ଦିଶୁନାହିଁ ଜମା ବୁଦ୍ଧି
                ବି.ନିରୁପମା

କର ଧରି ତୋର କହୁଛି ଲୋ ଦୂତି
କହିଦେ ଶ୍ୟାମଙ୍କୁ ଯାଇ ,
ମୋ ନାମକୁ ଆଉ ଡାକିବେନି ଜମା
ମୋହନ ମୁରଲୀ ବାଇ ।

ଭଲା ମୁଁ ତାଙ୍କରି ପ୍ରେମରେ ପଡ଼ିଲି
ଦିବାନିଶି ହୁଏ ଘାରି ,
ବାଟରେ ଘାଟରେ ଯମୁନା ତୁଠରେ
ମହତ ଦେଲେଣି ସାରି ।

କୋଉ କୁଳର ମୁଁ ହୋଇ ରହିନାହିଁ
ବ୍ରଜ ସାରା ରଟେ ନିନ୍ଦା ,
କି ଦୋଷ ତାଙ୍କର କରିଥିଲି କହ
କରନ୍ତି ଏତେକ ଧନ୍ଦା ।

ଦମ୍ଭ ଯେତେ ମୋର ଛଡ଼ାଇ ନେଲେଣି
ଦିଶୁନାହିଁ ଜମା ବୁଦ୍ଧି ,
କେଉଁ ଦେବତାଙ୍କୁ ଗୁହାରି କରିଲେ
ମୋ କାମନା ହେବ ସିଦ୍ଧି ।

ମନ ପ୍ରାଣ ତାଙ୍କୁ ଅରପଣ କରି 
ଏତେ ସରି ଯଦି ହେବି ,
କାହିଁ ପାଇଁ କହ ଦେହ ଧରି ତେବେ
ଏ ମହୀରେ ରହିଥିବି !!

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।