ସମୟ:
ମହାସିନ୍ଧୁର ବୁନ୍ଦାଏ ଜଳ,
ଯୋଗୀ ପାଇଁ ଯେମିତି
ଖରା, ବର୍ଷା, ଶୀତ ଓ କାକର
ସମୟ ସେମିତି ସ୍ଥିର, ଅଚଞ୍ଚଳ
ବ୍ରହ୍ମଦର୍ଶୀ, ମୌନାଚାରୀ, ପୂର୍ଣ୍ଣ ନିର୍ବିକାର ।
ପୃଥିବୀ: ପିଲାଙ୍କ ଖେଳନା ଭଳି
ନଟୁଟିଏ, ବୃହତ୍ ବିଶାଳ ।
ଘୂରୁଥାଏ ସେ
କେଉଁ ଅଦୃଶ୍ୟ ହାତର ଶକ୍ତିରେ
ଆମେ ତେଣୁ ମାତିଥାନ୍ତି
ଚକାଭଉଁରୀରେ ।
ରେଳଗାଡି ଯାତ୍ରୀର
ଷ୍ଟେସନ୍ ପରେ ଷ୍ଟେସନ୍ ଅତିକ୍ରମ ପରି
ଆମ ଆଗେ ଉଭା ହୁଏ
ସଞ୍ଜ ଓ ସକାଳ ।
ନଟୁଲଗ୍ନା ଆରୋହୀ ଆମେ
ଆମେ ଗଣୁଥାଉ
ଅସୁର ଢେଉ ଗଣିଲା ପରି
ଶେଷହୀନ କାଳ ।
ପୁରୁଣା ବର୍ଷ, ନୂଆବର୍ଷ .......
ଅର୍ଥ ଏଠି କ'ଣ ଯେ ?
ବର୍ଷ ଆସେନା, ଯାଏନାହିଁ ମଧ୍ୟ
ଆମେ କିନ୍ତୁ ଦୌଡୁଥାଉ ମୃତ୍ୟୁ ଗହ୍ବରକୁ
ବୃଥା ବାହାସ୍ଫୋଟ ମାରି
ଦେଖାଉଥାଉ ଆମର ଛଟକ
ଭୁଲିଯାଉ ଜୀବନର ନିଷ୍ଠୁର ସତ୍ୟକୁ ।
ଆସ ଆମେ ଏକାକାର ହେବା
ଏକ ଝଡଗ୍ରସ୍ତ ନୌକାର ଯାତ୍ରୀ ଭଳି
ମନରୁ ପ୍ରପଞ୍ଚ ଭାବନା
ଦୂରେ ଫିଙ୍ଗିଦେବା ।
ପୁରୁଣା ଷ୍ଟେସନ୍ ରୁ ସାଉଁଟିଥିବା
ଅନୁଭୂତିକୁ ସମୀକ୍ଷା କରି
ନୂଆ ଷ୍ଟେସନ୍ ରେ ସାମୟିକ ରହଣୀ ପାଇଁ
ଅଭିନବ ଯୋଜନା ଗଢିବା ।
ନଟୁ ଦେହରେ ଲାଖିଥିବା ଆମେମାନେ
ଶିଶୁଙ୍କ ଭଳି ହସୁଥିବା ପ୍ରାଣଖୋଲି
ମନ ଉଚ୍ଚାଟରେ,
ମହାଶୂନ୍ୟରୁ ଶୁଭୁଥିବା ଓଁ ନାଦ ସହିତ
ଆମ ସ୍ବର ମିଳାଇବା ସମାନ ତାଳରେ ।
0 Comments
You can write now your valuable comments here. Off-topic comments may be removed or deleted without prior notice.