ଆସ ବାମଦେବ ବାମା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଶରତ ମରତ ଭୁଇଁରେ ଆଗତ ସ୍ଵାଗତ ମଙ୍ଗଳ ସଙ୍ଗୀତ 
ପାର୍ବଣ ଲଗନେ ସରବେ ମଗନେ ଗାଉଛନ୍ତି ହୋଇ ମୋହିତ
ସବୁଜ ‌ବରଣା ଧରଣୀ 
ଦିଶଇ ସୁନ୍ଦର ରମ୍ୟ ମନୋହର ଆସିବେ ତ ଦେବୀ ଭବାନୀ  ।।

ପ୍ରଭାତୀ ଆକାଶେ ନବୀନ ତରୁଣ ଅରୁଣ ଶୀତଳ ପରଶ
ଶୁଭ୍ର ଜ୍ୟୋତି କର ହରସେ ପରସେ ପ୍ରକୃତି ବିନୋଦ ବିଳାସ
କାଶତଣ୍ତି ଶୁକ୍ଳ ଚାମର
ଅନୀଳ ଚଞ୍ଚଳ ଦୋଳାରେ ଦୋଳିତ ଆସିଛି ଶରତ ସକାଳ  ।।

ଶୁଭ୍ରାଂଶୁ ଶରତେ ରଜତ ଜୋଛନା ବିଛାଇ ଶିଶିର ମୁକୁତା 
ଯିବା ପରେ ରବି ରଶ୍ମୀ ପରଶରେ ମଣିମୟ ହାର ମଣ୍ଡିତା
କାଶ୍ୟପୀ ମଞ୍ଜୁଳ ବେଦୀରେ   
ହୈମବତୀ ସତୀ ମଣ୍ଡିବେ ଧରିତ୍ରୀ ସାଜାଇଛି ଚିତ୍ର ଶୃଙ୍ଗାରେ ।।

ଗଙ୍ଗଶିଉଳିର କୋମଳ ଗାଲିଚା ବିଛାଇ ଚାହିଁଛି ଅଵନୀ
ହୈମବତୀ ସତୀ ଅପର୍ଣ୍ଣା ଆସନ୍ତି ସୌରଭ ପୁରିତ ମେଦିନୀ
ଅନୀତି ଦୁର୍ନୀତି ଅସୁର
ସଂହାର କରିବାପାଇଁ ମହାଦେବୀ ହେଇ ହୋଇଲେଣି ବାହାର ।।

ବିବିଧ ବାଜଣା ତୁରୀ ମହୁରୀର ଅମୀୟ ସ୍ଵରରେ ଧରଣୀ
ହର୍ଷୋତ୍ଫୁଲ୍ଲ ଉଲ୍ଲାସରେ ବିମୋହିତ ଆସୁଛନ୍ତି ବୋଲି ଭବାନୀ
ବରଦ ହସ୍ତକୁ ପ୍ରସାରି
ଆସ ମହାଦେବୀ ଦୁଃଖ ଦୈନ୍ୟ ରୂପି ବିକଟ ରାକ୍ଷସ ସଂହାରି  ।।

ଘୋର ସିଂହ ପୃଷ୍ଠେ ବସି ମହାମାୟା ଆସ ଦେବୀ ଭଗବତୀ
ବିଚିତ୍ର ତୋରଣ ରତ୍ନ ସିଂହାସନ ରଖିଛି ସାଇତି ପ୍ରକୃତି 
ବାମଦେବ ବାମା ଜନନୀ
ଶାନ୍ତି, ମୈତ୍ରୀ, ପ୍ରିତୀ ଅମୃତ ପରସି ପୂଣ୍ୟମୟ କରି ଧରଣୀ  ।।

ମଙ୍ଗଳାଯୋଡି, ଖୋର୍ଦ୍ଧା

VOL.IX,  ISSUE.X,  OCTOBER-2025

Published By Banamallira Mahak

Post a Comment

0Comments
Post a Comment (0)