
ଦେବର୍ଷି ନାରଦ ପଚାରିଲେ ଦିନେ
ପ୍ରଭୁଙ୍କ ମୁଖକୁ ଚାହିଁ
ଆପଣଙ୍କ ମାୟା କାଠିକର ପାଠ
ବୁଝି ମୁଁ ପାରିଲି ନାହିଁ ।
ନାରଦଙ୍କ ପ୍ରଶ୍ନ ଶୁଣିଣ ଶ୍ରୀକୃଷ୍ଣ
ହସି ହସି ଯେ କହିଲେ
ଆଜନ୍ମରୁ ତୁମେ ହେଲ ବ୍ରହ୍ମଚାରୀ
ତୁମକୁ କେହି ଜାଣିଲେ ।
ଏ ମାୟା ଭିତରେ ପ୍ରବେଶ ପାଇଁକି
ଆଗ୍ରହ କାହିଁକି ହେଲା
ଧୈର୍ଯ୍ୟ ଧର ଦିନେ ଆପେ ଜାଣିଯିବ
ବୀଣା ବଜାଇବା ବାଲା। ।
ନାରଦଙ୍କୁ ସଙ୍ଗେ ଘେନିଣ ଶ୍ରୀକୃଷ୍ଣ
ବାହାରେ ବୁଲିଣ ଗଲେ
ବୁଲୁବୁଲୁ ଯାଇ ନିଛାଟିଆ ସ୍ଥାନେ
ଖରାବେଳେ ପହଞ୍ଚିଲେ ।
ମୁଣ୍ଡଫଟା ଖରା ସହି ନ ପାରିଣ
ପ୍ରଭୁ ! ଗଛତଳେ ଗଲେ ବସି
ନାରଦଙ୍କୁ ଚାହିଁ ଶ୍ରୀକୃଷ୍ଣ କହିଲେ
ମୋର, ଶୋଷ ବଢିଗଲା ଆସି ।
ଖୋଜି ଆଣ ଯାଇ ପିଇବା ପାଣି ମୁଁ
ବସିଛି ଏଠି କହିଲେ
ଦେବର୍ଷି ନାରଦ କମଣ୍ଡଳୁ ଧରି
ପିଇବା ପାଣି ଖୋଜିଲେ ।
କିଛି ଦୂର ଚାହିଁ ନିରେଖି ଦେଖିଲେ
ଘରଟିଏ ଦିଶୁଅଛି
ସେ ସ୍ଥାନକୁ ଯାଇ ପହଞ୍ଚି ଦେଖିଲେ
କବାଟ ସବୁ ପଡିଛି ।
ପାଣି ମୁନ୍ଦେ ପାଇଁ କବାଟ ବାଡେଇ
ଉଚ୍ଚ ସ୍ବରେ ଡାକ ଦେଲେ
ସୁନ୍ଦରୀ ଯୁବତୀ ବେଗେ ବେଗେ ଆସି
କବାଟ ଧିରେ ଖୋଲିଲେ ।
ଏକମାତ୍ର କନ୍ଯା ପିତାମାତାଙ୍କର
ସୁନ୍ଦରୀ ଯୁବତୀ ଥିଲା
ଦେଖି ଦେଲା କ୍ଷଣି ନାରଦଙ୍କ ମନ
ସେଇଟି ଅଟକି ଗଲା ।
କନ୍ଯା ପାଇଁ ବର ମିଳିଗଲା ଆଜି
ମନରେ ଭାବିଲେ ପିତା
ଘର ଭିତରକୁ କୋଳକରି ନେଇ
କହିଲେ ହେବେ ଜାମାତା ।
ବିଭାଘର ହେଲା କନ୍ଯାସଙ୍ଗେ ତା'ର
ରହିଲା ଘର ଜୋଇଁଆ
ଧନ ସମ୍ପଦକୁ ଭୋଗ କରିବାକୁ
ତୁ ହେବୁ ଘର କୁଣିଆ ।
ଭୋଗ ବିଳାସରେ ରହିଲା ସେଠାରେ
କିଛି ନ ପାରିଲା ଜାଣି
ପାଣି ପିଇବାକୁ ପ୍ରଭୁ ବସିଛନ୍ତି
ସେକଥା ଭୁଲି ଗଲାଣି ।
ତିନୋଟି ପୁତ୍ରର ଜନକ ହୋଇ ସେ
ଆନନ୍ଦରେ କାଟେ ଦିନ
ସୁଖ ସଂଭୋଗର କାଳାତିପାତରେ
ନାଚୁଥାଏ ରାତିଦିନ ।
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଅନିବାର୍ଯ୍ଯ ଏ ସମାଜେ
ମଣିଷ ଜୀବନେ ସବୁଦିନ ପାଇଁ
ରହିନାହିଁ କେବେ ତେଜେ ।
ବର୍ଷା ଋତୁ ହେଲା ମେଘ ବରଷିଲା
ପ୍ରବଳ ବନ୍ଯା ଆସିଲା
ଗୋରୁଗାଈ ପୁଣି ଘରଦ୍ବାର ସବୁ
ଭାସିବା ଆରମ୍ଭ କଲା ।
ନାରଦଙ୍କ ଘରେ ପାଣିଯେ ପଶିଲା
ମନରେ ଘାରିଲା ଚିନ୍ତା
ପିଲା ଛୁଆ ଘର ରକ୍ଷା କରିବାକୁ
ବଢିଲା ତା'ଙ୍କ ଦୁଶ୍ଚିନ୍ତା ।
ଏକାଳେ ଭାବିଲେ ପିଲା ଛୁଆ ଧରି
ନିରାପଦ ସ୍ଥାନେ ଯିବି
ସଂସାର ମୋହର ରକ୍ଷା ପାଇଯିବ
ଆନନ୍ଦରେ ନାଚୁ ଥିବି ।
ଚାହୁଁ ଚାହୁଁ ପୁତ୍ର ଭାସିଗଲେ ଜଳେ
ପାରିଲେନି ରକ୍ଷା କରି
ପତ୍ନୀଙ୍କୁ ଜାବୁଡି ଧରିଣ କହିଲେ
ଚାଲଯିବା ହୋଇ ପାରି ।
ପତ୍ନୀଙ୍କ ସହିତ ପିଲା ଛୁଆ ଭାସି
ହୋଇଣ ଗଲେ ଅଦୃଶ୍ୟ
କର୍ମକୁ ନିନ୍ଦନ୍ତି ଦୁଃଖରେ ବସିକି
ଦେଖିଲି ଆଜିକି ଦୃଶ୍ୟ !!
ମନର ଯନ୍ତ୍ରଣା ବଢିଯାଇ ଥାଏ
ଲୋତକ ଧାର ଵୁହାଇ
ମୁମୂର୍ଷୁ ଭାବରେ ପଡି ରହିଥାଏ
ପରିବାରକୁ ହରାଇ ।
ଏ ସମୟେ କାନେ ବାଜିଲା ପ୍ରଭୁଙ୍କ
ସୁମଧୁର କଣ୍ଠସ୍ବର
ପାଣି ପିଇବାକୁ ହୁଏ ମୁଁ ଅସ୍ଥିର
ନାରଦ ! କାହିଁକି କରିଲୁ ପର ।
ଶ୍ରୀକୃଷ୍ଣଙ୍କ ସ୍ବର ଶୁଣିଣ ନାରଦ
ଚମକି ଉଠିବସିଲେ
ବନ୍ଯା ଦୃଶ୍ୟ ଆଉ ନଥିଲା ଆଗରେ
କୁଆଡେ ଗଲା ଭାବିଲେ ।
ଚିତ୍କାର କରିଣ ଉଠିଲେ ନାରଦ
ଆଜି ମୁଁ କଅଣ କଲି
ଏତେଦିନ ଯାଏ ସ୍ବପ୍ନ ଦେଖୁଥିଲି
ସତ୍ଯକୁ ଯାଇଣ ଭୁଲି ।
ଅପୂର୍ବ ଏ ମାୟା ପ୍ରଭୁ ଆପଣଙ୍କ
ଜାଣିବାକୁ ବାକି ଥିଲା
ମାୟାର ଦେବତା ମାୟାଧର ତୁମେ
ମୋର ! ହୃଦୟେ ଚେତା ପଶିଲା ।
ନାରଦଙ୍କ କଥା ଶୁଣିଣ ଶ୍ରୀକୃଷ୍ଣ
ମୁରୁକି ହସି କହିଲେ
ମାୟାର ସ୍ବରୂପ ଜାଣିଲ ତ ଏବେ
ଆଖି ଆଗେ ଭାସି ଗଲେ ।
ମାୟାବଦ୍ଧ ଜୀବ ପାଉଥାଏ କଷ୍ଟ
ବୁଝାଇ କହିଲେ ହରି
ଜଗତରେ ଯାହା ଦେଖୁ ଅଛ ତୁମେ
ସବୁକିଛି ସ୍ବପ୍ନପରି ।
ହାତଯୋଡି କହି ଉଠିଲେ ନାରଦ
ପ୍ରଭୁ ! ଆପଣଙ୍କୁ ନମସ୍କାର
ଆପଣଙ୍କ ମାୟା ଅତି କଷ୍ଟକର
ଜାଣିଲି ପ୍ରଭୁ ଏଥର ।
0 Comments
You can write now your valuable comments here. Off-topic comments may be removed or deleted without prior notice.