କାର୍ତ୍ତିକ ପୁନେଇଁ - ନାରାୟଣ ଚନ୍ଦ୍ର ସେନାପତି

0

ଆଜିର ଓଡିଆ ବୋହୂର ଆଶା ଭରସାର ସୋଲ ଡଙ୍ଗାଟା
ହଲି ହଲି ଝୁଲିଯାଏ ଯେବେ ବିଶ୍ୱାସର କୂଳକୁ
ସେନେହ ଶରଧାର ଧୂପଟି ବାସି ମହକାଏ ଅନ୍ତରେ
ମମତାର ଦୀପ ଜଳି ଜଳି ଜାଳିଦିଏ ଆଳସ୍ୟର ଶୁଖିଲା ପତ୍ରକୁ
ଆବେଗରେ ଉଦ୍ଦୀପନାଟା ହାତହଲାଇ
ଦେଇଥାଏ କେତେ ଆଶ୍ୱାସନା॥
ସେଦିନର ସାଧବ ବୋହୂର ହୃଦୟର ଅର୍ଘ୍ୟ
ବନ୍ଦାଉଥିଲା ବିଶ୍ୱସ୍ଥର ବିଭୂଙ୍କୁ ପ୍ରାଣ ମନ୍ଦିରରେ
ପ୍ରୀତିର କଇଁଫୁଲଟା ଫୁଟି ହସୁଥିଲା ପ୍ରେମ କୁଞ୍ଜବନେ
ଆଶିଷର କଅଁଳ ରଶ୍ମୀ ଅଜାଡି ହୋଇ ପଡୁଥିଲା
ଦରଦୀ ସାଧବ ପୁଅର ନିଷ୍କପଟ ଆତ୍ମା ଗାଲିଚାରେ
ନିଷ୍ଠାର କାର୍ତ୍ତିକରେ ତ୍ୟାଗର ଚନ୍ଦ୍ରମାଟା..
ବିଭବ ଜୋଛନାରେ ଭରୁଥିଲା ତା ଭଣ୍ଡାର
କର୍ମଠତା ଦେଉଥିଲା ପ୍ରଶଂସା ପତ୍ର ଗୌରବର ରଙ୍ଗମଞ୍ଚରେ
ଦେଇଥିଲା ମିଠା ମିଠା ସଫଳ ଅଭ୍ୟର୍ଥନା॥
ଆଜି ହୃତ ଗୌରବର ଆକାଂକ୍ଷାଟା ସିନା
କଇଁ କଇଁ କାନ୍ଦୁଛି ପ୍ରାତଃର ନଦୀପଟାରେ
କିନ୍ତୁ ମଉଳା ମନଟା ବସା ବାନ୍ଧିଛି ଲେଉଟାଣି ଗୌରବକୁ
ଅଭୀପ୍ସାଟାବି ସାଜିଛି ଏକନିଷ୍ଠ ସାଧକ
ଅପେକ୍ଷା କରିଛି ଆଜିର ଆଧୁନିକ ସାଧବର ସଫଳତାକୁ
ପିନ୍ଧାଇବ ନବୀନ ଇତିହାସର ତୀଳକ
ପୁରାଣର ରାଜକୀୟ ଦେବ ପୋଷାକ
ଏଇ କାର୍ତ୍ତିକ ପୁନେଇଁରେ..
ଡାକି ଡାକି ଆ..କା..ମା..ଭୈ ॥
ଦେବ ଦୀପାବଳୀର ଫୁଲଝରିଟା
ସିନ୍ଦୁରାଫଟାଇ ଯେବେ ସ୍ମରଣକରେ
ପୁର୍ବପୁରୁଷଙ୍କୁ ଶ୍ରଦ୍ଧାରେ
ଆତିଥ୍ୟତାର ପୂଜାଥାଳିରେ ଭରନ୍ତି ପାନବଗୁଆର ବଟୁଆ
ଶେଷ କରି ହବିଷର ଅନ୍ତିମ ଦିବସ
ସ୍ୱାଗତ କରନ୍ତି ପ୍ରଫୁଲ୍ଲତାର ବାଲିଯାତ୍ରାକୁ
ପବିତ୍ର ଓଡିଶା ପତିତପାବନିର ବାଲିପଟାରେ,
ମନେ ମନେ ବନ୍ଦନ୍ତି ବନ୍ଦନୀୟ ଗୁରୁ ନାନକ
ତାଙ୍କ ସ୍ୱନକ୍ଷତ୍ର ଦିବସରେ
ଅର୍ପଣ କରନ୍ତି ପୂଜା ଭୋଗ..
ଆଉ ପବିତ୍ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)