ତୋତେ ପାଳି ପାଳି ବୟସଗଡ଼ିଲା
ନିଜ ସୁଖ ତେଜି ଦୂରେ
ଥା ପଛେ ଧନ ଦୂର ରାଇଜରେ
ମନେ ମନେ ଆଜି ଝୁରେ

ସକାଳରୁ ସଞ୍ଜ ଦିନ ସାରା ପରା
ତୋ ଚିନ୍ତାରେ ଥିଲି ରହି
ବୁଢାବୟସର ସାହାରା ସାଜି ତୁ
ଦୁଃଖ ମୋର ନେବୁ ବୋହି

ଅଳପ ଧନରେ ଉଣା ମୁଁ କରିନି
ତୋର ଯାହା ଯେତେ ଅଳି
ତୋ ଅଝଟପଣ ଶୁଣେ ବୋଲି ସଦା
ମାଆଠୁ ଶୁଣିଛି ଗାଳି

ତୁ ନାହୁଁ ଏଠି ମାଆ ନାହିଁ ଏଠି
ଅଛି ତୋ ଅଝଟ ସ୍ମୃତି
ଵୃଦ୍ଧାଶ୍ରମେ ଆଜି କଟୁଛି ଜୀବନ
ନିତି ମରେ ଖୋଜି ଖୋଜି

ବୁଢା ବୟସର ସାଥି ହେବୁ ବୋଲି
ଦେଇଥିଲୁ କଥା ମୋତେ
ଆଜି କାହା ମାୟା ଭୁଲେଇ ଦେଇଛି
ମନେ ପଡୁନି ପରତେ

ସବୁଦିନ ହେବ ବାପାଙ୍କ ଦିବସ
କହିଥିଲୁ କାନ୍ଧେ ବସି
ଫେରିଆ ଧନ ମୋ କୋଳକୁ ତୁହି
ପାଇଯିବି ମୁହିଁ ମୁକ୍ତି 

Writer's Details: Zyotsna Ranny Patraw, Assistant Collector, Puri
Content Category:
Submission Date: Jun 20, 2019