ଦେଖିଛ କି ଭାଇ ଦେଖିଛ କି
ଥୋଡ଼ ନଥିବା ସେ କାଳିଆ ହାତୀର
ଝୁଲି ଝୁଲି ଚାଲି ଦେଖିଛ କି ? ॥୦॥

ବରଷକେ ଥରେ ସ୍ନାନ କରିଯାଏ
ଧାଡ଼ି ବାନ୍ଧିଥା'ନ୍ତି ଦଇତା ପତିଏ
ଏକ ଦୁଇ ନୁହେଁ ଶହେ ଆଠ କୁମ୍ଭ
ଢାଳି ହୋଇ କମ୍ପେ ଜରରେ କି ?
ଦେଖିଛ କି ଭାଇ ଦେଖିଛ କି ॥୧॥

ଅଣସର ଘରେ ପଡ଼ିରହିଥାଏ
ପାଚନ ପିଇ ତା' ଦିନ କଟିଯାଏ
ଚକା ଆଖି ତୋରା ନେତ୍ର ଉତ୍ସବରେ
ତୁମ ମନ ଆଖି ଖୋଲିଛ କି ?
ଦେଖିଛ କି ଭାଇ ଦେଖିଛ କି ॥୨॥

ଉଡ଼ାଉଅଛି ସେ ପତିତପାବନ
ଯାଚି ଦେଉଥାଏ ଅନ୍ନକୁ ବ୍ୟଞ୍ଜନ
ଲକ୍ଷ୍ମୀଠାକୁରାଣୀ ସରସ ରାନ୍ଧଣା
ଟଙ୍କତୋରାଣିକି ଚାଖିଛ କି ?
ଦେଖିଛ କି ଭାଇ ଦେଖିଛ କି ॥୩॥

ବିନା ଦଉଡ଼ିରେ ବାନ୍ଧି ହୋଇଯାଏ
ଲୁହା ଶିକୁଳି ବି ଛିଣ୍ଡାଇ ପକାଏ
ମନଜ୍ଞାନ ଦଶ ଇନ୍ଦ୍ରିୟକୁ ତେଜି
ଖୋଲା ହୃଦୟରେ ଜାକିଛ କି ?
ଦେଖିଛ କି ଭାଇ ଦେଖିଛ କି ॥୪॥

~*~*~*~*~*~*~*~*~
ଗୀତିକାର - ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~


ରଚନା : ଶ୍ରୀ ରଙ୍ଗନାଥ ରଥ

ଠିକଣା : ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~
ଦୂରଭାଷ : 8847848858