କି ସୁନ୍ଦର ତାର ଶୋଭା
ସବୁଜିମା ସାଥେ ନୂଆ ଛଇ ତାର
ଦିଶେ ଭାରି ମନୋଲୋଭା ।।
ସକାଳ ସୂରଜ ଉଇଁଲେ ଆକାଶେ
ପାହଡ ମଥାକୁ ଛୁଇଁ
କନକ କିରଣେ ଚମକେ ବରଫ
ଚକ୍ଷୁ ସେଠୁ ନ ଫେରଇ ।।
ଲାଗଇ ସତେ କି ନୀଳ ସରୋବରେ
ଫୁଟିଛି ଶୁଭ୍ରତା ପଦ୍ମ
ରବିର ଭୂଷଣେ ବିଛୁରିତ ରଶ୍ମି
ଉପମା ତା ଅନୁପମ ।।
ବରଦାତାଙ୍କର ବର ଦାନ ଏହି
କାଶ୍ମୀର ସୁଷମା ପାଇଁ
ନୀଳ ନଭଦେଶୁ ଧଳା ବାଦଲ ଯେ
ନିତି ଦୋଳି ଖେଳୁଥାଇ ।।
ବାଡ଼ି ବଗିଚାରେ ନାନା କୁସୁମରେ
ଆମୋଦ ପ୍ରୀତି ବାଣ୍ଟଇ
ନୟନ ଲାଖଇ ତା କାନ୍ତି କୁ ଦେଖି
ଏହି ସେ ଭୂ ସ୍ବର୍ଗ ଭୂଇଁ ।।
ବିହଙ୍ଗ ରାଗିଣୀ କିଣି ନେଇଥାଏ
ନାନା କାକଳିର ଧାରେ
ସେଓ ଓ ବାଦାମ, ନାସପାତି ଫଳ
ସହଜେ ମନକୁ ହରେ ।।
ଲାଗଇ ଅପୂର୍ବ ଡାଲ ହ୍ରଦ ଗୋଟି
ଘରୋଇ ନାବର ବାସ
ରମ୍ୟ ଅଟାଳିକା ରହିଅଛି ସେଠି
ଅପେକ୍ଷାରେ ହସ ହସ ।।
ମନ କିଣି ନିଏ ଅତିଥି ଜନର
ନଉ ବିହାରର ତୀରେ
କାଶ୍ମୀର ପୋଷାକେ କଲେ ପରିଧାନ
ଅତି ଝଲମଲ କରେ ।।
ମାନସ ପଟରେ କାଶ୍ମୀରର ଶୋଭା
ଆଙ୍କି ଦିଏ କେତେ ଛବି
ଆଗନ୍ତୁକ ମନ ସହଜେ କିଣଇ
ସତେ କି ଆପଣା ବିବି ।।
ଶୀତଳତା ରାଜି ପରଷଇ ସୁଖ
ତନ ମନ ନିଏ କିଣି
ପର୍ବତ ମାଳାର ସୁ ଦୀର୍ଘ ପ୍ରାଚୀର
ଲାଗେ ପ୍ରକୃତିର ବେଣୀ ।।
ନାନା ବୃକ୍ଷ ରାଜି ଲାଗେ ତା କୁନ୍ତଳ
ଘେରା ବନ ଉପବନ
ଅଙ୍କାବଙ୍କା ତାର ପଥ ପାର୍ଶ୍ବ ଧାର
ଲାଗେ ନନ୍ଦନକାନନ ।।
ଧରଣୀ କୋଳରେ ଶୋଭାର ଭଣ୍ଡାର
ପୁରି ଅଛି ଏ ଧରାରେ
ତୁଲିଫି ବଗିଚା ଗୁଲମାର୍ଗ ସ୍ଥାନ
ମୋହିନିଏ ତାର ଧାରେ ।।
ପତ୍ନୀଟଅପଟି ଲାଗେ ରମଣୀୟ
ପାଇନବୃକ୍ଷର ରାଜି
ଉଚ୍ଚ ନୀଚ୍ଚ ତାର ଭୂଜଙ୍ଗର ପଥେ
ଭ୍ରମଣେ ଯାଏ ମୁଁ ହଜି ।।
କି ସୁନ୍ଦର ତାର ସୋପାନ ଚାଷର
ଧାଡି ଧାଡି ଶଷ୍ଯ କ୍ଷେତ
ମାନସ ପଟରେ କାଶ୍ମୀର ଲାଗଇ
ଅପସରୀ ଚିତ୍ରପଟ ।।
ଯେତେ ଦେଖୁଥିଲେ ନୂଆ ଲାଗୁଥାଇ
ଏହି ସେ ଶୀତଳ ଭୂଇଁ
ଭାରତର ଏକ ଅବିଛେଦ ଅଙ୍ଗ
ଭାବନାରୁ ଦେଲି କହି ।।
କବି ନୁହେଁ ମୁହିଁ ଲେଖଇ କବିତା
ବାସ୍ତବତା ଭାବନାରେ
ଟିକି ସ୍ମୃତି ଏହି ଦେଖିଲା କହାଣୀ
ଲେଖି ଦେଲି ଲେଖନୀରେ ।।
ଅଠରବାଟିଆ, ବାଲୁଗାଁ, ଖୋରଧା
