ବଂଶାନୁଚରିତ (ସମ୍ଭବପର୍ବ)

ବଇବସୁତ ମନୁ ହୋଇଲେ ପ୍ରଳମ
ତବ ପ୍ରସନ୍ନେ ମୁନି ମୁଁ ଅରଜିଲି ଅନେକ ଧର୍ମ ।୧ ।
ଶ୍ରୀକରେ ଅର୍ଘ୍ୟ ଘେନି ପଖାଳିଲେ ପାଦ ବେନି
ମୋକ୍ଷକଇଂ କାରଣ ମୋତେ କହିବା ଅଗସ୍ତି ମହାମୁନି ।୨ ।
ବସନ କୁଣ୍ଡଳ ରତ୍ନମାଳ ଗନ୍ଧ ୟେ ଚନ୍ଦନ
ଧୂପ ଦୀପ ନଇବେଦ୍ୟ ଉପହାର ନାନା ଦ୍ରବ୍ୟମାନ ।୩ ।
ୟେତେକ ଦେଇଣ ସେ ମନୁ ମହାରାଜା
ଅନେକ ବାଗେଣ ସେ ମୁନିଙ୍କି କଲେ ପାଦପୂଜା ।୪ ।
ଘଟଋଷିର ନନ୍ଦନ ମୋତେ ପ୍ରତିକାର କରିବା
ତୋହୋର ପଦ୍ମପାଦେ ମୋହୋର ଅହର୍ନିଶି ସେବା ।୫ ।
ବଦୟନ୍ତି ମହାମୁନି ଶୁଣ ଯୁଗପତି
ସପତଦ୍ୱୀପା ପୃଥୀରେ ସୋମବଂଶହିଂ ଆଧିପତି ।୬ ।
ଆଦି ହୁଂ ଶୂନ୍ୟ ଶୂନ୍ୟହୁଂ ଜାତ ପବନ
ପବନ ହୁଂ ଜାତ ହୋଇଲେ ଯୋଗପୁରୁଷ ଶୂନ୍ୟ ।୭ ।
ଯୋଗପୁରୁଷ ତହୁଂ ଉପୁଜିଲା ଗାୟତିରୀ
ୟେହାଙ୍କର ତହୁଂ ଉପୁଜିଲା ମହାମନ୍ତ୍ର ଚାରି ।୮ ।
ୟେ ମହାମନ୍ତ୍ର ତହୁଂ ଉପୁଜିଲା ଚାରିପାଦ
ୟେଥୁଂ ଉତପତ୍ତି ହୋଇଲେ ଯମଦ ।୯ ।
ଯମଦୁଂ ଉତପତ୍ତି ହୋଇଲା କର୍ମଣ
ୟେହାର ତହୁଂ ଉତପତ୍ତି ହୋଇଲା ନିରିଗୁଣ ।୧୦ ।
ନିର୍ଗୁଣ ତହୁଂ ଉତପତ୍ତି ହୋଇଲା ବୁଦୁବୁଦ
ବୁବୁବୁଦରୁ ଉପୁଜିଲା ଅଣ୍ଡ ଯେ ବିବୁଧ ।୧୧ ।
ଅଣ୍ଡ ଫୁଟିଣ ସେ ହୋଇଲା ନିରଞ୍ଜନ
ନିରଞ୍ଜନୁଂ ଶକତି ହୋଇଲା ଉତପନ ।୧୨ ।
ଶକତି ତହୁଂ ଉତପତ୍ତି ହୋଇଲେ ପୁତ୍ର ତିନି
ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ନାମ ଘେନି ।୧୩ ।
ଆହୋ ତ୍ରିଦଶ ଦେବତାୟେ ଯେ ମନ୍ଥିଲେ ସମୁଦର
ତହୁଂ ଉତପତ୍ତି ହୋଇଲେ ଶଶଧର ।୧୪ ।
ଶଶଧରୁଂ ଉତପତ୍ତି ହୋଇଲା ସନ୍ତତି
ସତାଇଶ କନ୍ୟା ପ୍ରଦାନ କଲା ଦଚ୍ଛ ପ୍ରଜାପତି ।୧୫ ।
ଚନ୍ଦ୍ର ହରିଲା ଯେ ବୃହସ୍ପତିଙ୍କ ଭାରିଯା ତାରା
ରସେଣ ପଡିଲା ସେ ଉତ୍ତମ ପରଦାରା ।୧୬ ।
ଚନ୍ଦ୍ରଙ୍କର ବୀର୍ଯ୍ୟେ, ତାରା କନ୍ୟାର ରଜେ
ତହୁଂ ଉତପତ୍ତି ହୋଇଲା ବୁଧ ନାମେଣ ଆତ୍ମଜେ ।୧୭ ।
ଆହୋ ବୁଧର ନନ୍ଦନ ଯେ ଅଟଇ ପୁରୁରବା
ଅମରାଧିନାଥ ସେ ହୋଇଲା ରାଜଦେବା ।୧୮ ।
ପୁରୁରବାୟେ ବାଣ୍ଟିଲେ ସଚରାଚର ପୃଥୀ
ନବଦ୍ୱୀପ ସପତ ସାଗର ବସାଇଲେ ବସୁମତୀ ।୧୯ ।
ପୁରୁରବାର ନନ୍ଦନ ଆୟୁ ମହୀପାଳେ
ୟେ ଯେ ସପତ ଦ୍ୱୀପା ପୃଥୀକି କଲା ୟେକସ୍ଥଳେ ।୨୦ ।
ଆୟୁର ନନ୍ଦନ ଯେ ହୋଇଲା ନଘୋଷ
ଇନ୍ଦ୍ରପଦେ ବସିଲା ସେ ଅମର ଆକାଶ ।୨୧ ।

ପୂର୍ବବର୍ତ୍ତୀ   ॥   ପରବର୍ତ୍ତୀ