
ତେର ନଈ ସାତ ଦରିଆ ସେପାରେ
ବୁଝନ୍ତା କିପରି ମାଆର ମନ,
ଧରିତ୍ରୀ ମାତାର ବିଚିତ୍ର ବୁକୁରେ
ପ୍ରବାସେ ସମର୍ପି ଆପଣା ଜନ ॥
ଭୂମିରେ ସାଗର ବିଶାଳ ଗଭୀର
ଆକାଶ ମଧ୍ୟରେ ଘନସାଗର,
ତନ୍ମଧ୍ୟରେ ଚଳେ ବ୍ୟୋମ ବିମାନଟି
ମନ ଚଳୁଥାଏ ତହୁଁ ପ୍ରଖର ॥
ବିଦେଶ ମାଟିରେ ଥାପିଦେଲେ ପାଦ
ତନୁମନେ ଜାଗିଉଠେ ପୁଲକ,
ସ୍ଥାବର ଜଙ୍ଗମ ତରୁ ପୁଷ୍ପ ତୃଣ
ନବ ସମୀରଣ ନବ ଆଲୋକ ॥
ଆଖି ମୁଦିଦେଇ ଖୋଲିବା ବେଳକୁ
ଓଲଟି ଯାଏକି ସମ୍ପୂର୍ଣ୍ଣ ଧରା,
ହେମାଳ ପବନ ଆଣେ ଶିହରଣ
ଗ୍ରୀଷମ ବରଷା ନ ଦିଏ ଧରା ॥
ପ୍ରିୟଜନେ ମିଳି ସ୍ନେହ ପ୍ରେମଗୋଳି
ସନ୍ତାପିତ ପ୍ରାଣ ହେଲା ଶୀତଳ,
ଦିନ ମାସ ଋତୁ ସୂର୍ଯ୍ୟ ଚନ୍ଦ୍ର ତାରା
ନିରେଖଇ ବସି ସଞ୍ଜ ସକାଳ ॥
କୁହେଳିକାମୁକ୍ତ ତପନ କିରଣ
ବିଞ୍ଚି ହୋଇଯାଏ ଧରଣୀ ଗାତ୍ରେ,
ସରିତ ସରସୀ ରଜତର କାନ୍ତି
ଭ୍ରମରେ ଧାମନ୍ତି ପୁଷ୍ପରୁ ପତ୍ରେ ॥
ଭ୍ରାନ୍ତ ମାନବର ପାର୍ଥିବ ଆଶାକୁ
ଅନନ୍ତ ଜୀବନ ଭ୍ରାନ୍ତିକୁ ଘେନି,
ସୃଷ୍ଟି ରହସ୍ୟର ଗାମ୍ଭୀର୍ଯ୍ୟକୁ ଘେନି
ଉଜ୍ଜ୍ୱଳ ଦିବସ ତମୋ ରଜନୀ ॥
ସନ୍ଧ୍ୟା ଆଗମନେ ଶିଶିରସିକ୍ତ ଯେ
ପ୍ରକୃତି ଶୋଭାର ନାହିଁ ଉପମା,
ସୀତାଂଶୁର ଅଂଶୁମାଳା ବକ୍ଷେ ଶୋହେ
ଜଗତ ବ୍ୟାପିନୀ ଶୁଭ୍ର ସୁଷମା ॥
ଚିର ହରିତର ବହଳ ଶାଖାରେ
କ୍ଷୁଦ୍ର ପକ୍ଷୀଙ୍କର କଳ କୂଜନ,
ନାହିଁ ତିନିଗାର ଦୀର୍ଘ ଗୁଣ୍ଡୁଚିର
ବିଚିତ୍ର ଲାଗଇ କାଉର ସ୍ଵନ ॥
ଚେରି ବେରି କୋଳି ପଥଧାରେ ମିଳି
ବିଞ୍ଚି ପଡ଼ିଅଛି ଅମୃତ ଫଳ,
ଭ୍ରମନ୍ତି ନାହିଁ ତ ପାଳିତ ପଶୁଏ
ଭକ୍ଷି ଉଡ଼ୁଥାନ୍ତି ବିହଙ୍ଗକୁଳ ॥
କ୍ଷଣେ ଭ୍ରମୁଥାଏ ଅନ୍ଧାରୁ ଆଲୋକ
ସ୍ରଷ୍ଟାଙ୍କର ସୃଷ୍ଟି ବିଚିତ୍ର ଧରା,
ଦେଶେ ବା ବିଦେଶେ ପ୍ରମାଦେ ପ୍ରବାସେ
ପ୍ରଭୁ ସାହା ଥିବେ ସରବେ ପରା ॥
ଉତ୍ତରା ଶାସନ, କୌଶଲ୍ୟା ଗଙ୍ଗ, ପିପିଲି, ପୁରୀ
Now staying at - Washington, USA
VOL.IX, ISSUE.X, OCTOBER-2025
Published By Banamallira Mahak