କବିତା ମୋହର ଭାବ ଚେତନାର
ଆଭୂଷଣ ଅଳଙ୍କାର,
କବିତା ବିହୀନ ଏ ମୋର ଜୀବନ
ତୁଚ୍ଛ, ଅଲୋଡ଼ା ଅସାର l୧।

ବର୍ବର ସଂସାରେ ଉର୍ବର ପାଏ ମୁଁ
ଏହି କବିତା ଭିତରେ,
କବିତା ମୋ ପ୍ରାଣେ ପୁଲକ ଜଗାଏ
ସଦା ଲିପ୍ତ ମୁଁ ତହିଁରେ l୨।

କବିତା ମୋହର ସଖା ସହୋଦର
କବିତା ମୋ ପ୍ରିୟଜନ,
ହୃଦୟ ସାଗରେ ଆନ୍ଦୋଳିତ ଢେଉ
ଶବ୍ଦ ଖୋଜେ ଘନଘନ l୩।

କବିତା ନାୟକ କବିତା ନାୟିକା
କବିତା ମୋ କଳ୍ପତରୁ,
ପୁଣ୍ୟ ପ୍ଳାବନର ପ୍ରେମ ଅଗଣାରେ
କବିତା ମୋ ମହାମେରୁ l୪।

କବିତା ଭିତରେ କବିତାକୁ ଖୋଜି
ପାଏ ମୁଁ ପ୍ରୀତି ଭଣ୍ଡାର,
ସିଦ୍ଧାନ୍ତରେ ସିଦ୍ଧ ହସ୍ତା ମୋ କବିତା
ସୃଷ୍ଟିର ଗାମ୍ଭୀର୍ଯ୍ୟ ସ୍ଵର l୫।

କବିତା ମୋ ଗଙ୍ଗା ତ୍ରିବେଣୀ ସଙ୍ଗମ
କବିତା ମୋର ଯମୁନା ,
କଳ୍ପନା ଭିତରେ ବାସ୍ତବତା ଖୋଜି
ଦିଏ ସେ ଭବ୍ଯ ପାଉଣା l୬।

କାହାକୁ ଭାବିବି, ଛାଡ଼ିବି, ଲେଖିବି
ନାହିଁ ମୋ ଅନୁଶୋଚନା,
ମଶାଣି ହେଉ କି ମନ୍ଦିର ହେଉ ସେ
ସବୁଠି କବିତା ଜିଣା l୭।

କବିତା ମୋ ଭାଷା କବିତା ମୋ ନିଶା
ମୋ କଳ୍ପନାର ସୁକନ୍ୟା
କବିତାର ସୁଷମାରେ ଉଙ୍କି ମାରି
ବହି ଯାଏ ଭାବ ବନ୍ୟା l୮l

ରଚନା : କୁମୁଦିନୀ ବେହେରା

ଠିକଣା : ଶିକ୍ଷୟିତ୍ରୀ ଅନୁଗୁଳ ଦୂରଭାଷ :