
ହେ ପୁଣ୍ୟବତୀ ଦେବୀ ବୃନ୍ଦାବତୀ
ତୁହି ଅଟୁ ଭାଗ୍ୟବତୀ,
ଯେଉଁ ନାରୀ ତୋର ପୂଜା କରେ ନିତି
ହୁଏ ସେ ସୌଭାଗ୍ୟବତୀ ॥
ସବୁ ଅଗଣାରେ ତୁହି ବିରାଜିତ
ପବିତ୍ର ମା' ଶ୍ରୀ ତୁଳସୀ,
ହିନ୍ଦୁ ନାରୀ ତୋତେ ପୁଜଇ ଶ୍ରଦ୍ଧାରେ
ସଞ୍ଜବତୀ ଜାଳେ ବସି ॥
ତୋରି ଶରୀରେ ବେଦ ଆଉ ବ୍ରହ୍ମ
ତୋ ମୂଳରେ ଗଙ୍ଗାମାଆ,
ବିଷ୍ଣୁଙ୍କର ତୁହି ଅଟୁ ଭାରି ପ୍ରିୟା
ତେଣୁ ନାଁ ତୋ ହରିପ୍ରିୟା ॥
ଯା' ପାଦ ଚିନ୍ତନ୍ତି ମୁନି ଋଷିଗଣ
ତା ମୁଣ୍ଡରେ ସ୍ଥାନ ତୋର,
କି ତପ କରିଲୁ ନିଷ୍ଠାର ସହିତ
କାଳିଆ କଲା ଆଦର ॥
ବେକରେ ନାହିଛି ଶିରରେ ଖୋସିଛି
ଭୋଗରେ ଖାଉଛି ନୀତି,
କାଳିଆ ଦେହରେ ଲାଗି ରହୁ ସଦା
ଏ କେମିତିକା ଭାବ ପ୍ରୀତି ॥
ତୋର ସେବା ଯେଉଁ ଜନ କରି ଥାଏ
ପ୍ରାପ୍ତି ହୁଏ ବିଷ୍ନୁଲୋକ,
ତୋର ମୂଳେ ନୀତି ଜଳ ଲାଗି କଲେ
ମିଳଇ ଐଶ୍ୱର୍ଯ୍ୟ ସୁଖ ॥
ପତର ଭିତରେ ସାର ତୋ ପତର
ପାଇଲେ ହେଉ ପବିତ୍ର ,
ତୋ ଛଡା ତୁଳସୀ ପାଇଁ ସଦା ମନ
ହେଉଥାଏ ବ୍ୟାକୁଳିତ ॥
ସତୀ ବୃନ୍ଦାବତୀ ତୋର ଅଭିଶାପେ
ପ୍ରଭୁ ତୋତେ ମୁଣ୍ଡେଇଲେ,
ବିଷ୍ଣୁ ବଲ୍ଲଭ ନାମ ଦେଲେ ତୋର
ହରି ତୋତେ ସାଥି କଲେ ॥
ତୁ ମା 'ବୈଷ୍ଣବୀ ତୁ ମା' ମଞ୍ଜରୀ
ତୁହି ପୁଣି ମହାଲକ୍ଷ୍ମୀ,
ହୀରା ଲୀଳା ଠାରୁ ତୁହି ମୂଲ୍ୟବାନ
ତୁହି ଅଟୁ ଭାରି ଦାମୀ ॥
ରାଧା ମୀରା ଠାରୁ ଅଧିକ ନିଜର
ତୁହି ଲୋ କଳା ତୁଳସୀ,
ହସୁ ଥାଏ ସଦା ତୋତେ ପାଇ ଜଗା
ରଖିଛି ମଥାରେ ଖୋସି ॥
କାର୍ତ୍ତିକ ମାସର ବଡ ଏକାଦଶୀ
ତୋର ବିବାହର ଦିନ,
ସେହି ଦିନ ତୁହି ବିଭା ହେଉ ପୁଣି
ବର ଶ୍ରୀ ମଧୁସୂଦନ ॥
ତୋହରି ମାଳାକୁ ପିନ୍ଧିଲେ ବେକରେ
ହୃଦୟରେ ଶାନ୍ତି ମିଳେ
ବହୁ ରୋଗରୁ ତୁ ମୁକ୍ତି ଦିଅଉ
ଖାଏ ଯିଏ ସବୁବେଳେ ॥
ବୈଶାଖ ମାସରେ ତୋର ମଥାପରେ
ବସନ୍ତରା ଠେକି ବାନ୍ଧି,
ଜଳ ଲାଗିକଲେ ମିଳେ ପୁଣି ମୋକ୍ଷ
ବିଷ୍ଣୁ ଖୁସି ହୋଇଥାନ୍ତି ॥
ରବିବାର, ଏକାଦଶୀ କି ରଜନୀ
ଅବା ହେଉ ଅସମୟରେ
ଯେଉଁ ଜନ ତୋତେ ଛୁଏଁ ଯାଇ ସଦା
କୋପ ହେଇ ଥାଉ ତାରେ ॥
ଏତିକି ଆଶିଷ କରିବୁ ଲୋ ମା'
ତୋ ସେବାରେ ଦିନ ଯାଉ,
ଜଗତ ମଙ୍ଗଳ କାମରେ ସଦା ମୋ
ଜୀବନଟି ବ୍ୟସ୍ତ ରହୁ ॥
ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର
