
ଶାଶୁ ଶଶୁରଙ୍କ ସେବା କରେ ପୁଅ
ଚାହା ସରବତ ଦେଇ,
ମାଆ କାନ୍ଦେ ନିତି ପୁଅ ପୁଅ ବୋଲି
ଜରା ନିବାସରେ ଥାଇ,,
ଦଶ ମାସ ଯିଏ ଗରଭେ ଧରିଣ
ଅନ୍ତ ଚିରି ଜାତ କଲା,
ମାଇପ ଆସିଲା ମାଆ ପର ହେଲା
ଇଏ କେଉଁ ରୀତି ଭଲା,,
ଉପା ସେ ରହିଣପେଟରୁ କାଟିଣ
ପୁଅ ମୁଖେ ଦାନା ଦେଲା,
ସିଏ ହେଲା ପର ଶାଶୁ ଯେ ନିଜର
ଜାୟା ଠାରେ ବାୟା ହେଲା,,
ଶାଶୁଙ୍କୁ ଶୁଆଏ ତୁଳି ତଳପରେ
ମାଆ ତଳେ ଗଡୁଥାଇ,
ଚିରା କନ୍ଥା ତା'ର ଚିର ସହଚର
କେଡେ ଅଭାଗିନୀ ସେହି,,
ଏହାତର ପାପ ସେ ହାତ ନେବନି
ଗରବ କରୁଛୁ କାହିଁ,
ନିଜେ ଗାତ ନିଜେ ଖୋଳୁଅଛୁ ସିନା
ସେଥିରେ ପଡ଼ିବୁ ତୁହି,,
ଯେମିତି ବୁଣିବୁ ସେମିତି ପାଇବୁ
ଏ କଥାକୁ ଟିକେ ଭାବ,
ତୋ ଠାରୁ ଶିଖିଣ ତୋ କୁଳ ନନ୍ଦନ
ଜରା ନିବାସ କୁ ନେବ,,
ଦୀପକ ପାଣିଗ୍ରାହୀ
