ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ /୧୩, ସେକ୍ଟର- ୪, ରାଉରକେଲା

ଦେଖୁଛ ତ ଏହି ଦାରୁଣ ନିଦାଘ ଗ୍ରୀଷ୍ମ ପ୍ରବାହ
କଥା ମାନିଯାଅ ଜାଳନି ତାପରେ ଆପଣା ଦେହ
ଧୀର ହେଉ ପଛେ ଚାଲିବାକୁ ଅଛି ପଥ ପ୍ରତ୍ୟହ
କ୍ଳାନ୍ତିକୁ ମେଣ୍ଟାଇ ଶାନ୍ତିରେ କିପାଇଁ ନ ଯିବା କୁହ
ଟିକେ ରହ, ଟିକେ ରହ ।

ପହଞ୍ଚିବା ଅଛି ସୁଦୂର ଲକ୍ଷ୍ୟରେ ସରିଲେ ରାହ
ଧଇଁସଇଁ ତୁମେ ଏବେଠୁଁ ହେଲଣି କିସ ବା ଚାହଁ
ସ୍ବେଦ ବାରି ଝରି ଭିଜି ତ ଗଲାଣି ସମଗ୍ର ଦେହ
ଏଇଠି ଟିକିଏ ଶୀତଳ ଛାଇରେ ନିଶ୍ବାସ ବାହ
ଟିକେ ରହ, ଟିକେ ରହ ।

ଏତେ ବେଳ ଯାଏଁ ଆଖିରୁ ତୁମର ସରିନି ଲୁହ
ବେଳକୁ ବେଳ ଯେ ଘାରୁଛି ତୁମକୁ ଘରର ମୋହ
ଜାଣିଛି ହେ ସଖା ହୃଦରେ ତୁମର ଯେତେକ କୋହ
ମିଥ୍ୟା ପ୍ରବଞ୍ଚନା ଭୌତିକ ଜଗତେ ଅସାର ବ୍ୟୁହ
ଟିକେ ରହ, ଟିକେ ରହ ।

ପୁତ୍ର କଳତ୍ରର ସଂସାରେ ଜୀଇଁଲ କରି ବିବାହ
ମମତ୍ବ ମୋହରେ ଅନ୍ଧ ହୋଇଗଲେ ସାରା କଳହ
ଜନମ ମରଣ ଚକ୍ରରେ ଘୁରିବା ଲୀଳା ଯେ ଇହ
ଉପରୁ ତଳକୁ ଆସି ଉପରକୁ ଯାତ୍ରା ବିଦେହ
ଟିକେ ରହ, ଟିକେ ରହ ।

ଶରୀରଟା ସାଥେ ଏମନ୍ତେ କରିବା କିପାଇଁ ଦ୍ରୋହ
ଅଧା ବାଟଟାରେ ବିଫଳ ହୋଇଲେ ହେବ ଅସହ୍ୟ
ଆଉ କେତେ ବାଟ ବାକି ଅଛି ଯାହା ଯିବା କି ନୁହଁ
ଈପ୍ସିତ ଲକ୍ଷ୍ୟରେ ପହଞ୍ଚିବା ନିଶ୍ଚେ ଦାନ୍ତିର ସହ
ଟିକେ ରହ, ଟିକେ ରହ ।