କ୍ଷମାର ଅର୍ଥ ହେଉଛି ଅନ୍ଯର ଭୁଲକୁ ସହୃଦୟତାର ସହିତ ଗ୍ରହଣ କରିନେବା । ଭୁଲ କରିଥିବା ଲୋକ ପ୍ରତି ମନରେ କୌଣସି କ୍ରୋଧ ଭାବନା ନରଖିଵା । ଜୈନଧର୍ମରେ କ୍ଷମାକୁ ବିଶେଷ ମହତ୍ବ ଦିଆଯାଇଛି । ସେଥିପାଇଁ ଜୈନ ଧର୍ମାବଲମ୍ବୀମାନେ କ୍ଷମାବାଣୀ ପର୍ବ ପାଳନ କରିଥାନ୍ତି । ନିଜ ମନରେ କ୍ରୋଧ ଉତ୍ପନ ହେବାକୁ ନଦେବା ଏବଂ କ୍ରୋଧ ଉତ୍ପନ ହେଲେ ବିବେକ ତଥା ନମ୍ରତା ବଳରେ ସଂଯମ ଆଚରଣ କରି କ୍ରୋଧକୁ ବିଫଳ କରିଦେବା ଲାଗି ଜୈନ ଧର୍ମରେ ପରାମର୍ଶ ଦିଆଯାଇଛି । ନିଜ ଦ୍ବାରା ଜାଣତରେ ହେଉ ଅବା ଅଜାଣତରେ ହୋଇଥିବା ଭୁଲକୁ ସୁଧାରିବା ତଥା ସେଥିପାଇଁ ନିଜକୁ କ୍ଷମା କରିବା , ଅନ୍ଯ ପ୍ରତି ମଧ୍ୟ ଏହିପରି ମନୋଭାବ ରଖିବା ଆବଶ୍ୟକ । କେବଳ ଜୈନ ଧର୍ମ ନୁହେଁ, ସଂସାରର ପ୍ରତ୍ୟେକ ଧର୍ମରେ କ୍ଷମା ପ୍ରତି ଗୁରୁତ୍ୱ ଦିଆଯାଇଛି । କ୍ଷମା ମାଗିବା ଦ୍ବାରା ଅହଂକାର ନଷ୍ଟ ହୋଇଯାଇଥାଏ । ମହାଭାରତରେ କ୍ଷମା ବିଷୟରେ ଉଲ୍ଲେଖ କରି କୁହାଯାଇଛି, ଦୁଷ୍ଟଙ୍କ ଶକ୍ତି ହିଂସା,ରାଜାଙ୍କ ଶକ୍ତି ଦଣ୍ଡ ଏବଂ ଗୁଣବାନ୍ ମନୁଷ୍ୟର ଶକ୍ତି ହେଉଛି କ୍ଷମା । ଠିକ୍ ସେହିପରି ଶ୍ରୀମଦଭଗବତରେ ଉଲ୍ଲେଖ ରହିଛି , " ଦଣ୍ଡିବା ଶକ୍ତି ଯାର ଥାଇ,ସେ ପୁଣି କ୍ଷମା ଆଚରଇ " , ଅର୍ଥାତ୍ ଯାହାର ଦଣ୍ଡ ଦେବାର ଶକ୍ତି ରହିଛି, ସେ କ୍ଷମା ଆଚରଣ କରିଥାଏ । ଏଭଳି ଵ୍ଯକ୍ତିକୁ ପ୍ରକୃତ ସାଧୁପୁରୁଷ କୁହାଯାଏ । ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୁରାନରେ କୁହାଯାଇଛି, କ୍ଷମା ପ୍ରଦାନ କରି ପଛ କଥା ଭୁଲି ଯାଉଥିବା ଲୋକକୁ ଈଶ୍ୱର ପୁରସ୍କାର ଦେଇଥାନ୍ତି । ଖଲୀଲ୍ ଲିବ୍ରାନ୍ କହିଛନ୍ତି, ଯେଉଁ ମନୁଷ୍ୟ ନାରୀକୁ କ୍ଷମା କରିନଥାଏ , ସେ ନିଜର ମହାନ ଗୁଣ ଉପଯୋଗ କରିବାର ଅବସରପ୍ରାପ୍ତ କରିନଥାଏ ପ୍ରଭୁ ଯୀଶୁ ଯେଉଁମାନଙ୍କ ଦ୍ବାରା କ୍ରୁଶବିଦ୍ଧ ହୋଇଥିଲେ, ସେମାନଙ୍କୁ କ୍ଷମା କରିଦେବା ଲାଗି ସେ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲେ । ମନୋବିଜ୍ଞାନୀ ମଧ୍ୟ କ୍ଷମାର ମହତ୍ଵକୁ ଗ୍ରହଣ କରିଛନ୍ତି । ମନୋଵିଜ୍ଞାନୀଙ୍କ ମତାନୁଯାୟୀ,କ୍ଷମା ମନୁଷ୍ୟର ଵ୍ଯକ୍ତିତ୍ଵକୁ ଉତ୍ତମ କରିଥାଏ । ଭୁଲ୍ ମାଗୁଥିବା ଲୋକକୁ କ୍ଷମା ଦେଉନଥିବା ମଣିଷ ଅହଂ ସମ୍ଵନ୍ଧୀୟ ବିକାରର ଶିକାର ହୋଇଥାଏ । ତେଣୁ କ୍ଷମା ମାଗିବା ଏବଂ କ୍ଷମା ଦେଵାରେ ହିଁ ମଣିଷ ପଣିଆ ରହିଛି ।

ସଂଗ୍ରହକାରୀ- ନରେନ୍ଦ୍ର ପ୍ରସାଦ ଵେହେରା
ଆଳଦା, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦