*ବେଳ ଥାଉ ହୁଅ ସାବଧାନ*

ଯୌତୁକ ଜୁଇରେ ଜୀବନ ଯାଉଛି
ପାରୁନାହିଁ କେହି ରୋକି
ବଧୂହତ୍ଯା ଠାରୁ ନାରୀ ନିର୍ଯ୍ୟାତନା
ଦୈନିକ ଚାଲେ ବଢିକି ।

କେତେକେତେ ନାରୀ ଆଜିର ସମାଜେ
ଅକାଳେ ପଡନ୍ତି ଝଡି
ନଦେଲେ ଯୌତୁକ ହେବନି ବିବାହ
ନେଲାବାଲା ଛାଡେ ରଡି ।

କନ୍ଯା ପିତାମାତା କରୁଥାନ୍ତି ଚିନ୍ତା
କେମିତି କରିବେ ବାହା
ସମାଜେ ଘୋଟିଛି ବ୍ଯାଧି ଯୌତୁକର
ହୋଇବ କିଏ ସେ ସାହା ।

ଝିଅ ଜନ୍ମହେଲା ଦୁଃଖ ବଢିଗଲା
କରିଲା ଚିନ୍ତା ଦୈନିକ
ସୁଖ ଦୁଃଖର ତ ସଂସାର ଡୁବିଲା
ଦେଖିବ ଜଗତେ ଲୋକ ।

ଦାବି ମୁତାବକ ନଦେଲେ ଯୌତୁକ
ଝିଅର ଜୀବନ ଦୁଃଖ
କେତେବେଳେ ତାକୁ ମାରି ଫିଙ୍ଗିଦେଵେ
ପାଇବା ଆଗରୁ ସୁଖ ।

ଶାଶୁ ଶ୍ଵଶୂରଙ୍କୁ ଯେତେ ସେବାକଲେ
ନ ବୁଝେ ମନ ତାଙ୍କର
ସବୁବେଳେ ଥାଏ ସେମାନଙ୍କ ମନ
ବେଶି ଯୌତୁକ ଆଶାର ।

ବିଚରା ଅଭାବି କନ୍ଯା ପିତାମାତା
କର୍ମକୁ ଆଦରି କାନ୍ଦେ
ଭାବି ନ ଥିବ ସେ ଏମିତି ଘଟିବ
ଜୀବନକୁ ବସି ନିନ୍ଦେ ।

ଯୌତୁକ ଜନିତ ନାରୀ ନିର୍ଯ୍ଯାତନା
ହୋଇଛି ଠିଆ ସମାଜେ
ଲୋଭକର ନାହିଁ ଯୌତୁକକୁ ଆଉ
ଲୋଭିଙ୍କୁ ପୋଲିସ ଖୋଜେ ।

ହୁଅ ସାବଧାନ ଧନ ଲୋଭି ଜନ
ନାହିଁ ନିସ୍ତାର ତୁମକୁ
ଅନ୍ଯାୟରେ ତୁମେ କେତେ ଜୀବ ନେଲ
ଦୟା ଲାଗୁନି ତୁମକୁ ।

ନାରୀ କେତେଜଣ ମୁଖ୍ୟା ସାଜିଲେଣି
ପୁରୁଷ ଭାବୁଛି ବେକାର
ଭାରିଜା ଭାବୁନି ସ୍ଵାମୀ ମୋ ଠାକୁର
କାହାକୁ ନାହିଁ ତାର ଡର ।

ସେଇଥି ପାଇଁ ତ ବଧୂହତ୍ଯା ବଢେ
କେବଳ ମୁଖ୍ଯାଙ୍କ ପାଇଁ
ପୁରୁଷ କାଢୁଆ ଦିନ ଗଣୁଥାଏ
ଯାହା କରିଵେ ଗୋସାଇଁ।

ବଧୂ ହତ୍ଯାକାରୀ ହୁଅ ସାବଧାନ
ଦିଅ ନାହିଁ ନିର୍ଯ୍ଯାତନା
ତୁମେ ପରା ଦିନେ ଥିଲ କାହା ଝିଅ
ସେକଥା ଭୁଲି ଯାଅନା ।

*ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*



ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଗ୍ରାମ-ଆଳଦା, ପୋ/ଥାନା-ଖଇରା,ଜିଲ୍ଲା-ବାଲେଶ୍ବର ଦୂରଭାଷ : ୯୮୫୩୧୪୨୫୧୦