ଗ୍ରାମର ମୁଖିଆ     ଗ୍ରାମଦେବତୀ ମା
       ରହିଛୁ ଗ୍ରାମକୁ ଜଗି
କେତେ ଝଡ ବର୍ଷା    ପାଣି ଓ ପବନ
       ତୋ ଦେହେ ଯାଉଛି ଲାଗି  ।

ଯେତେବେଳେ ଯିଏ  ଡାକିଲେ ତାହାଙ୍କୁ
         ଅବିଳମ୍ବେ ସାରା ଦିଏ
ବରଷକେ ଥରେ    ପାଣିମୁନ୍ଦେ ମୁଣ୍ଡେ
         ଦେବାକୁ କେହି ନଯାଏ   ।

ଗ୍ରାମର ମଝିରେ    ଗ୍ରାମର ବାହାରେ
      ରହିଥାଏ ଗାଆଁ ମୁଣ୍ଡେ
ଗାଆଁ ବିପଦକୁ    ଜଗି ରହିଥାଏ
   ଶୋଏନାହିଁ କେବେ ଦଣ୍ଡେ  ।

ତଥାପି ମଣିଷ    ଚିନ୍ତା କରୁନାହିଁ
       ଗ୍ରାମ ମୁଖିଆର କଥା
ମନ୍ଦିର ଖଣ୍ଡିଏ     ତୋଳିବାକୁ କେବେ
       ଖେଳାଏନି କେହି ମଥା  ।

ରାତି ପାହିଲାରୁ   ରାତି ହେବାଯାଏ
        କରୁଥାନ୍ତି ସୁମରଣା
ମାଆ ଚିନ୍ତାକରେ  ପୁଅ ମୋର କେବେ
      ନହେଉରେ ବାଟବଣା  ।

ଜୀବନ ମରଣେ   ରୋଗର ଶଯ୍ଯାରେ
         ଡାକଛାଡେ ମାଆ ରଖ
ସାଙ୍ଗସାଥି ମେଳେ   ହାତ ଠାରି କୁହେ 
         କୁକୁର ମୁତୁଛି ଦେଖ  ।

କୁସଙ୍ଗରେ ପଡି    ମଦ ମାଂସ ଖାଇ
       ବେଶ୍ଯା ସଙ୍ଗେ ରାତି କାଟେ
ନିଜ ପରିବାର    ସ୍ତ୍ରୀରୀ ପିଲାଛୁଆ
       ନିଶାରେ ଗୋଡାଇ ପିଟେ  ।

ଖସିଗଲା ଗୋଡ    ପଡିଗଲା ଦିନେ
      ଗୋଡ ହେଲା ଦୁଇ ଖଣ୍ଡ
ଯନ୍ତ୍ରଣାରେ ପଡି     ମନରେ ଭାବିଲା
        କାହିଁକି ଦେଲୁ ମା ଦଣ୍ଡ  ।

ଚିନ୍ତାକର ଆଜି     ସେଦିନର ସେହି
         କୁକୁର ମୁତିବା କଥା
ମଦ ମାଂସ ଖିଆ   ସାଙ୍ଗସାଥୀ ସର୍ବେ
       ଖେନ୍ତେଇଣ ଦେଲେ ବ୍ଯଥା  ।

ଏବେଳେ ଡାକିଲା    ମନର ମଧ୍ଯରେ
         ଗ୍ରାମଦେବତୀ ମା ଶୁଣ
ରକ୍ଷାକର ମାଆ     ଏବପଦୁ ମୋତେ
         ପଶୁଛି ତୁମ ଶରଣ  ।

ତୁମେ ସେହି ମାଆ    ଗ୍ରାମର ମୁଖିଆ
         କରନାହିଁ ଆଉ ଟାଣ
ତୁମ ପ୍ରତି ଯେଉଁ      ଅନ୍ଯାୟ କରିଲି
        ପାଇଲି କେତେ କଷଣ  ।

ଦୂର ହେବ ତୁମ    ଦୁଃଖ ଓ ଯନ୍ତ୍ରଣା
        କାନଧରି ଯାଅ ତରି
ଗ୍ରାମର ଦେବତା    ଗ୍ରାମଦେବତୀ ମୁଁ
         ମାରିବୁନି ଟିଟିକାରି  ।

ଜାଣିଗଲି ଆଜି    ମହିମା ତୁମର
      ତୁମେତ ମାଆ ସବୁରି
ସୁଖଦୁଃଖ ସହି    ରହିଛ ଗାଆଁରେ
       ବୁଝିବ ଦୁଃଖ ଆମରି  ।

କରୁଛି ପ୍ରତିଜ୍ଞା    ତୋଳିବି ମନ୍ଦିର
       ଗଛମୂଳୁ ନେବି ତୋଳି
ଶକ୍ତି ଦିଅ ମୋତେ   ଯିବି ମୁଁ ଆଗେଇ
        ଆଶିଷ ଦିଅ ମା' ଢାଳି  ।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦