ରାକ୍ଷୀ ପୂର୍ଣ୍ଣିମା ତ  ପାଖେଇ ଆସଇ
           ମନ ହୁଏ ଛନ ଛନ
କିଏ ସେ ବାନ୍ଧିବ ମୋ ହାତରେ ରାକ୍ଷୀ
          କାହିଁକି କରିବି ମନ ।

ବାପାମାଆ ମୋର କରିଦେଲେ ପର
         କଲେନି ଝିଅ ଜନମ
ଧିକମୋର ଏହି ଭାଇର ଜୀବନ
         କାହିଁକି ହେଲି ଜନମ ।

ବରଷକେ ଥରେ ରାକ୍ଷୀ ପୂର୍ଣ୍ଣିମାରେ
         ଭାଇ ହାତ ଶୋଭାପାଏ
ଭଉଣୀ ନ ଥିଲେ ଭାଇର ଜୀବନ
         ସମୁଦ୍ରରେ ବୁଡି ଯାଏ ।

କାହାକୁ କେବେ ତ ଭଉଣୀ ଭାବିଲେ
       ଦିଏ ସେ କେତେ କଷ୍ଟ
ମୁହଁ ନ ଖୋଲିସେ କବିତାରେ ଲେଖେ
        ମୁଁ କାଳେ ତା'ପାଇଁ ଦୁଷ୍ଟ ।

ଧନ୍ଯ ମହାପ୍ରଭୁ ମହିମା ତୁମର
    କାହିଁକି କରିଲୁ ପର
ଭାବିଥିଲି ଦିନେ କାହାକୁ କେବେ ମୁଁ
    ରହିଲା ଅନେକ ଦୂର ।

ନିଜର ନ ଥିଲେ କରିବନି କେବେ
    ଏ ସଂସାରେ ଆପଣାର
ଭାବି ଥରେ ଦେଖ ମନର ମଧ୍ଯରେ
    ପରକି ହେବ ନିଜର ।

ଛଅସ୍ତରି ବର୍ଷ  ଅଗଷ୍ଟ ପନ୍ଦରେ
      ପଡିଲା ରାକ୍ଷୀ ପୂର୍ଣ୍ଣିମା
ଆହେ ଚକାଆଖି ଖୋଲି କହିବକି
      ଶୁଣିବି ଏହି ମହିମା ।

ବୟସ ମୋହର ପଚାଷ ଚାଲିଲା
    ଖାଲି ପଡିଛି ମୋ ହାତ
ଚିନ୍ତା କରିଲୁନି ଥରୁଟିଏ କେବେ
    ବଢାଇବା ପାଇଁ ହାତ ।

ଭଉଣୀକୁ ନେଇ  ସୁଖରେ ବସିଛୁ
      ରତନ ବେଦୀ ଉପରେ
ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ବାନ୍ଧିବ
       ନୂଆ ରାକ୍ଷୀ ତୋ ହାତରେ ।

ମୋ ହାତକୁ ଥରେ ଆହେ ମହାପ୍ରଭୁ
    ଖୋଲିକରି ଦେଖ ଆଖି ।
ମୋ ହାତରେ ଯଦି କେହି ନ ବାନ୍ଧିବେ
       ରହିଲୁ ତୁ ଆଜି ସାକ୍ଷୀ ।

ଆଖି ଛଳ ଛଳ ନୟନେ ମୋହର
     ବହି ଯାଉଅଛି ନୀର
କାହିଁକି ହୋଇଲୁ ମୋ ପାଇଁ ପଥର
     ମରି ଯାଆ ତୁ ଏଥର ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦