ଗଣେଶଙ୍କ ବନ୍ଦନା

ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ
ଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧ ।
ସକଳ ବିଘ୍ନବିନାଶନ ଜୟତୁ ଗଜାନନ
ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀନନ୍ଦନ ।୨ ।
ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ
ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩ ।
ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି
ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪ ।
ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର
ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର ।୫ ।
ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା
ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬ ।
ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା
ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭ ।
ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ
ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮ ।
ତୋଷେଣ ବର ତୋତେ ଦେଲେକ ଦେବରାଜା
ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯ ।
ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ
ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦ ।
ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି
ତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧ ।
ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ
ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨ ।
ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ
ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀ ତଟ ।୧୩ ।
ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁ ଥାନେ
ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪ ।
ବଟର ତଳେ ସେ ବସିଲେ ଯୋଗଧ୍ୟାନେ
ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫ ।
ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ
ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬ ।
ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ
ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭ ।
ଗିରିଜାର ନନ୍ଦନ ସତ ମତି ଧ୍ୟାନେ
ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮ ।
ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ
ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ । ୧୯ ।
କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ
ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦ ।
ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା
ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧ ।
ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା
ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨ ।
ଶିଖିପୁଚ୍ଛମଉଳି ବତିଶଗୁଣେ କଳା
ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩ ।
ଦିବାରାତ୍ର ନ ଜାଣଇଂ ଯେବଣ ମହାତମା
ଅନନ୍ତକାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪ ।
ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି
ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫ ।
ଶ୍ରୀ ବିଘ୍ନନାଥ ଚରଣେ ମୋର ସେବା
ୟେ ଶ୍ରୀମହାଭାରଥ କହିବି ମୋତେ ପ୍ରସନ୍ନ ହୋଇବା ।୨୬ ।
ତବ ପଦ୍ମପାଦେ ମୋର ବିନୟ ଭଗତି
ପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭ ।
ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ
ଗ୍ରନ୍ଥ ଭିଆଇଲୁ ତୁ ଭୁତ ଭବିଷ୍ୟ ବର୍ତ୍ତମାନେ ।୨୮ ।
ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ
ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯ ।

ସାରଳାଦେବୀଙ୍କ ବନ୍ଦନା

ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡରାଷ୍ଟ୍ର ମଣ୍ଡଳରେ
ଉତ୍ପଳେଶ୍ଵର ଲିଙ୍ଗ ଚିତ୍ରଉତ୍ପଳା ଦକ୍ଷିଣ କୂଳରେ ।୧ ।
ଜୟନ୍ତାର ନିଜ ଭୂମି ଯାଜନଗ୍ର ନିକଟେ ଦକ୍ଷିଣ ବାଣରାସି (ଯାଜପୁର)
କୁଶସ୍ଥଳୀ ଭୂମି ଦ୍ୱାରିକା ଯେ କ୍ଷେତ୍ର ପୁଣ୍ୟବାସୀ ।୨ ।
ଶ୍ରୀ ଯମେଶ୍ୱର ମହାଲିଙ୍ଗ ମଉଦଧିର ଉତ୍ତର ତଟେ
ନୀଳ ସୁନ୍ଦର ପର୍ବତ ନୀଳ କଳ୍ପବଟେ ।୩ ।
ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା
ଚାରିଶତ ବତିଶ ସହସ୍ର ବରଷକୁ ଯୋଗଲୟେ ମହାତମା ।୪ ।
କଳିକାଳ ଧ୍ୱଂସିଣ ଭୋଗେଣ କୋଟି ପୂଜା
ପ୍ରଳମ୍ୱିତେ ଖଟଇଂ ଶ୍ରୀ କପିଳେଶ୍ୱର ମହାରଜା ।୫ । (କପିଳେନ୍ଦ୍ର)
ସେ ନୀଳ ସୁନ୍ଦର ଗିରି ଉତ୍ତର କଚ୍ଛାଡେ
ସାର ଭୂମି ଭ୍ରଥଖଣ୍ଡ ପୂର୍ବଦିଗ ଇଶାନ୍ୟର ଆଡେ ।୬ ।
ଚନ୍ଦ୍ରଭାଗା ନାମେଣ ୟେକଇ ନଦୀ ଗୋଟି
ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ।୭ ।
ସେ ନଦୀର ତୀରେ ପ୍ରଶୁରାମ ଘାଟଇଂ
କନକାବତୀ ନାମେ ପାଟଣା ପ୍ରକାଶଇ ।୮ ।
ତହିଂର ସନ୍ନିଧ୍ୟେ ସାରୋଳ ନାମେ ଗ୍ରାମେ
ବିଜେ ମାହେଶ୍ୱରୀ ସାରୋଳ ଚଣ୍ଡୀ ନାମେ ।୯ ।
ମହାଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ
ପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ ।୧୦ ।
ବାଞ୍ଛା ସାର୍ଥୁକ ସେ ଦେବୀର ଅଟଇ
ପାଷାଣ ହୋଇକରି ବାଞ୍ଛା ତାହାର ଫୁଟଇ ।୧୧ ।
ସର୍ବମଙ୍ଗଳା ରୂପ ମାତାଙ୍ଗୀ ମତ୍ତଭୋଳୀ
ଗ୍ରନ୍ଥ ଅର୍ଥ ଶୁଣଇଂ ସେ ହରଷେ କୁତୋହଳୀ ।୧୨ ।
ଶ୍ରୀ ସାରୋଳା ଚଣ୍ଡୀ ନାମେ ସେ ଅଟଇ ମହାଦେବୀ
ତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି ।୧୩ । (ବଂଶ)
ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀ
ଲଭ ତୁ କପିଳାସ ଶ୍ରୀ ମହାଭାରଥ କରି ।୧୪ ।
ଶୁଣି ବୁଧଜନେ ନ ଧର ଆନ ଚିତ୍ତ
ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ ।୧୫ ।
ୟେକ ଲୟେ କରିଣ ଶୁଣସି ସାବଧାନେ
ଫିଟିବାକ ପାତକ ସବୁ ଦୁଷୁକୃତମାନେ ।୧୬ ।

ମହାଭାରତର ପ୍ରଶସ୍ତି

କୁମ୍ଭ ଋଷିର ନନ୍ଦନ ଯେ ଅଗସ୍ତି ମହଋଷି
ମହାବ୍ରହ୍ମବେତ୍ତା ସେ ଅମୃତ ରସ ଭାଷି ।୧ ।
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଙ୍କି
କହ ପଣ୍ଡିତ ମହାତମା ଅମୃତରସ ବାକି ।୨ ।
ଶ୍ରୀ ମହାଭାରଥ ନାମ ହୋଇଲା କେମନ୍ତେ
ୟେହା ତଦନ୍ତ କରି କହିବା ମୁନି ମୋତେ ।୩ ।
ଶୁଣ ହୋ ବଇବସୁତ ମନୁ ଆଦିପର୍ବ ଚରିତ
ଦେବତାମାନେ ଯେ ତୋଳିଲେ ସମସ୍ତ ହାଦେ ଗ୍ରନ୍ଥ ।୪ ।
ତୁଳାଦଣ୍ଡ କଲେ ଯେ ଦ୍ୱାଦଶ ଯୋଜନ କାଠି
ତିନି ତିନି ଉଚ୍ଚ ଯୋଜନ କଲେ ବେନି କର୍ଣ୍ଣ କୋଟି ।୫ ।
ବିଷ୍ଣୁ ଅନନ୍ତ କୋଟି ବ୍ରହ୍ମା ଅନନ୍ତ କୋଟି
ସବୁ ପୂରୋଇଲେ ନେଇ ତୁଳାଦଣ୍ଡ କାଠି ।୬ ।
ଅଷ୍ଟାଦଶ ପୁରାଣ ପଞ୍ଚବିଂଶ ଲକ୍ଷ
ରାମାୟଣ ଚଣ୍ଡୀଯୁଦ୍ଧ ସମସ୍ତ ପୁରାଣ ପ୍ରତକ୍ଷ ।୭ ।
ବିଷ୍ଣୁ ପୁରାଣ ରାଜା ମାରକଣ୍ଡ ପୁରାଣ ପାତର
ଶିବ ପୁରାଣ ମନ୍ତ୍ରୀ ନାରଦ ପୁରାଣ ଡଗର ।୮ ।
ୟେ ଚାରି ପୁରାଣନ୍ତ ମୁଖ୍ୟ କରି ସମସ୍ତ ପୁରାଣ
ୟେମାନ ବସାଇଲେ ନେଇ ତୁଳାଦଣ୍ଡ କତିକେଣ ।୯ ।
ଆରକ କଛେ ଭାରଥ ଅଷ୍ଟାଦଶ ଥୋଇଲେ
ସମସ୍ତ ଶାହାସ୍ର ଗ୍ରନ୍ଥୁଂ ୟେ ମହାଗରୁ ହୋଇଲେ ।୧୦ ।
ଯୁଗତେ ସେ ଯହୁଁ ହୋଇଲା ମହାଭାରା
ତହୁଁ ମହାଭାରଥ ନାମ ଦେଲେ କଶ୍ୟପ ଅଙ୍ଗିରା ।୧୧ ।
ତେଣୁ କରି ହୋଇଲା ସେ ମହାଭାରଥ ନାମ
ତୁଳନ୍ତେ ଯହୁଁ ହୋଇଲା ୟେ ମହା ଅସମ ।୧୨ ।

ପରବର୍ତ୍ତୀ ଭାଗ ପଢନ୍ତୁ