ସତ୍ୟଟା କମ୍ପୁଛି ପ୍ରବଳ ଜ୍ବରରେ
ଅହିଂସା ହୋଇଛି ବନ୍ଦୀ
ଚୁଗୁଲିଆ ଆଜି ନଗରେ ମାତନ୍ତି
ସାଧୁ ଖୋଜେ ଗଳିକନ୍ଦି ।

ସ୍ନେହ ମମତାଏ ବାହୁନି କାନ୍ଦନ୍ତି
ଶ୍ରଦ୍ଧା ଝୁରେ ଦୁଃଖେ ବସି
କପଟ ନାଚୁଛି ଛନ୍ଦର ମଞ୍ଚରେ
ମାୟା ଛଳ ଜାଲ ଖୋସି ।

କନିଷ୍ଠ ସାଜୁଛି ସର୍ବଶ୍ରେଷ୍ଠ ଏଠି
ଜ୍ୟେଷ୍ଠ ଲାଜେ ମଥା ନଏଁ
ଛାତ୍ର ହସେ ଦେଖି ବିଚରା ଗୁରୁଙ୍କୁ
କି ଅସହାୟ ଆଃ ଇଏ !

ଶୃଙ୍ଖଳା ଲୁଚିଛି ଅସଭ୍ୟ ଗାତରେ
ସଂସ୍କାର ଗଲାଣି ବୁଡି
ଅଜ୍ଞାନ ଦେଖୁଛି ଦିବା ସ୍ବପ୍ନ ଏଠି
ଜ୍ଞାନକୁ ପିନ୍ଧାଇ ଚୁଡ଼ି ।

ନ୍ୟାୟ ସାଜିଲାଣି ପଳାୟନ ପନ୍ଥୀ
ଅନ୍ୟାୟ ପିନ୍ଧେ ମୁକୁଟ
ବିଚାର ଘରଟା ପୋଡି ଧ୍ବଂସ ହେଲା
ଠକ ମଡ଼ାଏ ମଲାଟ ।

ଧର୍ମ ଡାକୁଅଛି ରକ୍ଷାକର ପ୍ରଭୁ
ପାପଟା ନେଲାଣି ଶୋଷି
ପୁଣ୍ୟ କହେ କାନ୍ଦି ଭିକ୍ଷା ମିଠେ ଦିଅ
ଅଧର୍ମ ଦୁଆରେ ବସି ।

ତେସ୍ତରୀ ବରଷ ବୁଢ଼ାଟା ହସୁଛି
ସ୍ବାଧୀନତା ସଂଜ୍ଞା ଭୁଲି
ନିର୍ଲଜ କୃତଘ୍ନ  ଭୁତଟା ପାଗଳ
ପରାଧୀନ କାଳି ବୋଳି ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର