
ଗଡ଼ିଆରେ ଉବୁଟୁବୁ
ମାଛ, କଙ୍କଡ଼ା, ଗେଣ୍ଡା, ସାପ, ବେଙ୍ଗ ସହ
ଗୋଳିଆ ପାଣିରେ
କାଦୁଅ, ପଙ୍କ ନେସି ହେଇ ଦେହସାରା ।
ତା’ ଭିତରେ ବାକବିତଣ୍ଡା, ଗଣ୍ଡଗୋଳ
ପାଟିମୁଣ୍ଡ, ଫଟାଫଟି, ରଗାରଗି
ଜୀବନ ସେମିତି ବୋଲି
ଧରିନେବା ହିଁ ଭୁଲ ।
ବଦଳେଇ ହେବ ସେ ଜୀବନ
ସେ ସୁଯୋଗ, ଉପାୟ ଅଛି
ଜାଣିଥିଲେ ହେଲା
ଚାହିଁଲେ ହେଲା ।
ଗୋଡ଼ ହାତ ଧୋଇ
ସଫା ସୁତୁରା
ନିରୋଳାରେ, ଆଶ୍ଵସ୍ତରେ
ନିଶ୍ୱାସ ନେବାକୁ ଇଚ୍ଛା ?
ଗଡ଼ିଆ ଧାରରେ ବସି
ଥିରି ଥିରି ପବନରେ
ଚହଲୁଥିବା ପାଣିରେ
କଇଁର ଛବି ଦେଖିବାକୁ ଇଚ୍ଛା ?
ସମ୍ଭବ, ସବୁ ସମ୍ଭବ
ନିଜ ନିଷ୍ପତ୍ତି ଭିତ୍ତିରେ, ଇଚ୍ଛାଧୀନ
ଜୀଇଁ ହେବ ନିଜ ଜୀବନ
ବାହାରି ଆସିହେବ ଗଡ଼ିଆରୁ ।
ଖାପ ଖୁଏଇ ହେବ, ପରିସ୍ଥିତିରେ,
ବୁଝିହେବ, ବଦଳେଇ ହେବ ନିଜକୁ,
ଘୁଞ୍ଚେଇ ହେବନି ସମୟ କି ଚିତ୍ରପଟ
ନିଜ ଇଚ୍ଛାମତେ ବଦଳେଇ ହେବନି ଅନ୍ୟକୁ ।
ଫେରିବା ନିଶ୍ଚିତ ଜାଣି,
ଦି ଦିନର ଯାତ୍ରୀ ପାଇଁ
ଏ ସୃଷ୍ଟିକୁ ଆବୋରିବା,
ଏ ଗଡ଼ିଆରେ ଘାଣ୍ଟି ହେବା ନିରର୍ଥକ ।
ନିରପେକ୍ଷ ଉଦାସୀନତାରେ
ଅତିଥି ପରି, ଦେଖଣାହାରୀର ଭାବନେଇ
ନିରୁତା, ନିଛକ ସତ୍ୟକୁ ଜାବୋଡ଼ି
ଅସଂଲଗ୍ନ ରହିହେବ ।
ଆବହମାନ, ପରିବର୍ତ୍ତନଶୀଳ
ଏ କୋଳାହଳ, ଏ ରୀତିନୀତି
ଭିତରେ ବି ନୀରବ ରହିହେବ
ଉପଭୋଗ କରିହେବ ନାଟକ ।
କନସଲଟାଣ୍ଟ ସାଇକିଆଟ୍ରିଷ୍ଟ
ଅନରାରୀ ପ୍ରଫେସର, ଓଲଭରହାମ୍ପଟନ ୟୁନିଭରସିଟି
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ
VOL.IX, ISSUE.X, OCTOBER-2025
Published By Banamallira Mahak