ଆହେ ପ୍ରଭୁ କଳା ସାଆନ୍ତେ 
ଯାହା ପଚାରୁଛି କହିବ ମୋତେ
ଅର୍ଜ୍ଜୁନର କେଉଁ ଭାବ ଦେଖି ତୁମେ,
ସାରଥି ହୋଇଲ ତାହାରି ରଥେ ।
ଆହେ ପ୍ରଭୁ ..... (୧)
ଦାସିଆର କିଭାବ ଥିଲା,
ତୁମ ମନକୁ କିଣି ନେଲା,
ବାଡିର ନଡିଆ ଯାଚିଦେଲା ବୋଲି,
ତା' ଶ୍ରୀଫଳ ନେଇଗଲ ସ୍ୱହସ୍ତେ ।
ଆହେ ପ୍ରଭୁ ..... (୨)
ବାଛି ବାଛି ଅଇଁଠା କୋଳି,
କେଉଁ ଭାବେ ଦେଲା ଶବରୀ,
ସେ, ଅଇଁଠା କୋଳି ଖୁସିରେ ଖାଇଲ
ଏ, କଥା ଜାଣି ଅଛନ୍ତି ସମସ୍ତେ ।
ଆହେ ପ୍ରଭୁ ..... (୩)
ଦ୍ରୌପଦୀର ଭାବକୁ ଦେଖି,
ଭାବ ତା'ର ଥିଲା ପରଖି,
ପରଖି ତା'ଭାବ, ଆହେ ପଦ୍ମନାଭ,
କୋଟି ବସ୍ତ୍ର ତାକୁ ଦେଲ କେମନ୍ତେ ।
ଆହେ ପ୍ରଭୁ ..... (୪)
ଘୋର ବନେ ମୃଗଣୀ ଡାକ,
ଶୁଣିଥିଲ ପଙ୍କଜ ମୁଖ,
କେଉଁ ଭାବେ ସେହୁ ଡାକିଲା ତୁମଙ୍କୁ,
ତା' ଆରତ ଦୂର କଲ ତ୍ୱରିତେ ।
ଆହେ ପ୍ରଭୁ ..... (୫)
ଗଜରାଜ ଡାକିଲା ଜଳେ,
ଡାକିଲା ସେ କେଉଁ ଭାବରେ,
ଚକ୍ର ପେଷି ଦେଇ ନକ୍ର ନାଶକଲ,
ଗଜକୁ ଉଦ୍ଧାରି ଦେଲ କେମନ୍ତେ ।
ଆହେ ପ୍ରଭୁ ..... (୬)
ଭରତିଆ ବିପଦେ ପଡି,
କେଉଁ ଭାବେ ଛାଡିଲା ରଡି,
ଘଣ୍ଟ ଘୋଡାଇଣ ରଖିଲ ତାହାକୁ,
ଲେଖା ହୋଇଅଛି ମହାଭାରତେ ।
ଆହେ ପ୍ରଭୁ ..... (୭)

ବନ୍ଧୁ ମହାନ୍ତି ବନ୍ଧୁ ହେଲ,
ପାଖେ ତାର ପହଞ୍ଚି ଗଲ,
କେଉଁ ଭାବ ଦେଖି ଆହେ ଚକାଆଖି,
ସୁନା ଥାଳୀ ଦେଇଥିଲ ତା' ହାତେ ।
ଆହେ ପ୍ରଭୁ ..... (୮)
ସତ୍ୟ, ତ୍ରେତା, ଦ୍ୱାପର, କଳି
ଚାରି ଯୁଗେ ଲୀଳା ତୁମରି,
ଏ ଚାରି ଯୁଗରେ ଭକତ ମାନଙ୍କୁ
କେମିତି କରୁଣା କରିଛି ଏତେ ।
ଆହେ ପ୍ରଭୁ ..... (୯)
ଆହେ ନୀଳାଚଳ ବିହାରୀ,
ତୁମ ପାଦେ କରେ ଗୁହାରୀ,
କେଉଁ ଭାବେ ତୁମେ ବନ୍ଧା ଭକତର,
ସେକଥା ମୋ କାନେ କହିବ ସତେ ।
ଆହେ ପ୍ରଭୁ ..... (୧୦)
ହସି କହନ୍ତି ଭାବଗ୍ରାହୀ,
ସେକଥା କହୁଛି ବୁଝାଇ,
'ସମର୍ପଣ' ଭାବ ସବୁଠାରୁ ଶ୍ରେଷ୍ଠ,
ସେହି ଭାବେ ତୁହି ପାଇବୁ ମୋତେ ।
ଆହେ ପ୍ରଭୁ ..... (୧୧)
ପ୍ରଭୁ ଯାହା କହିଲେ କାନେ,
ତାହା ମୁହିଁ ରଖିବି ମନେ,
ପ୍ରଭୁଙ୍କ ଆଦେଶ ଭୁଲିଯିବି ନାହିଁ,
ସେକଥା କହିବି ସାରା ଜଗତେ ।
ଆହେ ପ୍ରଭୁ ..... (୧୨)

Writer's Details: ଶ୍ରୀମତୀ ଚିନ୍ମୟୀ ମିଶ୍ର
ପ୍ରାଚୀ ବିହାର, ପଳାଶୁଣୀ, ଭୂବନେଶ୍ୱର
ମୋବାଇଲ୍ ନଂ-୭୭୩୫୬୬୨୨୭୬ / ୭୬୦୯୮୨୧୦୦୫
Content Category:
Submission Date: Aug 12, 2019