ଚିର ହସ ଫୁଲ ଅଶେଷ ବିଭବ
ରଥ ପଥ ଜଗନ୍ନାଥ ;
ନିଅାରା ପରବ ସୃଷ୍ଟିର ମହକ
ଧନ୍ୟ ତୁମେ ବିଶ୍ୱନାଥ !!

ସାରା ପୃଥିବୀରେ ତୁମ ରଥ ଗଡ଼େ
ବିଜୟର ଧ୍ୱନି ଗାଇ ;
ଭାବ ବନ୍ଧନରେ ପ୍ରୀତି ପରଶରେ
ଭକ୍ତ ମନ ନିଅ ମୋହି ! !

ଶ୍ରୀକ୍ଷେତ୍ର ନିବାସୀ ଉତ୍କଳର ସାଥୀ
ତୁମ ପରି କେହି ନାହିଁ ,
ଦୁଃଖିଜନ ମିତ ହେ'ବଡ଼ ଠାକୁର
ରଥ ଯାତ୍ରା ଭକ୍ତ ପାଇଁ ! !

ବିଧି ବ୍ୟବସ୍ଥାର ତୁମେ ନୀୟମାଙ୍କ
ପ୍ରଥା ପରମ୍ପରା କର୍ତ୍ତା ;
ବାରମାସେ ତେର ପରବ ତୁମର
ଜଗତକୁ ଦିଅ ବାର୍ତ୍ତା !!

ସମୃଦ୍ଧି ପରବ ରଥଯାତ୍ରା ସତ୍ୟ
ରଥାରୂଢ଼ ହୁଅ ପ୍ରଭୁ ;
ସଙ୍ଗତରେ ଭ୍ରାତା ଭଗିନୀ ଶୁଭଦ୍ରା
କୃପାମୟ ତୁମେ ବିଭୁ !!

ରତ୍ନସିଂହାସନୁ ଆସହେ ଓହ୍ଲେଇ
ପତିତ ଭକତ ପାଇଁ ;
ଆହାକି ହୃଦୟ ହେ'କଳାଠାକୁର
ହୃଦୟକୁ ଦିଅ ଛୁଇଁ !!

ବଡଦାଣ୍ଡେ ଭିଡ ତିନି ରଥ କୋଳ
ଜଗତେ ପଡଇ ହୁରି ;
କୋଟି ଭକ୍ତମୁଖେ ତଵ ନାମ ଭାସେ
ଜୟ ଜୟ ତୁମ୍ଭେ ହରି !!

ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ
ପ୍ରକମ୍ପିତ ହୁଏ ବିଶ୍ୱ ;
ରଥ ଚକ ଗଡ଼େ ଭକତ ହସ୍ତରେ
ତୁମ କୃପା ବଳେ ସତ !!

ପୁରାଣେ ବର୍ଣ୍ଣିତ କହାଣୀ ପ୍ରତୀତ
ଅଲିଭା ସ୍ମୃତିର ଗାଥା ;
ଦାସିଆ ନଡ଼ିଆ ତୁମକୁ ବଢିଆ
କରିଥିଲ ପ୍ରୀତି ଶ୍ରଦ୍ଧା !!

ବନ୍ଧୁ ମହାନ୍ତିର ଥିଲ ହେ'ପ୍ରିୟର
ଅତ୍ମା କଲ ତା'ର ତୃପ୍ତି ;
ଅବଢା ବ୍ୟଞ୍ଜନ ଦେଲ ହସ୍ତେପୁଣ
ଲଭିଲା ସେ'ପୁଣ୍ୟ ଶାନ୍ତି !!

ଭକ୍ତ ସାଲବେଗ ଜାତିରେ ଯବନ
ଆହାକି ତା'ଭକ୍ତି ଭାବ ;
ଯୋଜନ ଦୂରରୁ ଡାକିଲା ତୁମକୁ
ଅଟକିଲା ନନ୍ଦିଘୋଷ !!!

ଜୟ ଜଗନ୍ନାଥ ଜଗତର ନାଥ
ଜନ୍ମବେଦୀ ଭାବପ୍ରୀତି ;
ବରଷକେ ଥରେ ଯାଅ ସରାଗରେ
ମାଉସୀ ଘରକୁ ହସି !!!

ପୋଡ଼ପିଠା ଖାଇ ଆସ ପ୍ରଭୁ ଫେରି
କର୍ମବେଦୀ ଅଭିମୁଖେ ;
ରଥେ ରଥ ଯାତ୍ରା ରଥରେ ବାହୁଡା଼
ଜଗତଟା ଥାଉ ସୁଖେ !!

Writer's Details: ସଦାନନ୍ଦ ସାହୁ, କାରା କର୍ମଚାରୀ ,
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର , ଯୋଗାଯୋଗ ସଂଖ୍ୟା - 7978517998 Content Category:
Submission Date: Jul 06, 2019