ସମାଜ ଗଠନର ଦୁଇ ସର୍ବୋତ୍କୃଷ୍ଟ ଉପାଦାନ ହେଲେ ମହିଳା ଓ ଶିଶୁ।ମହିଳାଟିଏ ଶୈଶବରେ କୁନି ଝିଅ ହୋଇ କୁନି କୁନି କଥା ଓ ମନ ଛୁଆଁ ହସ ଦେଇ ବଗିଚାର ଫୁଲକଢି ପରି ପରିବାରକୁ ସୌରଭ ଦିଏ।କିଶୋରୀ ଅବସ୍ଥାରେ ବାପା ମାଆଙ୍କୁ ସହଯୋଗ କରି ଆତ୍ମୀୟତାର ସମ୍ଭାର ତୋଳେ।ବଧୁ ହୋଇ ସ୍ୱାମୀର ମଙ୍ଗଳ କାମନା ସହ ଦୁଇ କୁଳର ସଂସ୍କାର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖେ।ଯେବେ ମାଆ ହୁଏ ସନ୍ତାନକୁ ଆଚାର ବିଚାର ସଦାଚାର ଓ ଶିଷ୍ଟାଚାର ଶିଖାଇ ତା ଚରିତ୍ର ଗଠନ କରେ।ପରେ ଜେଜେ ମାଆ ହୋଇ ନାତି ନାତୁଣୀଙ୍କୁ ତା ହୃତ ସ୍ପନ୍ଦନ ମଣେ।ଆଉ ସୁସଙ୍ଗଠିତ ପରିବାରର ସ୍ବପ୍ନ ଦେଖାଏ ଓ ପ୍ରେରଣା ଭରେ।
  ଠିକ୍ ସେହିପରି ଶିଶୁ।ଶିଶୁ ହେଲେ ଆମ ଦେଶର ପ୍ରକୃତ ସମ୍ପଦ।ସେମାନେ ବଡ଼ ଓ ଭଲ ହେଲେ ଏ ସମାଜ ଜ୍ୟେଷ୍ଠ ଓ ଶ୍ରେଷ୍ଠ ହୋଇପାରିବ। ତେଣୁ ସମାଜରେ ଏମାନଙ୍କର ସୁରକ୍ଷା ନିତ୍ୟାନ୍ତ ପ୍ରୟୋଜନ। କେତେକ ଅଶିକ୍ଷିତ,ଅଜ୍ଞ- ମହିଳାଙ୍କୁ ପୁରୁଷ ତୁଳନାରେ ହୀନ ମନେ କରନ୍ତି।ସେମାନଙ୍କ ବିଚାରରେ ନାରୀ ଜନ୍ମ ଚୁଲି ମୁଣ୍ଡକୁ କିମ୍ବା ଘର ଚାରିକାନ୍ଥ ମଧ୍ୟରେ ସୀମିତ।ତାଙ୍କୁ ଉପଯୁକ୍ତ ଜ୍ଞାନ ସମ୍ମାନ କି ସୁଯୋଗ ନ ଦେବାରୁ ସେମାନେ ଅବହେଳିତ ହୁଅନ୍ତି।ମାତ୍ର ଆଜି ଇନ୍ଦିରା ଗାନ୍ଧୀ,କଳ୍ପନା ଚାୱଲା, ରାଣୀ ଲକ୍ଷୀବାଇ,ପି ଟି ଉଷା,ସାନିଆ ମିର୍ଜା ଏମାନଙ୍କୁ ଉଦାହରଣ ଦେଇ ବୁଝାଇଲେ ସମାଜ ଜାଣିପାରନ୍ତା ସେମାନେ କଣ କରିପାରିବେ। କେବଳ ଭାଷଣରେ ପୁରୁଷ ନାରୀ ସମାନ କହିଦେଲେ ହେବ ନାହିଁ,ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକାର ଦେବା ଉଚିତ।କେତେକ ମୂର୍ଖ, "ଝିଅ ପରିବାରର ବୋଝ" ଭାବି ଭ୍ରୁଣ ହତ୍ୟା କରନ୍ତି । ଅବଶ୍ୟ ଏବେ ସରକାର ଭ୍ରୁଣ ହତ୍ୟା ଅପରାଧ କରି ସତର୍କ ଓ କାର୍ଯ୍ୟାନୁଷ୍ଠାନ ନେଲେଣି।ବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପୁଅ ଝିଅ ବାଛ ବିଚାର ନ ରଖି ଝିଅଙ୍କୁ ଗୁରୁତ୍ୱ ଦେଲେଣି।ପ୍ରତ୍ୟେକଙ୍କର ଶିକ୍ଷା ଗ୍ରହଣ ଅଧିକାର ବୋଲି ଘୋଷଣା ଓ କାର୍ଯ୍ୟକାରୀ କଲେଣି।ବାଲ୍ୟ ବିବାହ ଉପରେ ଦଣ୍ଡାଦେଶ,ଯୌତୁକ ନେବା ଉପରେ କଟକଣା,ନାରୀ ନିର୍ଯ୍ୟାତନା,ବଧୂହତ୍ୟା, ଗଣ ଧର୍ଷଣ ଉପରେ କଠୋର ଦଣ୍ଡ ବିଧାନ କରାଗଲାଣି।ବିଶେଷ କରି ମହିଳା କମିଶନ ନାରୀ ସୁରକ୍ଷା ପାଇଁ ଶତ ଚେଷ୍ଟା ଜାରି ରଖିଛି।ପୁନଶ୍ଚ ଏବେ ବି ଏ କ୍ଷେତ୍ରରେ ଉଦାସୀନତା ଦେଖା ଯାଉଛି।ଗଣଦୁଷ୍କର୍ମ,ବଧୁ ପୋଡି ସମାଜର ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି।ଝିଅ ଠୁ ମାଆ ପର୍ଯ୍ୟନ୍ତ ଅସୁରକ୍ଷିତ ମନେକରୁଛନ୍ତି।ତେଣୁ ନାରୀ ସଶକ୍ତିକରଣ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ନାରୀମାନଙ୍କର ମନୋଭାବ ପରିବର୍ତ୍ତନ ଓ ସୁଦୃଢ଼,ସମାଜରେ ମାଆ, ଭଉଣୀ ମାନଙ୍କୁ ସମ୍ମାନ ଆମ ସଂସ୍କୃତିର ପ୍ରତୀକ ଶିକ୍ଷା ଦେବା ବିଧେୟ।
  ଅବଶ୍ୟ କେନ୍ଦ୍ର ସରକାର 2007 ରେ ଓ ରାଜ୍ୟ ସରକାର 2009 ରେ ଶିଶୁ ଅଧିକାର ପାଇଁ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରିଛନ୍ତି।ବଞ୍ଚିବାର ଅଧିକାର, ବିକାଶ ଅଧିକାର,ସୁରକ୍ଷା ଅଧିକାର,ସହଭାଗୀ ଅଧିକାର ଦେଇ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତିର ପରିକଳ୍ପନା କରିଛନ୍ତି।ପ୍ରତ୍ୟେଜ ଶିଶୁ ବାଧ୍ୟତାମୂଳକ ଶିକ୍ଷା ସମ୍ପୂର୍ଣ୍ଣ କରିବ,ଶିଶୁ ଶ୍ରମିକ ହେବନି,ତାର ଶିକ୍ଷାର ଉନ୍ନତି ପାଇଁ ପ୍ରୋତ୍ସାହନ ର ବ୍ୟବସ୍ଥା ଅଛି।ପିତାମାତାଠୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଯାଏଁ କେହି ଶିଶୁକୁ ଶାରିରୀକ ଓ ମାନସିକ ନିର୍ଯାତନା ନ ଦିଅନ୍ତୁ ସେଥିପାଇଁ ଧାରା ବି ଖଞ୍ଜା ଯାଇଛି।ଅବମାନନା କଲେ ଜୋରିମାନା ଓ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା କରାଯାଇଛି।ଗରିବ ମେଧାବୀ ଶିଶୁଙ୍କୁ ମାଗଣା ଓ ଉଚ୍ଚଶିକ୍ଷା ପାଇଁ ଲକ୍ଷାଧିକ ଋଣ ଦେବାର ବ୍ୟବସ୍ଥା କରାଯାଇଛି।
  ଏତେ ଆଇନ,ନିୟମ ପରେ ବି ଅନୈତିକ ଓ ବ୍ୟଭିଚାର ସମାଜକୁ ଜରାଜୀର୍ଣ୍ଣ କରିଦେଇଛି।ଯେଉଁ ଦିନ ମଣିଷ ନିଜକୁ ବୁଝିବ,ତା ମନ ବିବେକ ଆତ୍ମାକୁ ନିୟୋଜନ କରି ମହିଳା ଓ ଶିଶୁଙ୍କୁ ଶ୍ରେଷ୍ଠ ସମ୍ପଦ ଭାବି ସମ୍ମାନ ଓ ସହଯୋଗ କରିବ ସେହିଦିନ ଦେଶ ପ୍ରକୃତ ସ୍ୱାଧୀନ ହୋଇଛି ଓ ଆମର ମଣିଷ ପଣିଆ ଅଛି ବୋଲି ଜଣାପଡିବ । ତେଣୁ ଆସନ୍ତୁ ସଭିଏଁ ନାରୀକୁ ମାତୃଶକ୍ତି ଭାବି ସମ୍ମାନ ଦେବା ଶିଶୁଙ୍କୁ ମନ୍ଦିରର ଦେବତା ଭାବି ପୂଜା କରିବା ତେବେ ଯାଇ ମହିଳା ଓ ଶିଶୁ ନ୍ୟାର୍ଯ୍ୟ ଅଧିକାର ପାଇ ସୁନ୍ଦର ସମୃଦ୍ଧ ରାଷ୍ଟ୍ର ଗଠନ କରିପାରିବେ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର