ମାଗି ଖାଉଛି ଯେ ଲାଗି ଖାଏ ନାହିଁ
ନିର୍ଲଜ ଅକର୍ମାଟିଏ
ଶୁଙ୍ଘି ଶୁଣି ଜାଣେ ପରଘର ରନ୍ଧା
କେତେବେଳେ କ'ଣ ହୁଏ
ପରର ଅଲଣା ସୁଆଦିଆ ଲାଗେ
ଖାଇଯାଏ ଚାଟି ଚାଟି
ପରଚିଜ ଦେଖି ଗଡେ ତାର ଲାଳ
ପ୍ରଶଂସାକୁ ଦିଏ ବାଣ୍ଟି
   ବାଃ ବାଃ ରେ ମଗା ତିଅଣ
କାହାକୁ ସଜାଉ ଅମାବାସ୍ୟା ଜହ୍ନ
  ଭାଙ୍ଗୁ କାହା ସ୍ୱାଭିମାନ।

ଆଈ କହୁଥିଲା ବୁଝିଲୁ ନାତିଆ
ମଗା ତିଅଣ ସଡକେ
ନିଜ ଘର ରନ୍ଧା ଶାଗ ପଖାଳକୁ
ଭଲ ଭାବି ଟିକେ ଦେଖେ
ତୋ ଛିଣ୍ଡା ଚଦର ପିତାମ୍ବରୀ ପାଟ
ତୋ ପାଇଁ ସବୁଠୁ ବଡ଼
ପରର କାଶ୍ମୀରୀ ଶାଲ ଲୋଡନା ରେ
ରହିବନି ତୋର ତୋଡ
  ବାଃ ବାଃ ରେ ମଗା ତିଅଣ
ପର ଘର ଭାବୁ କାଶୀ ବୃନ୍ଦାବନ
   ନିଜ ଘରକୁ ଶ୍ମଶାନ।

ମାଗି ଖିଆଟିର ନ ଥାଏ ଇଜ୍ଜତ
ନ ଥାଏ ମାନ ମର୍ଯ୍ୟାଦା
ନିମିଷକେ ଖସେ ତଳଜୁ ତଳକୁ
ତୁଟାଇ ମମତା ଶ୍ରଦ୍ଧା
ତା ମାଆ ଭଉଣୀ ତା ପାଇଁ ନିମିତ୍ତ
ପର ମାଧୁରୀ ଶ୍ରୀଦେବୀ
ଆତ୍ମୀୟଙ୍କ ପ୍ରେମ ଲୁଣି ପାଣି ଲାଗେ
ପର ହସ ବାହା ବେଦୀ
    ଧନ୍ୟରେ ମଗା ତିଅଣ
ତୋ ପାଇଁ ଠାକୁର ପାଲଟେ ଛାଗଳ
  ହୀନ ସାଜେ ଭଗବାନ।

କେବେ ଭଡାଟିଆ ବସ୍ତ୍ର ପିନ୍ଧି ସାଜେ
ଯାତ୍ରା ପାର୍ଟି କଳାକାର
କେବେ ସାଜିବାକୁ ନାଗରୀ ନାଗର
ମାଗି ପିନ୍ଧେ ଅଳଙ୍କାର
କାହା ଗାଡି ମାଗି ସାଜେ ପାଇଲଟ
ଭୟ କରେ ରାଜରାସ୍ତା
କା ନାମ ନେଇ ସେ ନୀଳବର୍ଣ୍ଣି ସାଜେ
ଜୀବନକୁ କରେ ଶସ୍ତା
    ହାୟ ହାୟରେ ମଗା ତିଅଣ
ଆପଣା ମହତ ନର୍ଦ୍ଦମାରେ ଢାଳୁ
    କାନ୍ଦି କହେ ବାଇମନ।

କାହା ବାହୁ ବଳେ ଭାବେ ଶକ୍ତିମାନ
ସତେ କି ବିରାଟ ରଜା
ପଚାରି ଉଚାରି କପି ଚୋରି କରି
ଉଡାଏ ବିଜୟ ଧ୍ଵଜା
ନେତାଙ୍କ ପଛରେ ଲାଙ୍ଗୁଡ଼ ସାଜେ ସେ
ପାନ ବୋହି ନେତା ମନ୍ତ୍ରୀ
ଗାଡି ମନ୍ତ୍ରୀ ପାଖେ ଘସି ଫଟୋ ଟାଣି
ଫୁଲାଏ ଛବିଳ ଛାତି
  ଆଃ ଆଃ ରେ ମଗା ତିଅଣ
ଅକ୍ଷର ନ ଚିହ୍ନି ସାଜୁ ଭଞ୍ଜ ବ୍ୟାସ
  ବିଦ୍ୟା ନ ଚିହ୍ନି ବିଦ୍ୱାନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର