କାନେ ତୁନି ତୁନି କହେ କେ ସଖୀ
ରସ କଲ୍ଲୋଳ ହିଲ୍ଲୋଳ ମାରୁଛି
ହାସ୍ୟ ରେଖା ଖେଳେ ଅଧର ଧାରେ
ଭଉଁରୀ ରଚାଇ ଗଣ୍ଡ ମଣ୍ଡଳେ
ଦର ଖୋଲା ମୁଖ ଶୋଭା ଯେ
ଅଧା ବିକଶିତ ରକତ କମଳ
ଅଟକି ଯାଇଛି ଅବା ଯେ।
ଅଧରୁ ଝରୁଛି ସୁଧା ମଧୁର
ପ୍ରତିଧ୍ବନିତ ବି ନୁହେ ନିକର
ଅଳପ ଦିଶୁଛି କୁନ୍ଦ ଦଶନ
ଲାସ୍ୟ ହାସ୍ୟ ରେଖା ମନୋଭାବନ
ମନ୍ଦାର ମଧ୍ୟେ ପରାଗ ଯେ
ଅସ୍ତ ରବି ଛବି ସରସି ର ଜଳେ
ଶୋଇଛି ଶ୍ୱେତ କୁମୁଦ ଯେ।।
ଉନ୍ମୁକ୍ତ କୁନ୍ତଳ କୁଞ୍ଚିତ ଲଟ
ମୁଖଶଶି ଦେଖି କରେ ଆଲଟ,
ସୁଧିର ସମୀରେ ଝୁଲି ଝୁଲି କା,
ଭ୍ରମର କି ଚୁମେ ନବ ମଲ୍ଲିକା ।
କରଜ କମଳ କଳି ଯେ
କୋମଳ ପରଶେ ହଟାଏ ଲଟ କି
କୁନ୍ତଳେ କରଇ ଅଳି ଯେ।।
ଭୃଳତା ର ତଳେ ନେତ୍ର କଜଳ
ପୀରତି ଧନୂ ରେ ପ୍ରତ୍ୟାଞ୍ଚା ତାର
ବାର ବାର ମାର ମାରେ କମାଣ
ଶିକାର ହେବାକୁ ଆତୁର ମନ।
ଆଡ଼ ନେତ୍ରେ ବାରେ ଦେଖ ଯେ
ସନ୍ତାପିତ ପ୍ରାଣ ଲଭିବ ଦର୍ଶନ
ଯତି ମତି ଲୋଭା ରୂପ ଯେ।।
ଅରୁଣୀମା ଢାଳି ଚିବୁକ ତଳେ
ରଚେ ଚିତ୍ରଲେଖା ମୁରୁଜ ଧାରେ।
ସଜ ହୋଇ ଲାଜ ଅବା ବସିଛି
କଉତୁକେ ମିତ ମତି ରସୁଛି
ମରମେ ସରମ ଯାଇ ଯେ
ଥଣ୍ଡା ଛାତି ତଳୁ ଗରମ ପ୍ରଶ୍ବାସ
ବାହାର କରିବା ପାଇଁ ଯେ।।
ଗଜଗାମିନୀ (ଭାଗ-୨) - ବାମନ ଚନ୍ଦ୍ର ଦୀକ୍ଷିତ
June 29, 2018
0
