ବୋଉ ଏକ ଶବ୍ଦ ନୁହେଁ
ଏକ ଅନୁଭବ
ଯେ ନିଜକଥା
କେବେବି ଭାବେନି
କେବେବି କହେନି
ତା'ର ହିସାବ
ସେ କେବେବି ରଖିନି କି
ରଖିବାକୁ ଚାହିଁନି
ବୋଉ ହେବା ଦିନୁ
ତା'ର ଚିତାନିଆଁ ଜଳିବା ଯାଏ ।

ସେ କେବଳ
ହିସାବ ରଖିବାକୁ ଚାହିଁଚି
ତାର ପିଲାଛୁଆ
ପରିବାର, ଘର
ସେଇ ତ ତା ଚାରିଧାମ
ଜୀବନର ସ୍ବର୍ଗ
ତାର ସବୁ ଖୁସି ତ
ବନ୍ଧା ପଡିଥାଏ
ସେମାନଙ୍କ ଭିତରେ...
ସେ ବା କାହିଁକି
କୁଆଡେ ଯିବ ??

ବୋଉ କେବେ କେବେ
ଆଖିରୁ ଲୁହ ପୋଛିଲା ବେଳେ
କହେ ଥଣ୍ଡା ହେଇଛି
ଏ ସବୁ ବାହାନା ଭିତରେ
ସେ କିନ୍ତୁ ଧରାପଡିଯାଏ
କାହିଁକି ନା ତାକୁ
ଅଭିନୟ ଜଣା ନଥାଏ ,
ନିଜର ଦୁଃଖ ଯନ୍ତ୍ରଣାକୁ ଚାପି
ହସିବାର ଅଭିନୟ କିନ୍ତୁ
ସେ ଖୁବ୍ କରିପାରେ
ଏଇଟା ତା'ର
ସହଜାତ ବୋଧହୁଏ ।

ସତରେ !
ବୋଉ ସେଇଥିପାଇଁ ତ ମହାନ୍
ଏ ଦୁନିଆରେ କିଏ ଅଛି ଯେ
ହେଇପାରିବ ତା ପରି ??
ମୁଣ୍ଡ କେବେ
ଆଉଁସି ଦେଉଥିଲା ବୋଉ
ଆଜି ଆଉ କେହି ନାହିଁ
ମୁଣ୍ଡ ଆଉଁସି ଦେବାକୁ
"କଣ ହେଇଛି ମୋ ବାପାର" ବୋଲି
କିଛି ପଚାରିବାକୁ ।

କାହିଁକି କେଜାଣି
ମୋତେ ଲାଗୁଥିଲା
ତା ବୋଉ ଆସିଲା ପରେ
ସେ କେମିତି ଟିକେ
ବଦଳି ଯାଇଥିଲା,
ହେଲେ ପରେ ଜାଣିଲି
ମୋର ଭାବିବା ଭୂଲ୍ ଥିଲା ।
ଏଇ ଯେମିତି
ସୂର୍ଯ୍ୟ ସ୍ଥିର ଥାଏ ହେଲେ
ଘୁରିବା ଭଳି ଜଣାଯାଏ
ଆଉ ନିଉଟନଙ୍କ
"ଆପେକ୍ଷିକ ତତ୍ତ୍ବ "ଭଳି
ଗଛ ସ୍ଥିର ଥାଏ କିନ୍ତୁ
ଗାଡି ଚାଲିଲା ବେଳେ ଲାଗେ
ସେ ଧାଉଁଛି ଖୁବ୍ ବେଗରେ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :