ବାପଙ୍କୁ କହିଛି ବଜାରୁ ଆଣିବେ
ଭୋଗ ରାଗ ଫଳମୂଳ
ମାଆକୁ କହିଛି ସଜାଡି ରଖିବ
ଗୁଆ ସାଥେ ଆମ୍ବଡାଳ ।
ସକାଳ ପହରୁ ଭାଇ ମୋର ଉଠି
ଲାଗିଅଛି ପୂଜା କାମେ
ସଜେଇ ରଖିଛୁ ପୂଜା ମଣ୍ଡପକୁ
ଆସିବ ବୋଲି ହେ ତୁମେ ।
ଆସ ଲମ୍ବୋଦର ମହେଶ କୁମର
ସରଗୁ ଓହ୍ଲେଇ ଆସ
ଗଢିଥିବା ସେଇ ଟିକି ମଣ୍ଡପରେ
ଆସି ଥରେ ତୁମେ ବସ ।
ମୂଷିକ ସାଥିରେ ଆସ ଗଜାନନ
ରଖିଅଛି ଖସା ଲଡୁ
ଆଜିର ଦିନରେ ତୁମରି ନଜର
ଆମ ଆଡେ ଟିକେ ପଡୁ ।
ହାତଯୋଡି ବାରେ କରୁଛି ମିନତୀ
ଜାଣିନାହିଁ ପୂଜାବିଧି
ଦୋଷ ଥିଲେ କ୍ଷମା କରିଦେବ ପ୍ରଭୁ
ଦୟାବନ୍ତ ଦୟାନିଧି ।
ମାଆ କହୁଥିଲା ତୁମେ ପରା ପ୍ରଭୁ
ଦୁନିଆରେ ସର୍ବଶ୍ରେଷ୍ଠ
ସକଳ କର୍ମରେ ତୁମକୁ ପୁଜିଲେ
ସବୁ ରିଷ୍ଟ ହୁଏ ନଷ୍ଟ ।
ଵିଦ୍ୟାର ଠାକୁର ତୁମେ ବିଦ୍ୟାଧର
ବାପା କହୁଥିଲେ ମତେ
ତୁମ ବୁଦ୍ଧିବଳେ ସବୁଠୁ ଆଗୁଆ
ପାଉଛ ପୂଜା ଜଗତେ ।
ଦିଅ ଦିବ୍ୟଞାନ ଶଙ୍କର ସନ୍ତାନ
ଗଣପତି ଗଣନାଥ
ଆସ ବକ୍ରତୁଣ୍ଡ କରନାହିଁ ଡେରି
ଯୋଡୁଅଛି ଦୁଇ ହାତ ।
ଧୂପ ଦୀପ ଫୁଲ ସଜାଡି ରଖିଛି
ମଣ୍ଡପ ହୋଇଛି ସଜା
ପ୍ରାର୍ଥନା ବୋଲିବି ନଡିଆ ପିଟିବି
କରିବି ତୁମରି ପୂଜା ।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ:୯୮୫୩୩୫୪୯୩୮
ତୁମକୁ କରିବି ପୂଜା - ପ୍ରକାଶ କୁମାର ଚାନ୍ଦ
September 13, 2018
0
