**---ସପନରେ ଅବା ଗୋପନରେ---**
ହେ ! ପରମେଶ୍ୱର ଜଗତ ଠାକୁର
ତୁମ୍ଭ ଠିକଣା କେଉଁଠି
ଜନମୁ ଏଯାଏଁ ସନ୍ଧାନ ନପାଏ
ଖୋଜୁଛି ଏଠି ଓ ସେଠି ।
କିଏ କହେ ତୁମେ କାଠ ପ୍ରତିମାରେ
କିଏ କହେ ବୃକ୍ଷମୂଳେ
ଧାତୁ,କାଷ୍ଠ,ମାଟି ମୂର୍ତ୍ତିରେ ବିରାଜ
ଲୋକ କହେ କାଳେ କାଳେ ।
କର୍ମ ଓ ଧର୍ମରେ ମରଣ ଜନ୍ମରେ
ତୁମ ସତ୍ତା ପୁଣି ଅଛି
ପୁରାଣ ସଂହିତା ଗୀତାପନିଷଦେ
ତୋ କଥା ରହିଛି ବଞ୍ଚି ।
ଦୟା ଅବା ଧର୍ମେ ମାନବୀୟ କର୍ମେ
ତୋ ବାସସ୍ଥଳୀ ଶୁଣିଛି
କୃପା,କରୁଣାରେ ନିସ୍ୱାର୍ଥ ଦାନରେ
ଏପରି କେତେ ଗଣିଛି ।
ପିତା,ମାତା,ଗୁରୁ ଅତିଥି ଅନ୍ତରେ
ସଦା ପରା ତୁମେ ଥାଅ
ବିଶ୍ୱ ଚରାଚର ସକଳ ଜୀବର
ପୁଣି ସୃଷ୍ଟି ରଚି ଯାଅ ।
ରଚିନ ପାରଇ ଆଉ କେତେ କଥା
ଯାହା ମୁଁ ପାଇଛି ଶୁଣି
ସପନରେ ଅବା ଗୋପନରେ ଥରେ
ଦେଖାଦିଅ ଜ୍ୟୋତିର୍ମଣି ।
କବି.ୟୁ.ଚନ୍ଦ୍ରଶେଖର
ସାନ ଆର୍ଯ୍ୟପଲ୍ଲୀ , ଗଞ୍ଜାମ


ରଚନା : Upadu.Chandrasekhar

ଠିକଣା : ସାନ ଆଯ୍ୟପଲୀ ,ଛତ୍ରପୁର ,ଗଂଜାମ ଫୋନ ନମ୍ବର : 8763540560