ସକାଳୁ ସକାଳୁ
ତୁମ ହାତକୁ ଚା କପ୍ ଟି
ବଢେଇ ଦବାର ଆକର୍ଷଣଟା
ଟିକେ ନିଆରା
କାହିଁକି ନା
ତା'ର ପ୍ରଥମ ଢୋକରେ
ଦିନର ଖୁସିଟା
ସତେ ଯେମିତି ଲଟକି ଥାଏ ,
ତମର ସବୁ ଅବସ ପଣକୁ ଦୂରେଇ
ମନରେ ସତେଜତା
ଓ ସ୍ଫୁର୍ତି ଭରିଦିଏ ।
ତା ପରେ ତମେ ଉଠିପଡ
ଏ ଦୁନିଆର ସବୁ ଭୋକକୁ
ମେଣ୍ଟାଇବାକୁ
ସତେକି ତମେ ଠିକା ନେଇଥାଅ,
ତମ ଦୁନିଆ ଭିତରେ
ଜୀବନର ସାର୍ଥକତାକୁ
ମନଭରି ଉପଭୋଗ କରୁଥାଅ।
ତମ ବିବେକ ର ଡାକକୁ
ତମେ ଖୁବ୍ ବୁଝିପାର ,
ତମେ ତମ କଥା
ଭାବିବା ପୂର୍ବରୁ
ତମ ଚାରିପଟେ ଦୁନିଆକୁ ଭାବ
ତମକୁ କିଏ କ'ଣ ଭାବିବ
ଖାତିର୍ ନ ଥାଏ ତୁମର ।
ତମ ଜୀବନର ଜ୍ବଳନ୍ତ ଛବି
ମୋ ଭିତରେ ଝଟକୁ ଥାଏ
ତମ ନିଶବ୍ଦ ପ୍ରେରଣା
ମୋତେ ଆଗକୁ
ବଢିବାକୁ ରାସ୍ତା ଦେଖାଏ ,
ତମ ଚୁପ୍ ଚାପ୍ ଚାହାଣି
କିଛି ନ କହିବି
ଅନେକ୍ କଥା କହିଦିଏ।
ତମେ ହସନାହିଁ
ବିନା ହସରେ ବି
ତମ ମୁହଁର ଆନନ୍ଦପଣ
ବାରି ହୋଇପଡେ
ଶୃଙ୍ଖଳାର ସୂତାରେ ବନ୍ଧା
ତମର ପ୍ରତିଟି ମୁହୂର୍ତ୍ତ ଆଗରେ
ସମୟ ପଛରେ ପଡିଯାଏ ,
ମୁଁ ଆଶ୍ଚର୍ଯ୍ୟ ହୁଏ
ତମେ କାହିଁକି ଏମିତି ଦୌଡ ଯେ ???
ଶରୀରର ଲୋଭ
ତମ ପାଇଁ ବିଶେଷ
ବଡକଥା ନୁହେଁ 
ତମର କାମ ହିଁ
ତମ ପାଇଁ ଶ୍ରେଷ୍ଠ ସ୍ଥାନ ନିଏ ।
କାହିଁକି ଏମିତି ଭୁଲ୍ କର ଟିକେ ??
ସମୟ ଏଇଥିପାଇଁ
ତମକୁ ବେଳେ ବେଳେ
ବିଧାଟିଏ ଦିଏ,
ତମେ କିନ୍ତୁ ବୁଝିବା ଲୋକ ନୁହେଁ
ଏହାହିଁ ମତେ
ଭିଷଣ କଷ୍ଟ ଦିଏ ।
ଭଗବାନଙ୍କୁ ଡାକେ
ସମସ୍ତଙ୍କ ପାଇଁ ଜୀବନକୁ
ବାଜି ଲଗେଇଥିବା ଲୋକଟାକୁ
ତମେ ଯଦି ଜୀବନ ନ ଦବ ତ
ଆଉ ଦବ କିଏ ??????

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 19, 2019