
ବେଦନାକ୍ଲୀଷ୍ଟ ଶରିରର ଅଦ୍ଭୁତପୁର୍ବ କମ୍ପନ
ମମତାର ଉଷ୍ମସ୍ପର୍ଶେ ବତୁରି ଯାଉଥିଲା ହୃଦୟ ଓ ମନ
ନିମିଷକେ ମିଳାଇଯାଉଥିଲା ରାଗ, ରୁଷା, ମାନ ଅଭିମାନ। (୧)
ସମୟକ୍ରମେ ଝଲମଲ କାନ୍ଥସବୁ ଉଜୁଡିପଡିଲା
ସିମେଣ୍ଟ କଂକ୍ରିଟ୍ ର କାନ୍ଥସବୁ ମୁଣ୍ଡ ଟେକିଲା
ଆଉ ଠିକ୍ ସେ ବାଲି ସିମେଣ୍ଟର କାନ୍ଥପରି
ହୃଦୟଟା ବି ଧିରେଧିରେ ଜଡ ପାଲଟିଗଲା।।(୨)
ଦିନାନ୍ତରେ ସେ କାନ୍ଥରେ ଫାଟ ସୃଷ୍ଟି ହେଲା
ମହକଟା ଧିରେଧିରେ ଫିକା ପଡିଗଲା
ଅପରପାର୍ଶ୍ବର ସ୍ପନ୍ଦନଟା ସ୍ପଷ୍ଟ ବାରିନହେଲେ ମଧ୍ୟ
ସମ୍ପର୍କଟା ଭାଙ୍ଗିବାର ଗନ୍ଧ ବାରିହେଲା।।(୩)
ସମୟକ୍ରମେ ଫଟାକାନ୍ଥ ପ୍ରତିବଦଳରେ ଅଗଣାରେ ଉଭା କାଚକାନ୍ଥ ଅତି ମନୋରମ
ସବୁକିଛି ସ୍ବଚ୍ଛ,ସ୍ପଷ୍ଟ ଓ ପରିଷ୍କାର ହେଲେ ମଧ୍ୟ ଶୁଭୁନାହିଁ ଖୁସିର ସ୍ପନ୍ଦନ
ପ୍ରତିଧ୍ବନିତ ହେଉନାହିଁ ହୃଦୟର କମ୍ପନ
ମୁକାଭିନୟରେ ଅଟକିଛି କିଥି ବୁଝା କିଛି ଅନୁମାନ।।।(୪)
ଏ ପାଖରେ ଜନ୍ମଦାତା ସେ ପାଖରେ ମା
କାଚକାନ୍ଥେ ଅଟକିଛି ବଞ୍ଚିବାର ରାହା
ଚାକଚକ୍ୟ ଚଳଣିର ପରଦାରେ ହୃତ ସେହି ପବିତ୍ର ବନ୍ଧନ
ମଧୁଭରା ପିଲାଦିନ ଝଲସି ସାଉଁଟିବାକୁ ବ୍ୟଗ୍ର କିଛି ସତ ଓ ସପନ।।(୫)
ଭାରି ଇଚ୍ଛାହୁଏ ସବୁ ପ୍ରତିବନ୍ଧକକୁ ଖିନ୍ ଭିନ୍ କରି ସେପାଖକୁ ଦଉଡିଯିବାକୁ
ସ୍ମଶାନରେ ସବ ଦାହ କଲାଭଳି ରାଗ,ରୁଷା,ମାନ ଅଭିମାନ ସବୁକୁ ଭଷ୍ମ କରିଦେବାକୁ
ସେ ପାଖରେ ସାଇତା ମୋ ସ୍ମୃତିସବୁକୁ ଗାମୁଛାରେ ସାଉଁଟିନେବାକୁ
ହୃଦୟକନ୍ଦରରେ ତାକୁ ନେଇ ସଂଗ୍ରହାଳୟଟିଏ କରିବାକୁ।।।(୬)
ଭାବର ଉଚ୍ଛ୍ବାସ ଆଗେ କାହା ବୋଲ ମାନେନା ତ ମନ
ଅତିତର ଅପରାହ୍ଣେ ଖୋଜିଚାଲେ ମୁଁ ସେହିଦିନ
ଅତିଶୟ ଆଧୁନିକତା ସ୍ପର୍ଶେ ସମ୍ପର୍କ ପାଲଟିଛି ବରଫପାହାଡ
ତରଳାଇବାକୁ ଲୋଡା ସ୍ନେହ ସକାଳର ବାଳୁତ ସୁର୍ଯ୍ୟକିରଣ।।(୭)
ଭାସିଆସେ ଚିହ୍ନାଚିହ୍ନା ମୁହଁସବୁ ଅତିତ ଗର୍ଭରୁ
ହାତଠାରି ଡାକେ ମୋର ମା' ମାଟି ଦୁର ଦୁରାନ୍ତରୁ
ଅଭିମାନ ଫିକା ସାଜେ,ଅଶ୍ରୁ ଜକାଏ ନୟନରୁ
ସ୍ନେହବୋଳା ଡାକଟିଏ ଝଂକୃତ ହୁଅଇ ନିତି "କାଚକାନ୍ଥ ସେପାଖରୁ "