ବିଶ୍ଵରେ ଭାରତ ଜାତୀୟ ପତାକା
                      ଉଡୁଥାଉ ନିରନ୍ତର
      ଏହି ସେ ଭୂଖଣ୍ଡ ଜମ୍ଵୁଦୀପ କହି,
ସଂସାର ଭିତରେ ସାର  ।।
ନାମ ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଭୂମି ଏହି 
                       ଅନନ୍ତ କାଳରୁ ସ୍ଥିତ
      ଦେବଭୂମି ଏ ଭାରତ ପୂଣ୍ୟ ସ୍ଥଳି
ଉର୍ବୀ ର ଉର୍ବର କ୍ଷେତ୍ର  ।।
ଏଠି ନର ରୂପେ ଜନମ ନିଅନ୍ତି
          ସ୍ଵଂୟ ବୈକୁଣ୍ଠାଧିପତି
  ପୂତ ପୟୋଧାର କଳକଲ୍ଲୋଳିନୀ
ଜାହ୍ନବୀ ଲହରେ ଏଠି ।।
ସପ୍ତଦ୍ୱୀପ ମେଦିନୀ ର ଫୁଲହାର
         ମଧ୍ୟେ ଜମ୍ବୁ ଦ୍ଵୀପ ଯଥା
     ରତ୍ନମୟ ଏକ ଉଜ୍ଜ୍ୱଳ ପଦକ
ସମ ଝଟକେ ତା ଶୋଭା  ।।
ଏହି ଶୋଭା,ଶିରୀ ସଂପଦେ ଜଲ୍ହାଦ
           ବିଦେଶୀ ଲୋଲୁପ ଦୃଷ୍ଟି
      କ୍ଷତ,ବିକ୍ଷତ ଏ ବାରମ୍ବାର ହୋଇ
ତଥାପି ରହିଛି ତିଷ୍ଠି  ।।
କେତେ ଯେ ରକ୍ତ ବହିଛି ଏଠାରେ
            ସ୍ଵାଧୀନ ଭାରତ ପାଇଁ
   କେତେ ଯେ ଜୀବନ ବଳୀ ପଡ଼ିଅଛି
ତାହାର ଠିକଣା ନାହିଁ  ।।
ଅମୂଲ୍ୟ ସଂପଦ ମଳିଅଛି ଯାହା
            ଆଉ ହରାଇବା ନାହିଁ
   ଯେତେକ ଯାଇଛି ତାପାଇଁ ଆସରେ
ଚିନ୍ତା ପ୍ରକଟିବା ଭାଇ  ।।
ସମ୍ମେଳିତ ହେବା ଏକା ସ୍ଵରେ ଆସ
            ଗାଇବା ଜାତୀୟ ଗୀତ
      ଆଜି ଏଇ ଶୁଭ ଲଗନେ ବନ୍ଦେ
ମାତୃଭୂମି ମୋ ଭାରତ  ।।