ମା'
ସବୁଠୁ ମଧୁର ନାମ
ଜଗତରେ ନୁହେଁ କେହି
ତାହା ସହ ସରି
ସେବା, ତ୍ୟାଗ, ସ୍ନେହ, କରୁଣାର
ମୂର୍ତ୍ତିମନ୍ତ ଜୀବନ୍ତ ପ୍ରତୀକ
ବାତ୍ସଲ୍ୟ ମମତାର ସୁଧା ମନ୍ଦାକିନୀ
ନିତି ଯାଏ ଝରି
ସେ ହିଁ ସ୍ୱର୍ଗ ଠାରୁ ଗରୀୟସୀ
ଜନନୀ ସବୁରି ।

ମା'
ଆମ ଆଦ୍ୟ ଗୁରୁ
ଶିକ୍ଷାର ପ୍ରଥମ ସୋପାନ
ମା' ହିଁ ତ ଓଠେ ଭାଷା ଦିଏ
ସନ୍ତାନର କୁନି ଓଠ
ଏକାକ୍ଷର ମଧୁମୟ ମା' ଶବ୍ଦ
କରେ ଉଚ୍ଚାରଣ,
ଝିପି ଝିପି ବର୍ଷାଭଳି
ଶିଶୁର ଦରୋଟି ଗୁଞ୍ଜରଣ
ଭିଜାଇଦିଏ ସଭିଙ୍କର ମନ,
ମା' ବିହୁନେ ଘର ପାଲଟିଯାଏ
ଶୁଷ୍କ, ନୀରସ,ଖାଁ ଖାଁ ନିବିଡ଼ ଅରଣ୍ୟ ।

ମହାତ୍ମା
ଭଗବାନଙ୍କ କଳା ନେଇ
ନେଇଥାନ୍ତି ଜନ୍ମ,
ଦେବାକୁ ସମାଜରେ ସୁଶିକ୍ଷା
ଆଧ୍ୟାତ୍ମିକତାର ପରଶରେ
ମଧୁର ଶବ୍ଦଚାତୁରୀ ଉପସ୍ଥାପନା ରେ
ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟେ,
ନର ରକ୍ତର ହୋରି ଖେଳୁଥିବା ନୃଶଂସ ପୁଣି
କ୍ରୈ।ଞ୍ଚ ଯୁଗଳର ହତ୍ଯା ଦେଖି
ହଠାତ୍ ସ୍ୱତଃ ଓଷ୍ଠରୁ ମା ନିଷାଦ ଭଳି
କାଳଜୟୀ ମହାବାଣୀ ଛୁଟେ ।

ପରମାତ୍ମା
ପରମ ପିତା ,
ମା'ଓ ମହାତ୍ମାଠାରୁ ପରମ ଊର୍ଦ୍ଧ୍ଵରେ
ଆଶିଷର ଧାରା ବର୍ଷୁଥାଏ
ନିତି ନିତି ଆମରି ଶିରରେ,
ସଦା ଲୋଡୁଥାନ୍ତି ଆମରି ମଙ୍ଗଳ
ଇଙ୍ଗିତରେ ଦେଖାଇଥାନ୍ତି
ଜୀବନର ପଥ ଯା' ପୁଷ୍ପିଳ ।

ମା',ମହାତ୍ମା, ପରମାତ୍ମା
ସ୍ନେହ-ପ୍ରେମ-କରୁଣାର ଦିବ୍ୟ ଅବତାର
ଭିନ୍ନ ଭିନ୍ନ ନାମ ସିନା
ସଭିଏଁ ତ ଜୀବନର
ଗତି-ମୁକ୍ତି-ସ୦ସ୍କାରିତ ପ୍ରଗତିର
ମଧୁମୟ ସ୍ୱର ।

Writer's Details: ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭, ପିନ୍ କୋଡ --- ୭୫୯୧୨୭ ।
Content Category:
Submission Date: Jun 20, 2019