ପୂର୍ବବର୍ତ୍ତୀ ଭାଗ

ଆଜି କୋର୍ଟ ପରିସର ଲୋକାରଣ୍ୟ । ଦିନାକୁ ପୋଲିସ୍ ଘେରା ଭିତରେ ଅଣାଯାଉଥାଏ । ବିଚରା ମନରେ ଅନେକ ସନ୍ଦେହ । ଏତେ ଲୋକ କାହିଁକି ଜମା ହୋଇଛନ୍ତି ।ସେ'ତ ବିଚାରାଧୀନ କଏଦୀ ! ଶୁଣିବାକୁ ପାଇଲା --ଆଜି ବାରିଷ୍ଟର ସତ୍ୟପ୍ରିୟ ରାମ୍ ଓରଫ ଟିମ୍ପା ରାମ୍ ଙ୍କ ବୁଦ୍ଧିର ଚମତ୍କାରୀତା ଦେଖିବାକୁ ମିଳିବ । ଦିନା ମନରେ ଅନେକ ଆଶଙ୍କା ।ପୋଲିସଙ୍କ ପଛରେ ନିରବରେ ଚାଲିଥାଏ ।ବାଟରେ ଟିମ୍ପା ରାମ୍ ଙ୍କ ଦୁଇ ସହଯୋଗୀଙ୍କୁ ଭେଟ ହେଲା ।ମୁରୁକି ହସା ଦେଇ ଦୁହେଁ ଚାଲିଗଲେ । ଲାଗିଲା ସତେ ଯେମିତି ସେ ଦୁଇ ଜଣ ଏଇ ଦିନକୁ ଅପେକ୍ଷା କରି ରହିଥିଲେ । ଟିମ୍ପା ରାମ୍ ର ଦୁଇ ଜଣ ସହଯୋଗୀ ଦୁଇ ଭାଇ ଭଳି ବ୍ୟବହାରରୁ ଲାଗୁଥିଲେ । କେଉଁ ଚିର ଇପସିତ ସାଧନାର ଫଳ ସତେ ଯେମିତି ସେମାନଙ୍କ ହାତ ମୁଠାରେ ।ଆଉ ମାତ୍ର କେଇ ମୁହୂର୍ତ୍ତ ପରେ ପାଇଯିବେ । ଶାଗୁଣା ଡେଣା ବାଡେଇ ଉଡିଗଲା ପରି କୋର୍ଟ ଅଗଣା ଭିତରେ କାହାକୁ ଡାକିଡାକି ଲୁଚିଗଲେ ।

ଦଶ ବର୍ଷ ତଳେ କାମିୟା ରାଓ ଓକିଲ ହେବା ନିଶାରେ ବାରିଷ୍ଟର ଟିମ୍ପା ରାମ୍ ର ଆସିଷ୍ଟାଣ୍ଟ ହେବାକୁ ଆସିଥିଲା ।ଟିମ୍ପା ରାମ୍ ଥିଲା ତା'ପାଇଁ ଦେବତା ତୁଲ୍ୟ ।ଟିମ୍ପା ରାମ୍ ବି କାମୟାକୁ ଏବେ ନିଜର ଘନିଷ୍ଠ ସହଯୋଗୀ ରୂପେ ବିଶ୍ବାସ କରେ ।କାହିଁକି ନ କରିବ ? ଯେଉଁ ମଣିଷଟା ନିଜ ଭଉଣୀକୁ ତା' ହାତରେ ଟେକି ଦେଇ ପାରେ ବିନା ଦ୍ବିଧାରେ ,ଆଖିବୁଜି ରହିପାରେ ନିରୀହାମାନଙ୍କର ଶିକାର ସମୟରେ ।ଆଉ ସେମାନଙ୍କୁ ବୁଝାଇ ପାରେ ବଞ୍ଚିବାର ସୁକ୍ଷ୍ମ ରହସ୍ୟ ,ଜିତିବାର ଆତ୍ମତୃପ୍ତି ।ଅହରହ ଛାୟାପରି ରହିଥାଏ ଟିମ୍ପା ରାମ୍ ର ପାଖେପାଖେ ।ଅନ୍ୟ ସହଯୋଗୀଟି ଆସିଛି ଦୂର ମଫସଲରୁ ।କଥାବାର୍ତ୍ତା ଓ ଚଳନିରେ ଟିକେ ଖାପଛଡା ।ବିଚରା ଦୁଇ ବର୍ଷ ତଳେ ଝିଅ ଓ ସ୍ତ୍ରୀ ସହ ଆସିଥିଲା ଟିମ୍ପା ରାମ୍ ପାଖକୁ ।ଏବେ ଦୁନିଆଁରେ ରହିଯାଇଛି ଏକା ହୋଇ ।କାମିୟା ବି ଭଲରେ ବୁଝାଇ ଦେଇଛି -ଆପେ ଜୀଇଁଲେ ବାପର ନାଆଁ ।ବେଳେବେଳେ ସେ ବିଲ ପାହାଡକୁ ଖୋଜେ ହେଲେ କାମିୟାର ଦର୍ଶନ ଛାଟରେ ଫେରିଆସେ ଟିମ୍ପା ରାମ୍ ର ସାମ୍ରାଜ୍ୟକୁ । କେବେ କେବେ ସର୍ବାଙ୍ଗ ଲାଲ ପଡିଯାଏ ।କ'ଣ ଗୁଡାଏ ବକିଚାଲେ ---ମୁଁ କବି ବାହୁବଳେନ୍ଦ୍ର ତା'କୁ ଛାଡିବିନି...ଛାଡିବିନି ...।କାମିୟା ଧାଇଁ ଆସେ ।ତାପରେ ସବୁ ଶାନ୍ତ । କବି ବାହୁବଳେନ୍ଦ୍ରକୁ ପାଖରେ ରଖିବାକୁ ହେବ ।ତାକୁ ଜୀଆଁଇ ରଖିବାକୁ ହେବ ।ଆଉ କେତୋଟିକୁ ହତ୍ୟା କରାଯିବ ଯେ।ଟିମ୍ପା ରାମ୍ ନାମରେ ହତ୍ୟା କେସ୍ ଚାଲିଛି ।ଟିମ୍ପା ସାକ୍ଷୀ ଦେବ ତା' ସ୍ତ୍ରୀ ଓ ଝିଅ ଆତ୍ମହତ୍ୟା କରିଛନ୍ତି ।ସେମାନଙ୍କୁ ଟିମ୍ପା ରୂପି ଶାଗୁଣାର ପରିବାର ଖୁମ୍ପିଖୁମ୍ପି ମାରି ନାହାଁନ୍ତି । କବି ବାହୁବଳେନ୍ଦ୍ରକୁ ପାଖରେ ରଖିଛି କାମୟା କାଳେ କିଛି ଅଘଟଣ କରିଦେବ ।ଆଜି ବିଶେଷ ଶୁଣାଣୀ ହେବ କବି ର ସ୍ତ୍ରୀ ଓ ଝିଅ ହତ୍ୟାକାଣ୍ଡର ।ଟିମ୍ପା ରାମ୍ ର ଭାଗ୍ୟ ନିର୍ଣ୍ଣୟ ହେବ ।ପ୍ରମାଣର ଉପସ୍ଥାପନା ହେଲେ ବିଚାର ଆଗକୁ ବଢିବ ।ଟିମ୍ପା ରହିବ ଜେଲରେ ବିଚାରାଧୀନ କଏଦୀ ଭାବେ ।ହେଲେ ନିଜ କେସ୍ ଟିମ୍ପା ତ ନିଜେ ଲଢ଼ୁଛି ।ସମସ୍ତେ ଚାହିଁ ରହିଛନ୍ତି ବିଚାରପତିଙ୍କ ଆଗମନକୁ ।

ଅର୍ଡର...ଅର୍ଡର ...କୋର୍ଟ କାର୍ଯ୍ୟ ଆରମ୍ଭ ହେଉ ।ଦିନେଶ୍ ରାଉତ ହାଜିର ହୋ ...ସମସ୍ତେ ବୋକା ପାଲଟି ଯାଇଥିଲେ ।ଏ କ'ଣ ଦିନେଶ୍ କୁ କାହିଁକି ପ୍ରଥମେ ଡକା ଯାଉଛି ?ଟିମ୍ପା ରାମ୍ ମୁହଁରେ ବିଜୟର ହସ ...ଲାଗୁଥିଲା ହସି ହସି ତା'ର ଶାଗୁଣା ବଂଶଧରମାନଙ୍କୁ ଡାକୁଛି --ଆସ ଭୋଜନ ପ୍ରସ୍ତୁତ...! କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ,ଖୋର୍ଦ୍ଧା