
ହିନ୍ଦୀ କହିଲେ ଦେଶଭକ୍ତ,
ସଂସ୍କୃତ କହିଲେ ଭକ୍ତ,
ଇଂରାଜୀ କହିଲେ ପଣ୍ଡିତ
ଏଇ ଚିନ୍ତାରେ ଅଛନ୍ତି ଥୋକାଏ,
ଅକାଳ କୁଷ୍ମାଣ୍ଡ, ମୂରୁଖ ।
ନ’ଜାଣି ଜନନୀ ସମ୍ମାନ,
ମାତୃଭାଷେ ନ’ରଖି ମନ,
ଶତ ଭାଷେ ବାଣ୍ଟିଲେ ଜ୍ଞାନ ,
ଶିକ୍ଷିତ ବୋଲିକି ପିଟିକି ଢୋଲ
ଅରଜନ୍ତି ଯାହା ଗଣ୍ଡେ ଦୁର୍ନାମ ।
ଶତଭାଷେ ଦେଇ ଯୁକ୍ତି-ପ୍ରତ୍ୟୁକ୍ତି,
ନଥାଏ ମାତୃଭାଷା ପ୍ରୀତି,
ଲକ୍ଷେ ଈଶ୍ଵରେ ଭିଜିଲେ ମତି,
ସମାଜ ପାଇଁ ସେ' ଅଯୋଗ୍ୟ ବ୍ୟକ୍ତି
ହେଇଥାଉ ପଛେ ସୁ'ମତି ଯତି ।
ମାତୃଭାଷା ସିନା ଅସଲ ଜ୍ଞାନ
ତା'ବିନା ଜୀବନ ହତାଶ ସମ
ପୂର୍ବଜଙ୍କ ସିଏ ଶ୍ରୁତି ସୃଜନୀ
ଧିମନ୍ତେ ବିଚାର ଏ'ମୋର ବାଣୀ
ତାକୁ ଛାଡ଼ି କିଏ ହେବ ବା ଜ୍ଞାନୀ !
ବିଦେଶୀ ଭାଷାକୁ ଶିଖିଲେ ଶିଖ
ଆପଣା ଦରବ ଆଦର ଶିଖ
ଭଲ ମନ୍ଦ ସବୁ ନିଜେ ପରଖ
ହିନ୍ଦୀ ଇଂରାଜୀକୁ ମୁରୁଛି ଟିକିଏ
ନିଜ ମାଟି ଭାଷା ମହତ ରଖ ।
ମନରେ ନଥିଲେ ଦେଶର ପ୍ରୀତି,
ଜୀବନଟା ଯିବ ଭିତ୍ତିରେ ବିତି
ମାତୃଭାଷା ହୃଦେ ରଖ ସାଇତି
ଅଭିମାନ ସିଏ ଆମ ସମ୍ପତ୍ତି
ରଖିବା ସଭିଏଁ ତାକୁ ସାଇତି ॥
ତିରିଡା, ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦
VOL.IX, ISSUE.X, OCTOBER-2025
Published By Banamallira Mahak