ବିଳାସର ଚୌପାଟୀରେ 
ଆଣ୍ଠୁମାଡ଼ି ବସି ବସି,
ଅଭିଯୋଗର ଚିଠା ପୁଞ୍ଜେ
ଚୋରା ପକେଟରେ ସାଇତିଥିବା
ମୋ ଭଳି ମଣିଷମାନେ ଆସ ।

ଦେଖିଯିବ ମୋ ଜେଜେମାକୁ,
ଦେଖିଯିବ ତା ଅର୍ଦ୍ଧବକ୍ର ଶରୀରକୁ,
ପଶିଯାଇଥିବା ଆଖି,
ଲୋଚାକୋଚା ମାଂସର ପରଦାକୁ ।

ତା ଦେହରୁ ତ କେବେ
ଭାସିଆସିନି ବିଦ୍ରୋହର ଗନ୍ଧ !
ସେ ତ କେବେ ପୁଞ୍ଜା ପୁଞ୍ଜା
ଅଭିଯୋଗ ବାଢ଼ିନି
ସମୟର ଦରବାରରେ !

ବୟସର ବଙ୍କୁଲୀ ବାଡ଼ିର ଛବିକୁ
ସେ ପ୍ରସ୍ତୁତ ନୁହେଁ ଚିହ୍ନିବାକୁ ।
ମୋ ଟୋକେଇ,
ମୋ ଆମ୍ବୁଲ,
ମୋ ଲୁଣହାଣ୍ଡିର
ଅନାବିଳ ମୋହମାନେ
ବାଣ୍ଟିନେଇଛନ୍ତି ତା'ର ସବୁ ସମୟକୁ ।

ସଂପର୍କର ଡହ ଡହ ଆଞ୍ଚରେ
ଉପର ତଳ କରି ଭଲଭାବେ
ସେକା ହେଉଛି ତା ଅବୟବ ।
ସିକୁଟି ଯାଉଛି ତା
ଝଞ୍ଜାକ୍ରାନ୍ତ ଧୂସର କାନ୍ତି,
ପରସ୍ତ ପରସ୍ତ ହୋଇ।
ତଥାପି ଚିତ୍କାର କରୁନି ସେ !
ଚାପିଧରୁଛି
ଆହୁରି ନିବିଡ଼ତାର ପୁଟ ଦେଇ,
ଚଣ୍ଡୀମାତା ଆଗରେ
ସରାକୁ କାମୁଡ଼ି ଧରିଥିବା ଗରମ ଝୁଣା ଭଳି ।

"ଡାକରା ଆସିଲାଣି ଚାଲିଯିବି" କହି
ସେ ଅଇଁଠା ଥାଳି ପାଖରୁ
ଉଠେଇନେଇ ପୋତି ଦିଏ,
ଦାଆ ମୁନରେ ମାଟି ଉଖାଡ଼ି
ସବୁ ଦରଖିଆ ଆମ୍ବ ଟାକୁଆ ଗୁଡ଼ିକୁ । 

Writer's Details: ସଞ୍ଜୟ କୁମାର ପଣ୍ଡା
ରକ୍ତତୀର୍ଥ ଇରମ, ଭଦ୍ରକ
Content Category:
Submission Date: Aug 12, 2019