ଗାଁଆ ମୁଣ୍ଡରେ ଲଣ୍ଡା ପାହାଡ଼
ତା' ଦେହେ କେତେ କ୍ଷତ
ଉଛୁଳା ନଈ ବରଷା ଶେଷେ
ଭୁଲି ଯାଇଛି ବାଟ...
ଚିର ହରିତ ନାହିଁ ତା' ହିଆ
କୁହୁଳେ ଖାଲି ଧୂଆଁ
ପଡିଛି ଖୋଜା ବାଟ ଘାଟରେ
କରିବ କିଏ ଆହା...
ଯାଇଛି ବିତି କେତେ ଯେ ରାତି
ବରଷ ମାସ ଦିନ
ଫେରିବ ସେଇ ପୁରୁଣା ଦିନ
ଭାଳି ହେଉଛି ମନ...
ତାହାରି କୋଳେ କେତେ ଆତୁରେ
ବହିଣ ଟିକି ଝର
ଚୁମୁ ଥିଲା ଯେ ଗାଁଆ ଦାଣ୍ଡକୁ
ହେଇଛି ଆଜି ପର...
ବଉଦ ରୁଷି ଯାଆନ୍ତି ଭାସି
ଶିଖର ତନୁ ଦେଖି
ଆକଟ ତା'କୁ କରିବ କିଏ
ଆଣିବ ପୁଣି ଡାକି...
ଗଗନ ଦେଶ ହୋଇ ନିରାଶ
ଢାଳୁଛି ନିଆଁ ଝୁଲ
ତପନ ରୋଷ କରିବା କିସ
ମଉଳି ଯାଏ ଫୁଲ...
ନୟନେ ଲୁହ ହୃଦୟେ କୋହ
ମନେ ତା' ଅବଶୋଷ
କୋଉଠି ଆଜି ଯାଇଛି ହଜି
ଅଧର ତଳ ହସ...
