ଏକ ତରଫl ଯୁଦ୍ଧ l
ଏ ଯୁଦ୍ଧ ଜିତିବା ପାଇଁ ନୁହେଁ,
ବିଛେଦର ଲୁହ ବୁହାଇବା ପାଇଁ ନୁହେଁ l
ଏ ଯୁଦ୍ଧ ତୁମକୁ ପାଖରେ ପାଇବାର,
ମିଳନର ସପ୍ତ ସ୍ୱରକୁ ପଞ୍ଚମ ରାଗରେ ଗଢି ତୋଳିବାର,
ବର୍ଷାରେ କଦମ୍ବ ଫୁଲର ମହକ ଆଘ୍ରାଣ କରିବାର ଯୁଦ୍ଧ l
ତୁମେ ଆସିବ, ମୋତେ ନେବ,
ଏଇ ପଞ୍ଚନାଦ କରି ମୁଁ ଯୁଦ୍ଧର
ଆହ୍ୱାନ ଦେଉଥିଲି l
ତୁମେ ଗାନ୍ଧୀଜୀଙ୍କର ତିନି ମାଙ୍କଡର
ନୀତି ନେଇ ଯୁଦ୍ଧକୁ ଆସୁଥିଲ l
ପ୍ରତିଦିନ ସେଇ ଗୋଟିଏ କଥା,
ଲେଖା ହୁଏ ଅସମ୍ଭବର କବିତା,
ଧର୍ଯ୍ୟର ଦୁର୍ଗମ ପ୍ରାଚୀର ସାମନାରେ,
ସବୁ ହୁଙ୍କାର ଶବ୍ଦ ଚୁର ଚୁର ହୋଇ ଯାଉଥିଲା l
ଅସ୍ଥିରତାରେ ମୁଁ ଯେତିକି ଛିନ୍ନ ବିଛିନ୍ନ
ହୋଇ ଯାଉଥିଲି,
ନୀରବରେ ନ ଫେରିବାର ମନ୍ତ୍ରରେ ତୁମେ,
ସେତିକି ଅଟଳ ଥିଲ l
ମୁହୂର୍ତ୍ତ, ଦିନ, ମାସର ପରାଜୟ ଗ୍ଲାନି ସତ୍ୱେ,
କଳ୍ପନାରେ ଦୂରତାର ସୀମା ଟପି,
ତୁମସହ ମାନସ ର ମିଳନ ର କରି
ଆଶ୍ୱସ୍ତ ହେଉଥିଲି,
ମୁଁ ତୁମ ସହ ଭାବନାରେ ଉଷ୍ଣ ନୀଡ ରଚନା
କରୁଥିଲି l
ଥକି ଗଲେ ଭାବୁଥିଲି,
ନା ଆଉ ପାରିବିନି,
ନିରବ ରହିଯିବି l
ନିଜକୁ ବଦଳାଇବାରେ ହିଁ ବିଜ୍ଞତା,
ସମ୍ମାନ ବଦଳରେ ସମ୍ମାନ,
କ୍ଷମା ଦେଲେ ଶାନ୍ତି l
ଖୁସି ହେବାକୁ କାହାର ବା କିଛିର ଆବଶ୍ୟକ ପଡ଼େନି,
ନିଜର ଖୁସି, ନିଜର ସର୍ବୋତ୍ତମ ପ୍ରଚେଷ୍ଟା ରେ ହିଁ
ସଫଳତା ଜାଣିନେଲାପରେ ଥମିଯାଏ ମନର ଆନ୍ଦୋଳନ l
କଣବା ଆବଶ୍ୟକ ଶବ୍ଦର,
ଯେଉଁଠି ଅକ୍ଷରର ପରିଚୟ ନାହିଁ l
କଣ ବା ଲୋଡ଼ା ଆଲୋକର,
ଅନ୍ଧର କି ଚକ୍ଷୁଥାଏ l
କଣ ବା ଦରକାର ଯୁଦ୍ଧର,
ସେଥିରେ କି ସମାଧାନ ଥାଏ,
ନା ମନ ଜିଣି ହୁଏ l
ତଥାପି ମିଳନର ଆଲୋକକୁ ପ୍ରଜ୍ୱଳିତ ପାଇଁ,
ନିତି ଯୁଦ୍ଧର ମୁଁ ଡାକରା ଦିଏ ତୁମ ସହ,
ତୁମରି ପାଇଁ, ସବୁ ତୁମରି ପାଇଁ l
0 Comments
You can write now your valuable comments here. Off-topic comments may be removed or deleted without prior notice.