ସୁରମ୍ୟ ସୃଷ୍ଟିରେ ଭାରତୀ ମା'ହସେ
ଆହାକିତା ଶୋଭା ରାଜି ,
ବିସ୍ତୃତ ତା'ବକ୍ଷ ଚିତ୍ରରେ ଚିତ୍ରିତ
ବିଧାତା ଦେଇଛି ଖଞ୍ଜି ! !

ସୁଦୀର୍ଘ ପ୍ରସ୍ତସ୍ଥ ବିସ୍ଥାରିତ ଦେହ
ହିମାଳୟ ମଥାମଣି ,
ସାଗର ସଙ୍ଗମା ବୈଦେହୀ ସୁଷମା
ସାଜିଛୁ ବିଶ୍ଵରେ ରାଣୀ ! !

ସମ୍ପଦା ବିଭବା ଧନ ଧାନ୍ଯେ ପୂର୍ଣ୍ଣା
ସୁଜଳା ସୁଫଳା ମାତା ,
ଅନ୍ନପୂର୍ଣ୍ଣା ବୋଲି ଜଗତ ଜାଣିଛି
ବିମୋହିତ ସୃଷ୍ଟିକର୍ତ୍ତା ! !

ପ୍ରାକୃତିକ ଶୋଭା ବଡ଼ ମନ ଲୋଭା
କାଶ୍ମୀର ଭୂସର୍ଗ ଛବି ,
ସବୁଜିମା ଭାରା ସୁଶୀତଳ ଧରା
ଆଚମ୍ବିତ ବିଶ୍ଵଭବି ! !

କୋହିନୂର ହୀରା ଗଳା ରତ୍ନମାଳା
ବିଶ୍ଵରେ ବଦିତ ଆଜ ,
ସ୍ଵର୍ଣ୍ଣ ରୌପ୍ୟ ମୁକ୍ତା ମାତା ଅଭିଷିକ୍ତା
ବର୍ଣ୍ଣାଳି ଭାରତୀ ସଜ ! !

ଗଙ୍ଗା ଗୋଦାବରୀ ବ୍ରହ୍ମପୁତ୍ର ସାଥୀ
ନର୍ମଦା ସିନ୍ଧୁ କାବେରୀ ,
ପବିତ୍ର ନୀରରେ ପ୍ରବାହିତ କୋଳେ
ମଙ୍ଗଳ ବିଧାନକାରୀ ! !

ବିନ୍ଧ୍ୟ ହିମାଚଳ ଯମୁନା ଚଞ୍ଚଳ
ଅପୁର୍ବ ସୌନ୍ଦର୍ଯ୍ୟ ଯୋଗ ,
ପଞ୍ଜାବ ସମୃଦ୍ଧ ଗୁଜୁରାଟ ବିତ୍ତ
ଭାବପ୍ରୀତି ଅନୁରାଗ ! !

ମରାଠା ଦ୍ରାବିଡ ସ୍ଵର୍ଣ୍ଣ ବିଭୂଷିତ
ବଙ୍ଗ ପ୍ରଦେଶ ଜ୍ୟୋତି ,
ଉତ୍କଳ ସଂହିତା ସଂପଦ ଗ୍ରହୀତା
ମାଆ ଭାରତୀର ପ୍ରୀତି ! !

ବିଭିନ୍ନତା ମଧ୍ୟେ ଏକତାରେ ବାନ୍ଧେ
ଏଇତ ବୈଚିତ୍ର୍ୟମୟ ,
କୋଟିପ୍ରଣିପାତ ତୋତେ ମାଆ ସତ
ହେ'ମାଆ ଭାରତୀ ଜୟ ! !


ରଚନା : ସଦାନନ୍ଦ ସାହୁ

ଠିକଣା : ଧୁରୁଷିଆ, ଆଠଗଡ଼, କଟକ, ଦୂରଭାଷ : 7978517998