ଯେତେ ରାଗରୁଷା ମାନ ଅଭିମାନ
ସବୁକୁ ପଛରେ ପକେଇ
ଆସ ନାଚି ଗାଇ ଖୁସିରେ ଝୁମିବା
ହାତକୁ ହାତରେ ମିଶେଇ ।

ପୁରୁଣା ଦିନକୁ ମନରୁ ପାଶୋରି
ନୂଆକୁ କରିଵା ସ୍ୱାଗତ
ସେଵା ମନନେଇ କରିବାକୁ କାର୍ଯ୍ୟ
ଚାଲ ନେଵା ଆଜି ଶପଥ ।

ଭୋକିଲାକୁ ଦେବା ମୁଠାଏ ଆହାର
ଜୀବ ପ୍ରତି ରଖି ଦୟାରେ
ମିଳିମିଶି ସବୁ ହୋଇବା ଏକାଠି
ଆସୁ ଯେତେ ଝଡ ଝଞ୍ଜାରେ ।

ଗୋଟାଏ ସୂତାରେ ଆମେ ତ ଗୁନ୍ଥାରେ
ଛୋଟ ଛୋଟ ଟିକି କଳିକା
କାଲି ସକାଳର ଆମେ ଭବିଷ୍ୟତ
କିଏ ଅଛି ଆମ ଭଳିକା ।

ପାଠ ପଢି ଭଲ ମଣିଷ ହୋଇବୁ
ରଖିବୁ ଦେଶର ନାଆଁରେ
ଆଜି କଢି ଅଛୁ କାଲି ଫୁଟିଗଲେ
ବାସ ଚହଟିବ ଗାଆଁରେ ।


ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ, ପିପିଲି, ପୁରୀ,  ଦୂରଭାଷ : ୯୮୫୩୩୫୪୯୩୮