କବିତା - ବେନାମୀ ସମ୍ପର୍କ - ଶିବ ଚରଣ ମହାପାତ୍ର

0
ଯେବେଠୁ ବାନ୍ଧିଛି ରେଶମୀ ପଣତେ
ବେନାମୀ ସମ୍ପର୍କ ଡୋର
ସେବେ ସେଇଦିନୁ ଜୀବନ ସଙ୍ଗୀତ
ଲାଗୁଛି ଭାରି ମଧୂର..!

ସ୍ନେହ ମମତାର ତାରକସୀ ପାଟ
ତା ଦେହ ପିନ୍ଧେଇ ଦେଇ
ସଜେଇ ରଖୁଛି ଚନ୍ଦ୍ରମଲ୍ଲୀ ହସ
ସମ୍ପର୍କ ଅଧର ପାଇଁ..!

ନାମ ଦେଲେ କିବା ସାର୍ଥକ ହୁଏ
ବେନାମୀ ସମ୍ପର୍କ ଆମ
ନାମ ବିନା ବନ୍ଧୁ ବଞ୍ଚିତ ହୁଏ କି
ସ୍ନେହ ଶ୍ରଦ୍ଧା ଆଉ ପ୍ରେମ..!?

ପ୍ରତିଦାନ ବିନା ଜହ୍ନ କଇଁ ଦେଖ
ନିରବେ ସମ୍ପର୍କ ରଖି
ସାରା ଦୁନିଆରେ ଜ୍ୱଳନ୍ତ ପ୍ରେମର
ରହନ୍ତି ଜୀବନ୍ତ ସାକ୍ଷୀ..!

ସହିଯାଉଛି ମୁଁ ପଥର ପରାୟ
ଦୁଃଖ କଷ୍ଟ କଣ୍ଟାଘାତ
ସମ୍ପର୍କ ବିହୁନେ ଏ ସାରା ଦୁନିଆ
ଲାଗେ ବୋଲି ଡାହା ମିଛ..!

ପବିତ୍ର ସମ୍ପର୍କ ଅତୁଟ ରଖ ହେ
ମଣିଷ ଜାତିର ପୁତ୍ର
କଳଙ୍କ ଅଧ୍ୟାୟେ ଇନ୍ଦ୍ରଧନୁ ରଙ୍ଗେ
ବଦଳାଇ ମାନଚିତ୍ର..!


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର,   ଦୂରଭାଷ :

Post a Comment

0Comments
Post a Comment (0)