ଆମେରିକାରେ ଆମେ ଉତ୍କଳ ବିହଙ୍ଗ - ଚନ୍ଦ୍ରା ମିଶ୍ର

0

ଆମ ଘର ସାମ୍ନାରେ ଗୋଟେ ବଡ଼ ମେପଲ୍ ଗଛ ଅଛି l ଶାଖା, ପ୍ରଶାଖା ଆଉ ପତ୍ରରେ ସେ ଗଛ ପରିପୂର୍ଣ୍ଣ ହୋଇଯାଏ ଗ୍ରୀଷ୍ମଋତୁରେ l ସବୁଦିନ ଚାଲିଲା ବେଳେ ଥରେ ଦୁଇଥର ମୁଁ ସେ ଗଛକୁ ଉପରୁ ତଳ ପର୍ଯ୍ୟନ୍ତ ଅନାଏ l ଗଛରେ ପକ୍ଷୀ ସବୁ ବସିବାର ଦେଖେ l ପିଲାଦିନୁ ପକ୍ଷୀମାନଙ୍କୁ ଦେଖଲେ ଭାବେ, ଆହା ମୁଁ ପକ୍ଷୀଟିଏ ହୁଅନ୍ତି କି ତାହାଲେ ଉଡି ପାରନ୍ତି ? ସେମାନଙ୍କର କାକଳୀ ଶୁଣି ଲାଗେ ବୋଧେ ନିଜ ଭିତରେ ସେମାନେ କଥା ହେଉଛନ୍ତି l ଶୀତଋତୁ ଆସିଲେ ସବୁ ପତ୍ର ଝଡ଼ିଯାଏ l ପୋକ ସବୁ (ଯାହା ପକ୍ଷୀ ମାନଙ୍କର ଖାଦ୍ୟ) ମରି ଯାଆନ୍ତି ଥଣ୍ଡା ଯୋଗୁଁ l  ତେଣୁ  ପକ୍ଷୀମାନଙ୍କ ପାଇଁ ଖାଦ୍ୟ ମିଳିବା ସମ୍ଭବ ହୁଏନି l ଶୀତ ଆସିବା ପୂର୍ବରୁ ସେମାନେ ଏଠାରୁ ଯେଉଁଠାରେ ଉଷ୍ମ ପାଗ ସେଠାକୁ ଉଡି ଯାଆନ୍ତି l ଆମେ ଜାଣିବାରେ ପକ୍ଷୀ ମାନେ ଯେଉଁଆଡେ ଯାଆନ୍ତି, ସେଇଠି  ନିଜ ପାଇଁ ବସାଟିଏ ସୁନ୍ଦର ଭାବେ ଗଢନ୍ତି l ନୂଆ ଯାଗାରେ ପରିସ୍ଥିତି ସାଙ୍ଗେ ନିଜକୁ ଆରେଇ ନିଅନ୍ତି l 

ହଠାତ୍ ମୁଁ ନିଜକୁ ପକ୍ଷୀଟିଏ ପରି ଭାବିଲି l ପକ୍ଷୀ ପରି ଆମେ (ମୁଁ ଆଉ ଅନେକ ଓଡ଼ିଆ ଲୋକ) ନିଜ ଦେଶ ଓଡିଶା ଛାଡି ସୁଦୂର ବିଦେଶ (ଆମେରିକା) ରେ ରହିଛୁ l ଆମେ ପକ୍ଷୀ ପରି ଖାଦ୍ୟ ପାଇଁ ବା ବାଟ ଭୁଲି ଏଠାକୁ ଆସିନାହୁଁ l ସୁଦୂର ବିଦେଶକୁ ଆମ ଓଡିଶାରୁ ସାଧବ ପୁଅମାନେ ବାଣିଜ୍ୟ ପାଇଁ ବୋଇତରେ ଯିବାର ଇତିହାସ ଅଛି l ଆମ ପରିବାର ଆଉ ପିଲାଙ୍କ ଜୀବନରେ ଅଧିକ ସୁଯୋଗ ଆଣିବା ପାଇଁ ଆମେ ଆମେରିକାକୁ ଆସିଛୁ l ନିତି ଚାଲିଵା  ସମୟରେ ମୁଁ ଅନେକ କଥା ଭାବେ l ମୋର ବେଶୀ ମନେପଡେ ମୋ ପିଲାଦିନେ ଆମ ସାହିର ସାଙ୍ଗ ମାନଙ୍କ ସାଙ୍ଗେ କାଟିଥିବା ସମୟ l ଏବେବି ମୋର ପରିସ୍କାର ମନେଅଛି ଶଙ୍ଖଚିଲକୁ ଦେଖି ଆମେ ପିଲାମାନେ ଘରୁ ବାହାରକୁ ନହେଲେ ଛାତ ଉପରକୁ କେମିତି ଦୌଡ଼ି ଯାଉ l ମୁଁ ସବୁବେଳେ ଶଙ୍ଖ ଚିଲର ବଡ଼ ବଡ଼ ଡେଣାକୁ ନିରେଖି ଦେଖେ ଆଉ ତା’ପରି ଖୋଲା ଆକାଶରେ ଉଡିବାକୁ ଚାହୁଁଥିଲି l କିନ୍ତୁ ମୋ ବୁଢ଼ୀ ମା’ର ଡାକ ଶୁଣି ଘର ଭିତରକୁ ତର ତର କିନା  ଆମର ଚଉଦଟି ପକା ପାହଚରୁ ଧୀରେ ଧୀରେ ଓଲ୍ହେଇ ଆସେ, ଆଉ ଭାବେ ମୁଁ ବି ଦିନେ ଉଡ଼ନ୍ତି କି ଆକାଶରେ !

ଦିନ ଗଡ଼ିଲା, ମାସ ପୁରିଲା ଆଉ ନୂଆବର୍ଷ ସବୁ ଆସି ଚାଲିଗଲେ l ମୁଁ ବଡ଼ ହୋଇଗଲି ଆମ ପରିବାରର ସୁଖ ଆଉ ଦୁଃଖ ସହିତ l ବାପାଙ୍କ ଦେହ ଭଲ ରହୁ ନଥିଲା ଆଉ ଅନେକ ଦିନରୁ ମୋ ବୋଉ ଆର ଦୁନିଆକୁ ଚାଲି ଯାଇଥିଲା l ବାପା ମୋ ବାହାଘର ସୁଧାଂଶୁ ଙ୍କ ସଂଗେ କରିଦେଲେ l ବାହାଘର ପୂର୍ବରୁ ସୁଧାଂଶୁ ତିନି ବର୍ଷ ଆମେରିକାରେ ରହି ପୋଷ୍ଟଡକ୍ କାମ କରିଥିଲେ l ତାଙ୍କଠାରୁ ମୁଁ ଆମେରିକା ବିଷୟରେ କିଛି କଥା ଶୁଣିଥିଲି l ସୁଧାଂଶୁ ମୁମ୍ବଈରେ ଚାକିରୀ କରୁଥିଲେ l ସେଠି ଆମର ଦୁଇଟି ପିଲା ହୋଇଥିଲେ l ଉଣେଇଶଶହ ସତସ୍ତରୀ ମସିହାରେ ଚାକିରୀ ପାଇଁ ସୁଧାଂଶୁ ଆମେରିକା ଆସିବାକୁ ଠିକ୍ କଲେ l ତାଙ୍କ କହିବାରେ ତାଙ୍କୁ ଚାକିରୀରେ ଅଧିକ ସୁଯୋଗ ମିଳିଵ ଆଉ ପିଲାଙ୍କର ପଢା ବି ଭଲହେବ ଆମେରିକାରେ l ମୁଁ ସେତେବେଳେ ମୁମ୍ବଈରେ ରହିବାରେ ଅଭ୍ୟସ୍ତ ହୋଇ ଯାଇଥିଲି ଯାହା ଆମ ଓଡ଼ିଶାର ରହଣୀ ଅପେକ୍ଷା ଭିନ୍ନ ଥିଲା l ମୁମ୍ବାଇର ଟ୍ରେନ୍, ବସ୍ ରେ ଯାଇ ମାର୍କେଟରୁ ଘର ପାଇଁ ସବୁ ଜିନିଷ କିଣି ଆଣିବା ଅଭ୍ୟାସ ହୋଇ ଯାଇଥିଲା l 

ତେଣୁ ମୋ ମନରେ କିଛି ଦ୍ୱନ୍ଦ୍ୱ ଆସିଥିଲା l ମୋର ସାଙ୍ଗ, ନିତି ଦିନର କାର୍ଯ୍ୟ ସବୁକୁ ଛାଡି ଏତେ ଦୁରକୁ ଆସିବାକୁ ଇଛା ନ ଥିଲେ ବି ମୁଁ ନୀରବ ରହିଲି l ସେତେବେଳେ ଇଣ୍ଟରନେଟର ଯୁଗ ନଥିଲା l ମୁଁ ଆମେରିକା ବିଷୟରେ ବେଶି ଜାଣି ନ ଥିଲି l ଯା ହେଉ ମୁଁ ଖୁସିଥିଲି ଯେ ଆମେରିକାକୁ ଆମେ ଉଡ଼ାଜାହାଜରେ  ଉଡି ଆସିବୁ ବୋଲି l ମୁଁ କେବେ ଉଡାଜାହାଜରେ ବସି ନ ଥିଲି l ସିନେମାରେ ଉଡ଼ାଜାହାଜର ବାହାର, ଭିତର କେତେଥର ଦେଖିଥିଲି l ଯିବାର ଦିନ ପାଖ ହେବା ସମୟରେ ଭାବୁଥିଲି କୋଉଠି ଆମେ କେମିତି ବସିବୁ ବୋଲି l ସୁଧାଂଶୁ ଆଗରୁ ଆସି କାମରେ ଯୋଗ ଦେଇଥିଲେ l ଛ ମାସ ପରେ ମୁଁ ପିଲାଙ୍କୁ ନେଇ ଏକା ଆସିଥିଲି l ପିଲାଙ୍କର ଡର, କାନ୍ଦକୁ ସମ୍ଭାଳି ବସିବା ଚୌକିର ପଟି ବାନ୍ଧିଲା ପରେ ଉଡ଼ାଜାହାଜରେ ବସିଥିବା ଲୋକମାନଙ୍କୁ ଖାଲି ଦେଖିଲି ଡରରେ l ତେଣୁ ପକ୍ଷୀ ପରି ଉଡିବାର ଭାବକୁ ଆଡେଇ କେମିତି ପିଲାଙ୍କୁ ଧରି ଆମେରିକାରେ ପହଂଚିବି ସେଇ କଥାଟି ମନରେ ବାଟଯାକ ଭାବୁଥିଲି l 

ଆମେରିକାରେ ଆସି ସେପ୍ଟମ୍ବର ମାସରେ ଆମେ ପହଁଚିଲୁ l କିଛିଦିନ ପରେ ଏଠି ଶୀତ ଆରମ୍ଭ ହୋଇଗଲା l ପୁରୀ, ମୁମ୍ବଈ ପରି ସମୁଦ୍ରକୂଳ ଜାଗାରୁ ଆସି ଚିକାଗୋର ଶୀତଦିନର ବରଫ ଦେଖି ମୁଁ  ପ୍ରଥମେ ଆମ ଦେଶକୁ ମନେ ପକାଇଲି l ପରେ ଭାବିଲି ଆମେରିକାରେ ରହିବା ଆମ ଭାଗ୍ୟରେ ଅଛି l ତେଣୁ ଏଠାକାର  ରହିବା ଚଳଣିରେ ଅଭ୍ୟସ୍ତ ହେବା ଠିକ୍ ହେବ l କଥାରେ କହନ୍ତି “ଯେ ଦେଶ ଯାଇ ସେ ଫଳ ଖାଇ” l ତେଣୁ ଏଠାକାର ଚଳଣି, ପାଗ, ଦୋକାନ ବଜାର ସହିତ ନିଜକୁ ବ୍ୟବସ୍ଥିତ କରି ନେବାକୁ ଭାବିନେଲି l ସବୁଠାରୁ ପ୍ରଥମେ ଦେଖିଲି ଏଠି ନିଜର କାମ ସବୁ ନିଜକୁ କରିବାକୁ ହେବ l ଘର କାମ ପାଇଁ ମୁମ୍ବଈ ପରି କେହି ଆସି ସାହାଯ୍ୟ କରିବାର ଭାଗ୍ୟ ନାହିଁ l ଘର କାମ, ବାହାର କାମ, ଘାସ କାଟିବା, ଶୀତଦିନରେ ବରଫ ସଫା କରିବା ଆଉ ନିଜେ ଗାଡି ଚଳାଇ ବାହାରୁ ଘର ପାଇଁ ସଉଦା, ପରିବା ଇତ୍ୟାଦି ଆଣିବା ସବୁ କାମ ନିଜକୁ ହିଁ କରିବାକୁ ହେବ l ମୁଁ ଆଗ ଗାଡି ଚଲେଇବା ଶିଖିଲି କାରଣ ପିଲା ଦୁହିଁଙ୍କୁ ପାଠାଗାର ବା ସ୍କୁଲକୁ ନେବା ପାଇଁ ଗାଡି ଚଲାଇବା ଦରକାର ଥିଲା l 

ଆମେ ଚିକାଗୋର ଉପନଗରରେ ରହୁଥିଲୁ l ତେଣୁ ସେ ଜାଗାରେ ବସ୍ ରେ ଯିବା ଆସିବାର ସୁବିଧା ନ ଥିଲା l ମତେ ଭାରି ଏକୁଟିଆ ଲାଗୁଥିଲା ସେଠାରେ l ମୋର ସବୁବେଳେ ସାଙ୍ଗମାନଙ୍କ ଆଉ ଘର କଥା ମନେ ପଡୁଥିଲା, ପିଲାମାନେ ସ୍କୁଲକୁ ଗଲାପରେ l ଆମ ଆଡ଼ ପରି ପାଖ, ପଡିଶା ଲୋକଙ୍କ ସାଙ୍ଗେ ମିଶି କଥା ହେବାର ସୁବିଧା ନଥିଲା l ଏଠାରେ ସ୍ତ୍ରୀ ଲୋକମାନେ ସମସ୍ତେ ନିଜ କାମରେ  ବ୍ୟସ୍ତ ରହନ୍ତି ବା କାମକୁ ଯିବାର ଜାଣିଲି l ତେଣୁ ଗପ କରି ସମୟ କଟେଇବା ହେବନି ବୋଲି ଜାଣିଗଲି କିଛିଦିନ ଏଠାରେ ରହିବା ସମୟ ଭିତରେ l କିଛିଦିନ ପରେ ଆମ ମେଲବକ୍ସରେ ଯୋଡିଏ ମୋଟା, ମୋଟା ହଳଦିଆ ବହି ଆସି ପହଁଚିଲା l ଦିନ ସାରା ସେ ବହି ଯୋଡିକୁ ପୃଷ୍ଠା ପରେ ପୃଷ୍ଠା ହାତରେ ଧରି ଦେଖିଲି l ଜାଣିଲି ସେଇଟା ଏଠିକାର ଫୋନ୍ ବହି ଯେଉଁଥିରେ ସମସ୍ତଙ୍କର ଫୋନ ନମ୍ବର ଆଉ ଠିକଣା ଲେଖାଥିଲା l ମୁଁ ପଢିବାକୁ ଲାଗିଲି ସମସ୍ତଙ୍କ ନାଁ, ଆଉ ଦେଖିଲି ମିଶ୍ର ପଙ୍କଜ, ସାହୁ ରାମ ଶରଣ, ମହାନ୍ତି ଦିଲ୍ଲୀପ, ଦାଶ ପ୍ରଦୀପ୍ତ, ସାମଲ କରୁଣାନିଧି ଇତ୍ୟାଦି ଭାରତୀୟ ଆଉ ଓଡ଼ିଆ ନାଁ ସବୁ ଲେଖା ହୋଇଛି l ଭାବିଲି ସନ୍ଧ୍ୟାବେଳେ କିଛି ଓଡ଼ିଆ ଲୋକଙ୍କୁ ଡାକି କହିବି ଆମେ ଏଠାରେ ନୁଆ ବୋଲି l ସେମାନଙ୍କ ଠାରୁ କିଛି ପରାମର୍ଶ ମିଳିପାରେ ଏଠି କେମିତି ସମୟ କାଟିବାକୁ l ସଂନ୍ଧ୍ୟା ବେଳେ ସୁଧାଂଶୁ କାମରୁ ଆସିଲା ପରେ ତାଙ୍କୁ ମୋର ମନକଥା କହିଲି l ମୋ କଥା ଶୁଣି ସିଏ କହିଲେ ଭଲ କଥା କିନ୍ତୁ ଦେଖିବୁ, ସେମାନେ କୋଉ ସହରରେ ରହନ୍ତି ? ଖୋଜି ଖୋଜି କିଛି ଲୋକ ଆମ ସହର ପାଖରେ ରହୁଥିବାର ଜାଣିଲି l ସେ ନାଁ ଗୁଡିକୁ ହାଇଲାଇଟ୍ କରି ଗୋଟିକ ପରେ ଗୋଟିଏ ଲୋକଙ୍କୁ ବିଭିନ୍ନ ସମୟରେ ଫୋନ୍ ରେ ଡାକିଲି l କେତେ ଜଣ ଲୋକ ଆମ ପୁରୀ ଆଉ କଟକର ଥିଲେ l ସେଇ ଲୋକଙ୍କ ଭିତରୁ ସୁଧାଂଶୁଙ୍କର ଜଣେ ସାଙ୍ଗ ଆଉ ମୋର ଜଣେ ଦୂରରେ ଥିବା ବନ୍ଧୁ ବାନ୍ଧବର ଲୋକଙ୍କୁ ଜାଣିଲି l ଆମକୁ ସେମାନେ କହିଲେ ତାଙ୍କ ସଂଗେ ଶନିବାର, ଆଉ ରବିବାର ଛୁଟିଦିନରେ ଏକାଠି ହେବାକୁ l ମୁଁ ଖୁସି ହେଲି ଯେ, କିଛି ଲୋକଙ୍କ ସାଙ୍ଗେ ମିଶିବାକୁ ସୁବିଧା ମିଳିବ l 

କିଛି ମାସ ଭିନ୍ନ ଭିନ୍ନ ଲୋକଙ୍କ ଘରେ ମିଶି ଖାଇବା, ପିଇବା କରି ସମୟ ଭଲରେ କଟିଲା l ଏହା ଭିତରେ ଥାଙ୍କସ୍ ଗିଭିଂଗ ଆଉ ବଡ଼ଦିନ ଛୁଟି ଆସିଲା l ସେତେବେଳେ ଆମ ସହର ଆଉ ଆଖ ପାଖରେ ମିଶି ବାରଟି ପରିବାର କୋଡିଏ ମାଇଲ ଭିତରେ ଥିଲୁ l ଭାବିଲୁ ଆମେ ଆମର ଗଣେଶ ଆଉ ସରସ୍ଵତୀ ପୂଜା ମିଶି କରିବାକୁ l ତାହାଲେ ପିଲାମାନେ ଜାଣିବେ ଆମ ଦିଅଁ ଆଉ ପର୍ବ ବିଷୟରେ l କେତେ ଥର ପାଳି କରି ଜଣ ଜଣଙ୍କ ଘରେ ପୂଜା କଲୁ l କିନ୍ତୁ ବେଶି ଲୋକ ହେବାରୁ ଭାବିଲୁ ଏଠାରେ ଥିବା ହିନ୍ଦୁ ମନ୍ଦିର ମାନଙ୍କରେ ଗୋଟେ ଦିନ ଭଡା ନେଇ କୁମାର ପୁର୍ଣିମା, ଗଣେଶ ପୂଜା, ହୋଲି, ଆଉ ସରସ୍ଵତୀ ପୂଜା କରିବାକୁ l ଭାବିଲୁ ମନ୍ଦିରରେ ପୂଜା ପାଳନ କଲେ ଅନ୍ୟମାନେ ଆମ ପର୍ବ ବିଷୟରେ ଜାଣିବେ l  ପିଲାମାନେ ନାଚ ଗୀତ, ଡ୍ରାମା, ଚିତ୍ରାଙ୍କନ ଇତ୍ୟାଦି କରି ପାରିବେ l ଆମ ଓଡିଶା ରେ ପର୍ବ ଗୁଡିକ ଟିକିଏ ଭିନ୍ନ ପ୍ରକାରରେ ପାଳନ ହୁଏ l ଆମେ ଓଡ଼ିଆ ଖାଦ୍ୟ ବି ଘରେ ରୋଷେଇ କରି ପୂଜାକୁ ନେଉଥିଲୁ l ଆମେରିକାରେ ଥିବା ଅନ୍ୟ ଭାରତୀୟ ମାନେ ଯେଉଁମାନେ ମନ୍ଦିରକୁ ଆସୁଥିଲେ ସେମାନେ ବି ପ୍ରସାଦ ଖାଉଥିଲେ ଆମେ ନେଇଥିବା ଖାଦ୍ୟରୁ l ସମସ୍ତେ ଖୁସିରେ ଆମ ଖାଦ୍ୟର ପ୍ରଶଂଶା କରୁଥିଲେ l ଓଡିଶା ସ୍ତ୍ରୀ ମାନଙ୍କର ସମ୍ବଲପୁରୀ ଶାଢ଼ୀ ଆଉ ସମ୍ବଲପୁରୀ କନାରେ ତିଆରି ପୁରୁଷ ମାନଙ୍କର ପୋଷାକକୁ ବି ସମସ୍ତଙ୍କୁ ପସନ୍ଦ ଆସୁଥିଲା l ଲୋକ ମାନଙ୍କର ଆଗ୍ରହ ଦେଖି କେତେ ଓଡ଼ିଆ ଲୋକ ଟେବୁଲଟିଏ ରଖି ତା ଉପରେ ଶାଢ଼ୀ, ତାରକସି କାମର ରୂପ ଗହଣା, ପଟ୍ଟଚିତ୍ର ଇତ୍ୟାଦି ଓଡ଼ିଶାର ହସ୍ତକଳା ଜିନିଷ ବିକ୍ରୀ କରିବାକୁ ଆରମ୍ଭ କଲେ ମନ୍ଦିରରେ l ପରେ ଓଡ଼ିଆ ମାନେ ମିଶି ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ମାଙ୍କ ମୂର୍ତ୍ତି ମନ୍ଦିରରେ ରଖିବାର ବ୍ୟବସ୍ଥା  କଲେ ଓ ନିୟମିତ ଭାବେ ପ୍ରଭୁଙ୍କ ପୂଜା ଆରମ୍ଭ ହେଲା l 

ଧୀରେ ଧୀରେ ଅନ୍ୟ ସହରରେ ଓଡ଼ିଆ ମାନେ ମିଶି ଜଗନ୍ନାଥଙ୍କ ପୂଜା ଆରମ୍ଭ କଲେ ସେଠାରେ ଥିବା ହିନ୍ଦୁ ମନ୍ଦିରରେ l ଜୁଲାଇ ମାସରେ ଜଗନ୍ନାଥଙ୍କର ରଥ ଯାତ୍ରା ମନ୍ଦିର ବାହାରେ କରିବା ବି ଆରମ୍ଭ କରାହେଉଛି l ପ୍ରଥମେ ନେଶଭିଲ୍ ରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିଲା l ସେଠାରେ ରଥଯାତ୍ରା ଅତି ସୁନ୍ଦର ଭାବେ ପ୍ରଥମେ ଆରମ୍ଭ ହୋଇଥିଲା l ରଥଟଣାରେ କେବଳ ଓଡ଼ିଆ ଲୋକ ନୁହଁନ୍ତି, ଆମେରିକାର ସବୁ ଲୋକମାନେ ଯୋଗ ଦିଅନ୍ତି l ଲୋକ ମାନେ ରଥକୁ କିଛି ବାଟ ଟାଣି ନିଅନ୍ତି ଦଉଡ଼ି ଦ୍ୱାରା l ଖରାଦିନରେ ସମସ୍ତେ ବାହାରେ ରଥଯାତ୍ରାକୁ ବହୁତ ଉପଭୋଗ କରନ୍ତି l ଖରାରେ ରଥଟଣା ପରେ ଆମ ପୁରୀର ଟଂକ ତୋରାଣି ପରି ଲୁଣିଆ ପତଳା ଦହିର ଲସି ପିଅନ୍ତି ଆଉ ସାନ ଠାରୁ ବଡ଼ ପର୍ଯ୍ୟନ୍ତ ସବୁ ଲୋକମାନେ "ଜୟ ଜଗନ୍ନାଥ" କହି ରଥ ଚାରିପଟେ ଘେରି ରହନ୍ତି l ଆମ ସଂସ୍କୃତି ଅନୁସାରେ ଏବେ ଓଡିଶୀ ନାଚ ହୁଏ ରଥଟଣା ପରେ l ଓଡିଶୀ ଗୀତ ବି ବୋଲା ହୁଏ ରଥଯାତ୍ରାରେ l ଓଡିଶୀ ନାଚର ପ୍ରସାର ଏବେ ବହୁତ ହେଲାଣି l ଅନେକ ଲୋକ ବାହାରୁ ନାଚ, ଗୀତ ଦେଖିବା ପାଇଁ ଆସୁଛନ୍ତି l ବିଭିନ୍ନ ଜାଗାରେ ନାଚ, ଗୀତ ପାଇଁ  ସ୍କୁଲ ଏବେ ହେଲାଣି l ବର୍ତ୍ତମାନ ବାରଟି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି l ଆମେରିକାରେ ଲୋକମାନେ ଜାଣୁଛନ୍ତି ଆମ ଓଡିଶା ନାଚ, ଗୀତ, ଭାସ୍କର ବିଦ୍ୟାରେ କେତେ ଉନ୍ନତ  l ସାରା ଆମେରିକାରେ ଲୋକମାନେ ଜାଣିଲେଣି ଆମେ କେବଳ ଉଚ୍ଚଶିକ୍ଷା ଆଉ କାମ ପାଇଁ ନୁହେଁ ବିଭିନ୍ନ କଳାରେ ନିପୁଣ ଆଉ ଅନବରତ ଏଠିକାର ସମାଜର ବିକାଶରେ ଅଂଶଦାନ କରୁଛୁ l ବିଭିନ୍ନ ସ୍କୁଲ, କଲେଜରେ ପିଲାମାନେ ଓଡିଶୀ ନାଚ ଆଉ ଗୀତର କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ଆମ କଳା ବିଷୟରେ ଅଵଗତ କରାଉଛନ୍ତି l ଖୁସି ଆଉ ଗର୍ବର ବିଷୟ ଆମେରିକାରେ ଥିବା ଭାରତୀୟ ଆଉ ଅନ୍ୟଦେଶର ଲୋକମାନେ ଏବେ ଆମ କଳା, ସାହିତ୍ୟ ଓ ସଂଗୀତ ବିଷୟରେ ଜାଣିଲେଣି l ଏବେ  ଜଗନ୍ନାଥଙ୍କ  ପାଇଁ ସ୍ୱତନ୍ତ୍ର ମନ୍ଦିର ତିଆରି କରିବା ପାଇଁ ସବୁ ଓଡ଼ିଆମାନେ ଲାଗି ପଡିଛନ୍ତି  l 

ଆମେରିକାକୁ ପ୍ରଥମେ ଆସିଥିବା ବୟସ୍କ ଲୋକ ମାନେ ମିଶି ଓଷା (ଓଡିଶା ସୋସାଇଟି ଅଫ ଆମେରିକା) ସଂଗଠନ ଉଣେଇଶଶହ ଏକାଅଶୀ ମସିହାରେ ଗଢ଼ିଛନ୍ତି l ଓଷା ସଂଗଠନ ଓଡିଶା ଆଉ ଆମେରିକାର ଅନେକ ବିଭାଗରେ ଉନ୍ନତି ଆଣୁଛନ୍ତି l ପ୍ରତିବର୍ଷ ଜୁଲାଇ ମାସରେ ଗୋଟିଏ ସହରରେ ଓଷାର ବାର୍ଷିକ ସମ୍ମିଳନୀ ହେଉଛି l ସେଠାରେ ତିନି ଦିନ କାଳ ଅନେକ ଓଡ଼ିଆ ଏକାଠି ହୋଇ ଆମର କଳା, ସାହିତ୍ୟ, ବିଜ୍ଞାନ ଇତ୍ୟାଦି ଵିସୟରେ ଆଲୋଚନା କରନ୍ତି l ଉପସ୍ଥିତ ଓଡ଼ିଆମାନେ ପରସ୍ପର ଭିତରେ ଥିବା ବନ୍ଧୁତାକୁ ଦୃଢ଼ କରନ୍ତି ଆଉ ନୂଆ ଲୋକ ମାନଙ୍କୁ ସ୍ୱାଗତ କରନ୍ତି l ଛୋଟ ଛୋଟ ନାଟକ ମାଧ୍ୟମରେ ଆମ ପରମ୍ପରା, ସଂସ୍କୃତିକୁ ଆମଭିତରେ ଦୋହରାଇ ଦିଅନ୍ତି  l ଏଠାରେ ଥିବା ପ୍ରତିଭାଶାଳୀ ଓଡ଼ଆ ମାନେ ତାଙ୍କର ପ୍ରତିଭା ଷ୍ଟେଜ୍ ରେ ଉପସ୍ଥିତ କରିପାରନ୍ତି l ବାହାରେ ରହି ଓଡ଼ିଆ ମାନେ ଆମେରିକା ସମାଜର ଧନ, ସମାଜର ଉନ୍ନତି ପାଇଁ ସାହାଯ୍ୟ କରିବା ସାଙ୍ଗରେ ଓଡ଼ିଶାରେ ସ୍କୁଲ, କଲେଜ, ହସ୍ପିଟାଲ ଗଢିବା, ଡାକ୍ତର, ନର୍ସ, ଶିକ୍ଷକ  ମାନଙ୍କ ପାଇଁ ଉଚ୍ଚଶିକ୍ଷା ପାଇଁ ସୁବିଧା କରିବାରେ ସାହାଯ୍ୟ କରୁଛନ୍ତି l  ଓଡ଼ିଶାରେ ଆଧୁନିକ ପାଠାଗାର ମାନଙ୍କର ସୁବିଧା ପାଇଁ କାର୍ଯ୍ୟ ଚାଲିଛି l ଯେତେବେଳେ ଓଡ଼ିଶାରେ ଆକସ୍ମିକ (ଫନି, ସୁନାମି, କୋଭିଡ଼ ବା ବନ୍ୟା) ଆସିଛି ସେତେବେଳେ ଓଷା ସଙ୍ଗଠନ ଆଉ ଏଠାକାର ଓଡ଼ିଆ ମାନେ ଆର୍ଥିକ ଆଉ ଅନ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି l 

ଏବେ ଏଠାରେ ଓଡ଼ିଆ ଭାଷାର ବିସ୍ତାର ପାଇଁ ପିଲା ମାନଙ୍କୁ ଓଡ଼ିଆ ଶିକ୍ଷା ଦିଆ ଯାଉଛି l ମୁଁ ବିଦେଶରେ ରହିଲେବି ଏଠାରେ ଅନେକ ସୁବିଧା ଓଡ଼ିଶାରେ ଥିଲା ପରି ପାଉଥିବାରୁ ନିଜକୁ ସୌଭାଗ୍ୟବତୀ ବୋଲି ଭାବୁଚି l ନୂଆ ଆସିଲା ବେଳେ ମୁଁ ବରଫକୁ ଦେଖି ଡ଼ରୁଥିଲି ଆଉ ସବୁବେଳେ ଓଡିଶାରେ ଥାଆନ୍ତି କି  ବୋଲି ଭାବୁଥିଲି l ଏବେ ମୁଁ ଏଠିକାର ଚଳଣୀ, ଖାଦ୍ୟ, ସଂସ୍କୃତି ସାଙ୍ଗେ ନିଜକୁ ବ୍ୟବସ୍ଥିତ କରି ନେଇଛି l ଆମ ପାଖରେ ଥିବା ଲୋକଙ୍କ ସଂଗେ ମିଶି ତାଙ୍କୁ ଆମର ଖାଦ୍ୟ, ସଂସ୍କୃତି  ସହିତ ପରିଚିତ କରାଉଛି l ମୋ ଠିକଣା ଏବେ ବିଦେଶରେ କିନ୍ତୁ ହୃଦୟରେ ବଂଚିଛି ମୋ ଦେଶର ବାସ୍ନା, ରୀତି, ନୀତି ଆଉ ମୋ ମାଟିର ବାସ୍ନା l ବିହଙ୍ଗ ପରି ଆମେ ଓଡିଶାରୁ ଉଡି ଆସି ଉତ୍କଳର ସଂସ୍କାର, ସଂସ୍କୃତିର ପର ଝାଡି ଦେଇ ଚାଲିଛୁ ଆମେରିକାରେ ବିଭିନ୍ନ ଯାଗା ଆଉ ଅନେକ ଲୋକଙ୍କ ଭିତରେ l

ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଦୂରଭାଷ - +୧୨୬୭୨୪୭୨୪୭୧

VOL.IX,  ISSUE.X,  OCTOBER-2025

Published By Banamallira Mahak

Post a Comment

0Comments
Post a Comment (0)