁମ ଏଇ ବାହାଘର ମୋ ଜୀବନକୁ କରିଦେଲା ଫିକା ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : ଖୋର୍ଦ୍ଧା,  ଦୂରଭାଷ : 8018646704

Post a Comment

0Comments
Post a Comment (0)