ସଂସାର ସମୁଦ୍ରେ ଯାଉଛି ଭାସି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ସୁନ୍ଦରାଚଳ ରେ ମାଉସୀ ଙ୍କ ଘରେ
ଜନମ ବେଦୀରେ , ରମାପତି ବିଦ୍ୟମାନ
ରଥ ଆରୋହୀଣ ରେବତୀ ରମଣ
ସୁଭଦ୍ରିକା ପୁଣି , ସଙ୍ଗେ ଘେନି ସୁଦର୍ଶନ
ନବଦିନ ପାଇଁ ଆସିଲେ ମାଧୋଇ ,
ଛାଡି ରତ୍ନ ସିଂହାସନ
ସୁନ୍ଦରାଚଳ ରେ ମାଉସୀ ଙ୍କ ଘରେ…।।

ଇଛ୍ଛାମୟ ସେତ ଯୋଗାଧି ପୁରୁଷ
ଅଚିନ୍ତ୍ୟ ମହିମା , ବର୍ଣ୍ଣନେ ଶକତି କାହିଁ
ସେ କଳା ଶ୍ରୀମୁଖେ ଶୋଭା ଜବା ଓଷ୍ଠେ
ଆହା କି ବିଚିତ୍ରେ , ଚକାଡୋଳା ଦିଶୁଥାଇ
ଆରତେ ଆରତୀ ଡାକନ୍ତି ଶ୍ରୀପତି ,
ଶୁଣ ହେ କୃପାନିଧାନ
ସୁନ୍ଦରାଚଳ ରେ ମାଉସୀ ଙ୍କ ଘରେ…।।

ହେଉ ଅବଧାନ ପତିତପାବନ
କରହେ ପାବନ , ଝରାଇ କରୁଣା ବାରି
ତୁମେ କଳ୍ପତରୁ ପ୍ରଭୁ ମହାମେରୁ
ଦୀନଜନ ରକ୍ଷ , ନକର ନିରେଖ ହରି
ତୋରେ ଅନୁସରି ନୀଳାଦ୍ରି ବିହାରି ,
ଧ୍ୟାନ କରେ ରାତି,ଦିନ
ସୁନ୍ଦରାଚଳ ରେ ମାଉସୀ ଙ୍କ ଘରେ…।।

ହେ ବିଚିତ୍ର କର୍ମା ଶ୍ରୀକ୍ଷେତ୍ର ମଣିମା
ଗୁହାରି ଶୁଣିମା , ହେଉ ତ୍ରୀଭୁବନ ପତି
ପ୍ରଫୁଲ୍ଲ ଚିନ୍ତଇ କମଳାର ସାଇଁ
ଭଙ୍ଗା ତରୀ ନେଇ, (ସଂସାର) ସମୁଦ୍ରେ ଭାସି ଯାଉଛି
ଶଂଖ,ଚକ୍ରଧର କରହେ ଉଦ୍ଧାର ,
ଦୁଃଖ କରି ନିବାରଣ
ସୁନ୍ଦରାଚଳ ରେ ମାଉସୀ ଙ୍କ ଘରେ…।।

Post a Comment

0Comments
Post a Comment (0)