ମୋର ନିଶବ୍ଦ ସ୍ବରକୁ
ତୁମେ ବୋଧେ
ବୁଝିପାରିଚ ବନ୍ଧୁ
ସେଇଥିପାଇଁ
ଟିକେ ଅଟକିଗଲ
ମୋ ପାଖରେ
ମୋର ଶାନ୍ତ ସମୀରଣ
ସୁଶୀତଳ ଛାୟା
ନେଇଯିବ ତୁମକୁ
ଭିନ୍ନ ଏକ ଦୁନିଆ....
ଏଇଠି ବସିଗଲେ
ତମେ ମନେ ପକେଇବ
ତୁମ ପିଲାଦିନ
କେତେ ଲୁଚକାଳି ଖେଳୁଥିଲ
ମୋ ସହ
ହୋଇଥିଲେ କେତେ ଭାବ ଦିଆ ନିଆ ।
ତମେ ସିନା
ମୋତେ ବୁଝିପାରିଚ
ହେଲେ ତମ ଜାତି
ଢେର୍ ଏମିତି
ମୋତେ ଖିନ୍ ଭିନ୍ କରି
ଟୁକୁଡା ଟୁକୁଡ଼ା କରି
ନିଶେଷ କରି ଦିଅନ୍ତି
ଶୁଣନ୍ତିନି ମୋର ଆକୁଳ ଚିତ୍କାର
ମୋର କୁନି କୁନି
ସବୁଜ ପତ୍ର ଗୁଡିକ
ଦୋହଲି ଦୋହଲି କହୁଥାଏ
ରକ୍ଷାକର ବନ୍ଧୁ
ନିତିଦିନ ସାଥୀପରା
ତୁମ ପାଇଁ ମୁଁ କ'ଣ ନୂଆ.........
ହେଲେ ସେମାନେ
ଖୁବ୍ ନିର୍ଦ୍ଦୟ ହେଇଯାଆନ୍ତି
କହିଲ ବନ୍ଧୁ
ତମେ କ'ଣ ମୋ ଭିତରେ
ଜୀବନ ଦେଖିପାରନି ?
ମୋ ଲୁହକୁ ଅନୁଭବ କରି ପାରନି ??
ଦେଖିପାରୁଚ ବୋଲି ତ
ଘଡିଏ ବସିଚ ଏଠି
ନହେଲେ
ତମେ କିଏ ଆଉ ମୁଁ କିଏ ?
ମୋ ପାଖକୁ ସୁଖ ଦୁଃଖ ହେବାକୁ
ଆଜିକାଲି କିଏ କ'ଣ ଆସେ !
ତମର କୋମଳ ସ୍ପର୍ଶ
ମୋତେ ନୂଆ ଜୀବନ ଦିଏ
କହିଲ
ତୁମ ମାନଙ୍କ ପାଇଁ
କ'ଣ ନକରିଛି ମୁଁ !
ତଥାପି ନିସ୍ତାର ନାହିଁ
ଦୁଃଖ ମୋ ପାଇଁ ନୁହେଁ
ବେଶି ତୁମମାନଙ୍କ ପାଇଁ
ଆମେ ବଞ୍ଚିଲେ ସିନା
ତମେମାନେ ବଞ୍ଚିବ
ହେ ବନ୍ଧୁ !
ସମସ୍ତେ ଠିକ୍ ତୁମ ପରି ହେଇଯାଆନ୍ତେନି
କେତେ ଭଲ ହୁଅନ୍ତା କହିଲ !
ହେଲେ ଏମିତି କେବେ କ'ଣ ହେବ !
ମୋ ନିଶବ୍ଦ ସ୍ବର
ମୋର ଦୀର୍ଘଶ୍ବାସ
ଖାଲି ପବନରେ ମିଶେ ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :