ପ୍ରେମଫଗୁ ସବୁ ରଖିଛି ସାଇତି
ତୋ'ଦେହରେ ଦେବି ବୋଳି,
ବରଷକେ ଥରେ ଆସିଛି ହୋଲି ଲୋ
ଏ ସୁଯୋଗ ଛାଡିବିନି ॥

ସ୍ନେହଁ ପ୍ରେମ ସବୁ ଦେବା ଲୋ ଅଜାଡି
ପ୍ରେମର ମନ୍ତର ଗାଇ,
ଦୁନିଆଁ ଜାଣିବ ଆମ ରଙ୍ଗ ଛିଟା
ଲାଗିଲେ ଛାଡିବ ନାଇଁ ॥


ଅଭିମାନ ଜମା କରିବନି ପ୍ରିୟା
ଏ ରଙ୍ଗ ଅବିର ଖେଳେ,
ସମସ୍ତଙ୍କ ଦେହେ ବୋଳିଦେବି ରଙ୍ଗ
ଆନନ୍ଦ ଉଲ୍ଲାସ ଭୋଳେ ॥

ତୁମ ପ୍ରେମ ରଙ୍ଗ ହୃଦୟେ ଲାଗିଛି
ସହଜରେ ଛାଡିବନି,
କୁହ ପ୍ରିୟା ମୋତେ ଭଲପାଅ କେତେ
ଏ ଶୁଭ ଲଗନରେ ଆଜି ॥


ହୋଲି ତ ଆସିଛି ବରଷକ ଥରେ
କାଲି କି କେ ଯିବ ଭୁଲି,
ଆମପ୍ରେମ ସ୍ମୃତି ଭୁଲିତ ହବନି
ଗାଉଚି ମୁଁ ପ୍ରେମ ଗୀତି ॥

ରଙ୍ଗଥଳି ଧରି ଆସ ପ୍ରିୟା ସାଥେ
ସରାଗ ମନରେ ତୁମେ,
ବୁଲି ବୁଲି ଆଜି ବୋଳିଦେବା ରଙ୍ଗ
ଦୁନିଆଁ ହସିବ ସତେ ॥


ଗୁରୁ ଗୁରୁଜନ ଶ୍ରୀଚରଣେ ରଙ୍ଗ
କରିବାତ ସମର୍ପଣ,
ଦଣ୍ଡବତ ହୋଇ ମାଗିବା ଆଶିଷ
ଦୁନିଆଁ ହସିବ ସତ ॥

ରଙ୍ଗରେ ରେଙ୍ଗାଲି ହୁଏନି ପାଶୋରି
ହସୁଥାରେ ହୋଲି ତୁହି
ରଙ୍ଗର ପସରା ହବନିରେ ଖାଲି
ଆସୁଥିବୁ ନେଇ ଖୁସି ॥






ସଦାନନ୍ଦ ସାହୁ, ଧୁରୁସିଆ, କଟକ