ଯଯାତି ଉପାଖ୍ୟାନ (ସମ୍ଭବ ପର୍ବ)
ପୁରୁରବାର ତହୁଂ ଉତପତ୍ତି ହୋଇଲେ କୁରୁବଂଶେ
ନଘୋଷର ନନ୍ଦନ ଯୁଦ୍ଧ ଯଯାତି ପରକାଶେ ।୧ ।
ବଡ ପ୍ରତାପୀ ସେ ଯେ ହୋଇଲା ଯଯାତି
ନବ କନ୍ୟା ପ୍ରଦାନ ସେ ହୋଇଲା ନବଜାତି ।୨ ।
ଶୁକ୍ରଙ୍କର ଦୁହିତା ସେ ଅଟଇ ଦେବଯାନୀ
ଦେବକୁଳୁଂ ପ୍ରଦାନ ଯେ ହୋଇଲେ ନନ୍ଦିନୀ ।୩ ।
ଅସୁରକୁଳୁଂ ପ୍ରଦାନ ହୋଇଲେ ଶରମେଷ୍ଠୀ
ତକ୍ଷକ ନାଗର ଯେ ଦୁହିତା ସନ୍ତୁଷ୍ଟି ।୪ ।
ନାଗକୁଳୁଂ କନ୍ୟାୟେକ ହୋଇଲା ପ୍ରଦାନ
ୟେମନ୍ତ ଭାଗ୍ୟ ରାଜା ଅଟଇ ବିଦ୍ୟମାନ ।୫ ।
ମାନବ କୁଳର ରାଜା ଅଟଇ ବୁଧସେନ
ତାହାର ତହୁଂ ବୃନ୍ଦାବତୀ କନ୍ୟା ହୋଇଲା ପ୍ରଦାନ ।୬ ।
ଗୋପାଳ ନୃପତି ଯେ ଋତୁଧ୍ୱଜ ବୀର
ଯୁଗାବତୀ ବୋଲି ଦୁହିତାୟେ ଥିଲାଯେ ତାହାର ।୭ ।
ତାହାକୁ ପ୍ରଦାନ ହୋଇଲେ ଯଯାତି
ନିଷାଦ କୁଳରୁ ପ୍ରଦାନ ହୋଇଲେ ରେବତୀ ।୮ ।
ଶବର ରାଜା ଯେ ଅଟଇ ଅଜର
ମୃଗାକ୍ଷୀ ନାମେ ଦୁହିତା ଯେ ଅଟଇ ତାହାର ।୯ ।
ତାହାକୁ ପ୍ରଦାନ ହୋଇଲେ ଯଯାତି
କନ୍ୟାୟେକ ଦିଲା କୋଶଳ ବ୍ରାହ୍ମଣ ନୃପତି ।୧୦ ।
ଇନ୍ଦୁ ଦେଶର ରାଜା ୟେ ପଛିମ ସଉରାଷ୍ଟ୍ରଇଂ
ତାହାର ଦୁହିତା ନାମ କୃଷ୍ଣାବତୀ ଅଟଇ ।୧୧ ।
ପ୍ରବାଳସେନ ବୋଲି ହାଦେ ଇନ୍ଦୁ ନୃପତି
ନବମେ ପ୍ରଦାନ ହୋଇଲା ତାହାର ଦୁହିତୀ ।୧୨ ।
ୟେମନ୍ତେ ନବ ଜାତିରୁ ନବ କନ୍ୟା ପ୍ରଦାନ
ନବ ପୁତ୍ର ଉପୁଜିଲା ଯଯାତିଙ୍କର ବିଦ୍ୟମାନ ।୧୩ ।
ଆଦ୍ୟରେ ପୃଥିବୀ ନବ ଭାଗ ରାଜା କଲେ
ନବ ଖଣ୍ଡ ମେଦିନୀ ନବ ପୁତ୍ରେ ବାଣ୍ଟିଦିଲେ ।୧୪ ।
ତାହାର ଜ୍ୟେଷ୍ଠ ପୁତ୍ର ନାମ ପୁରୁ ମହୀପତି
ଓଡିୟାଣୀ ଭାରିଯାର ସେ ଅଟଇ ସନ୍ତତି ।୧୫ । (ଓଡ଼ିଆଣୀ)
ମାତାଙ୍କର ଭାଗ ୟେ ଓଡରାଷ୍ଟ୍ର ମଣ୍ଡଳେ
ତହୁଂ ସେ ଓଡରାଷ୍ଟ୍ର ଭ୍ରଥଖଣ୍ଡେ ସର୍ବକାଳେ ।୧୬ ।
ପୁରୁର ନନ୍ଦନ ଯେ ପ୍ରବୀର ନୃପତି
ବାର ରାଷ୍ଟ୍ର କରିଣ ଭିଆଇଲେ ରାଷ୍ଟ୍ରପତି ।୧୭ ।
ୟେକା ଖଣ୍ଡକଇଂ ଯେ କଲେକ ସାତ ସାତ ଖଣ୍ଡ
ମଣ୍ଡଳ ଭିଆଣ କରିଯେ ଭିଆଇଲେ ପାରିଦଣ୍ଡ ।୧୮ ।
ପ୍ରବୀର ନନ୍ଦନ ମନସିବା ନାମେଣ ବୀରା
ଅନେକ ଦୁଷ୍ଟନ୍ତ ମାରି ସେ ଉଶ୍ୱାସିଲେ ମହୀଭାରା ।୧୯ ।
ପ୍ରବୀର ନନ୍ଦନ ଯେ ମନସିବା ନୃପତି
ୟେହାଙ୍କର ନନ୍ଦନ ୟେ ଅନୁପାମ ଚକ୍ରବ୍ରତୀ ।୨୦ ।
ଆଗେଣ ଥାଠ ସନ୍ୟ କିଛି ନ ଥାଇଂ ୟେହାଙ୍କର ତୁଲେ
ୟେକାୟେ ଛାତ୍ର ଧରାଇ ନବଖଣ୍ଡ ମେଦିନୀ ସାଧ୍ୟ କଲେ ।୨୧ ।
ଆପଣେ ଅନୁସରି ଭିଆଇଲେ ସପତ ଦ୍ୱୀପା ପୃଥୀ
ଧାତୁବାଦ ପୁରୁଷ ୟେ ଅନୁପାମ ଚକ୍ରବ୍ରତୀ ।୨୨ ।
ଅନୁପାମର ନନ୍ଦନ ଅଟଇ ଳୀନ ବୀର
ଦୁଷ୍ୟନ୍ତ ବୋଲିକରି ଯେ ପୁତ୍ରେକ ହୋଇଲା ତାହାର ।୨୩ ।
ମନ୍ଦର ଦେଶର ରାଜା କଉସ୍ତୁଭ ନରପତି
ତାହାର ଦୋହିତାର ନାମ ଅଟଇ ମନ୍ଦାରବତୀ ।୨୪ ।
ୟେ ଦୁଷ୍ୟନ୍ତର ମହିମା ନ ଯାଇଂ କହଣ
ସମୋଦ୍ର ଛଡାଇ ନେଲା ସେ ଅଶୀ ସହସ୍ର ଯୁଣ ।୨୫ ।
ସମୋଦ୍ର ଭିତରେ ନେଇଂ ଶୁଭ ଖମ୍ୱେକ ପୋତିଲା
ସେହିଠାରୁଂ ସମୋଦ୍ର ସୀମା ଲଘିଂ ନୁଆରିଲା ।୨୬ ।
ତୋଷେ ମୋଦବତୀ କନ୍ୟା ଦେଲା ବରମାଳା
ଆବର ଭାରିଯା ତାର ହେଲା ଶକୁନ୍ତଳା ।୨୭ ।
ଦୁଷ୍ୟନ୍ତର ନନ୍ଦନ ଯେ ଅଟଇ ବୀର ଭ୍ରଥ
ସମୋଦ୍ର ଘୁଞ୍ଚାଇଂ ଦିଲା ଯୋଜନ ସାତଶତ ।୨୮ ।
ସାତ ଶତ ଯୋଜନେକ ଯେ ଖଣ୍ଡେ ଖଣ୍ଡେ କଲା
ତହୁଂ ସେ ଭ୍ରତଖଣ୍ଡ ମେଦିନୀ ବୋଲାଇଲା ।୨୯ ।
ୟେହି ସେ ଭିଆଇଲେ ଗ୍ରାମେକେ ସୀମାୟେ
ନଳକ ମାତ୍ର କରି ପୃଥିବୀ ବାଣ୍ଟିଣ ଠୂଳ କୟେ ।୩୦ ।
ଆହୋ ଭ୍ରଥର ନନ୍ଦନ ୟେ ଅଟଇ ଭୁମନୁ
ସମସ୍ତ ଶାହାସ୍ର ସାଧିଲେ ଭୂତ ଭବିଷ ଗ୍ୟାନୁଂ ।୩୧ ।
ୟେ ପୃଥ୍ୱୀ ପୁଣ ଭାଗ ମୂଳ କଲେ
ମଣ୍ଡଳ ଖଣ୍ଡ ଖଣ୍ଡ କରି ନବସୃଷ୍ଟି ଭିଆଇଲେ ।୩୨ ।
ଭୁମନୁର ନନ୍ଦନ ଉପୁଜିଲେ ବିରଥ
ୟେ ସେ ଭିଆଇଲେ ଯୋଦ୍ଧା ପାତ୍ର ଅମନାତ୍ୟ ।୩୩ ।
ୟେହାଙ୍କର ନନ୍ଦନ ଉପୁଜିଲା ବିଭୁଋକ୍ଷ
ଖଣ୍ଡ ମଣ୍ଡଳ କରି ୟେ ବାଣ୍ଟିଲେ ରାଜ୍ୟ ଯେ ପ୍ରତକ୍ଷ ।୩୪ ।

ପୂର୍ବବର୍ତ୍ତୀ   ॥   ପରବର୍ତ୍ତୀ