ବିବଶ କାହାଣୀ - ସନ୍ତୋଷ ପଟ୍ଟନାୟକ

0

ବାଜି, ଚାଖି, ଦୋରା ଆଉ ଚକରା, ଧରଣୀ 
ଜୟୀ ରାଜଗୁରୁ, ପାଟ୍ଟମହାଦେଈ ରାଣୀ,
ତୁମ୍ଭ ସ୍ଵାଭିମାନେ ଗର୍ବ ଉତ୍କଳ ଜନନୀ 
ଆସି ଦେଖ ସର୍ବେ ଏକ ବିଵଶ କାହାଣୀ ॥

ସଚିବ ତିଆରି ଏକ ଛତ୍ରୀ ଶାସନରେ
ନିଦ୍ରା ଛନ୍ତି ରାଜା ଏବେ ସୁଖ ଛାଉଣିରେ
ସ୍ଵାଭିମାନ ବନ୍ଧା ଆଜି ସାଲିସ୍‌ର ବଣେ 
ଗୁରୁଙ୍କର ମଥା ଏଠି ବାରମ୍ବାର ଭ୍ରମେ ॥

ଚୁକ୍ତି କରି ଦେଲେ ଗୁରୁ ସ୍ଵାଭିମାନ ବିକି 
ଛାତ୍ରଛାତ୍ରୀଙ୍କର ନାହିଁ ପାଠରେ ସଉକି 
କୃଷକର ପାଖେ ଏବେ ବିହନ ସମାଧି
ଶ୍ରମିକକୁ ମିଳେ ଏଠି ଦାଦନ ଉପାଧି ॥

ଦରମାଖିଆଏ ହେଲେ ନୂଆ ପୁଞ୍ଜିପତି 
ଶୋଷଣେ ଛନ୍ତି ପ୍ରଜାଏ ଦହନୀୟ ସ୍ଥିତି
ନ୍ୟାୟାଳୟ ଖେଳେ ପୁଣି ସଂସ୍କାରର ବାଜି
ବିବଶତା ତାଳେ ଏଠି ସର୍ବ ବୁଦ୍ଧିଜୀବି ॥

ଓଡ଼ିଆ ଭୁଲିଛି ନିଜ ଜାତି ପରିଚୟ 
ଆନ ବାପେ ଲଭିବାକୁ ସ୍ଵାର୍ଥର ବିଜୟ 
ସୁଖ ଶିରୀ ନାହିଁ ଆଉ ସବୁ ସାତପର 
ଉତ୍କଳ ଜନନୀ ଦୁଃଖ ଅସହ୍ୟ ଅପାର ॥

ଷଡ଼ୈକଳା, ଖରସୁଆଁ ଆଉ ସିଂହଭୂମି
ବସ୍ତର, ମେଦିନୀପୁର ଆଦି ଖଣ୍ଡ ଜମି 
କଟା ଅଙ୍ଗ ଥିଲା ଯାହା ଫେରି ନାହିଁ ଆଉ 
ଏବେ ପୁଣି ଷଡ଼ଯନ୍ତ୍ର ଦିଶେ ଦାଉ ଦାଉ ॥

ଜାଣେ ମୁହିଁ ତୁମ୍ଭେ ସର୍ବେ ଅମୃତ ସନ୍ତାନ 
ଦେଇ ଯାଅ ପ୍ରତି ପ୍ରାଣେ ବିଦ୍ରୋହର ସ୍ଵନ 
ତୁମ୍ଭ ଆଶୀର୍ବାଦେ ଜାଗୁ ଓଡ଼ିଆଙ୍କ ପ୍ରାଣ 
ସ୍ଥିତପ୍ରଜ୍ଞ ହୋନ୍ତୁ ସର୍ବେ ଲଭି ସ୍ଵାଭିମାନ ॥

ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)