କାଳିଆକୁ ଚିଠିଟିଏ - ପ୍ରଣତୀ ମହାପାତ୍ର

0
କାଳିଆରେ ନେବୁ ମୋର ଜୁହାର,
ଲେଖିଛି ଚିଟାଉ ଆଜିପାଖକୁ ତୋର,
ପଢିବୁ ଶରଧାରେ ବୀନତି ମୋର,
ବଡଭାଇ, ଭଉଣୀଙ୍କୁ କୋଟି ଜୁହାର।

ମୋ ଭାଗ୍ୟ ତୁ ଲେଖିଛୁରେ
ପଥର ତଳେ,
ଦୁଃଖର ପାହାଡେ ବସି
ଲୁହ ମୁଁ ଢାଳେ,
ମୋ ଲୁହ ତ ମୋ ପାଇଁ
ସୁଖ ଝରଣା,
କାହିଁକି କରିବି ଆଉ
କେଉଁ ଭାବନା,
କୁହୁଳି କୁହୁଳି ଆଜି
ଅନ୍ତର ଜଳେ ।
ମୋ ଭାଗ୍ୟ ତୁ ଲେଖିଛୁରେ...

କଷ୍ଟ କଲେ କହନ୍ତି ତ
ଶ୍ରୀକୃଷ୍ଣ ମିଳେ,
ଅଫଳନ୍ତି ବୃକ୍ଷ ଡାଳେ
ଫଳ ତ ଫଳେ,
ହାତ ପାହାନ୍ତାରେ ଥାଇ
ଖାଲି ମୁଁ ଅଣ୍ଡାଳେ,
ଭୋଗୁଛି ମୁଁ ଭୋଗୁଥିବି
ମୋ କର୍ମଫଳେ,
ଭାଗ୍ୟ ଯା'ର ବିପର୍ଯ୍ୟୟ
ଦୁର୍ଭାଗ୍ୟ କୋଳେ।
ମୋ ଭାଗ୍ୟ ତୁ ଲେଖିଛୁରେ...

ତୁହି ଭାବଗ୍ରାହୀ ପରା
ଜଗତନାଥ,
ତୋହରି ଆଜ୍ଞା ରେ ସର୍ବେ
ହ୍ଯୁନ୍ତି ଆତଯାତ,
ହେଲେ ମୋ ଠାରୁ ତୁ
ବେଶୀ ଅନାଥ,
ହଜିଯାଏ ଅଙ୍ଗବସ୍ତ୍ର
ଦେଖୁଥାଉ ସତ,
ତଥାପି ତୁ ରହିଅଛୁ
ଜଗଜ୍ଜନ ମେଳେ।
ମୋ ଭାଗ୍ୟ ତୁ ଲେଖିଛୁରେ
ପଥର ତଳେ।
ମୋ ଭାଗ୍ୟ ତୁ ଲେଖିଛୁରେ...


ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0Comments
Post a Comment (0)