ଆନନ୍ଦ ଉଲ୍ଲାସେ     ଆସି ନବ ବର୍ଷ
       ଭରି ଦେବ ସେ ଆନନ୍ଦ
ଗଲାବେଳେ ଯିବ   ଦେଇ ମନଦୁଃଖ
       ପାଇବା ସର୍ବେ ବିଷାଦ  ।

କିଏ କରେ ସୁଖ    ଅବା ପାଏ ଦୁଃଖ
         ତଥାପି ଚାଖନ୍ତି ସ୍ବାଦ
ଯିବା ବେଳେ କେହି  କରେନି ଆଦର
      ସମସ୍ତେ କହନ୍ତି ଖେଦ  ।

ସମୟ କା ପାଇଁ   ହୁଏନି ନିଷ୍ଠୁର 
     ସବୁତ କର୍ମର ଦୋଷ
କର୍ମେ ଯାହା ବିଧି  ଲେଖିଛି ଘଟିବ
      ରହିଯିବ ଅବସୋସ ।

ମୁଣ୍ଡଟିକି ଆଜି    ସଜେଇ ହେଲାଣି
        ଆସିବ ନୂଆ ବରଷ
ନୂଆ ପରଶରେ    ମସଗୁଲ ହେଵା
        ମୁଖରେ ଫୁଟାଇ ହସ  ।

ରାତି ତ ପାହିବ    ପାହିବା ହେଲାଣି
       ଆସ ହେ ଭଉଣୀ ଭାଇ
ହସିହସି ଆମ୍ଭେ   ବିଦାୟ ଯେ ଦେବା
       ନୂଆ ବର୍ଷକୁ ଅନାଇ  ।

ରଖିବାନି ମନେ    ରାଗ ଅହଂକାର
      ସବୁକୁ ପାଶୋରି ଦେବା
ପୁରୁଣା ବର୍ଷର    ଯେତେ ଅଭିମାନ
      ସେସଵୁ ଭୁଲିଣ ଯିବା  ।

ବିଦାୟ ବେଳାରେ   ସଦୟ ହୋଇବା
       କରିବାରେ ଆଲୋଚନା
ଜଗତ ବାସୀଙ୍କ    ମଙ୍ଗଳ ପାଇଁକି
      ଲେଖିବା ନୂଆ ରଚନା  ।

ବୋହି ଯିବ ନୀର    ହୋଇ ଖରଖର
        ଆଖିର ଲୋତକ ଧାର
ଜଗତ ଠାକୁର    କରିବେନି ପର
       ଶୁଝିବା ଧାର ଉଧାର  ।

ମନରେ ଆନନ୍ଦ    ଭରିଦେବେ ପ୍ରଭୁ
       ସମସ୍ତେ ହୋଇବା ଧନ୍ଯ
କରିବେନି ହେଳା   ପ୍ରଭୁ ଚକାଡୋଳା
       ମଣନି ତାଙ୍କୁ ସାମାନ୍ୟ  ।

ବାଜିଲାଣି ଘଣ୍ଟି     ହେଲାଣି ତ ବେଳ
        ମନକୁ କର ଉଶ୍ୱାସ
ରାଗ ଭୁଲି ମନୁ    ଆହ୍ବାନ କରିବା
      ଆସ ହେ ନୂଆ ବରଷ  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦